ନୂଆଦିଲ୍ଲୀ: ଭାରତର କୋଟିପତି ବ୍ୟବସାୟୀ ଗୌତମ ଆଦାନୀଙ୍କ ବିରୋଧରେ ଆମେରିକା ଲାଞ୍ଚ ଓ ଠକେଇ ଅଭିଯୋଗ ଆଣିବା ପରେ ତାଙ୍କ ବିରୋଧରେ ଏବେ ସ୍ବର ଉଠାଇଛି ବିରୋଧୀ ଦଳ କଂଗ୍ରେସ। ଆଦାନୀଙ୍କର ପ୍ରଧାନମନ୍ତ୍ରୀ ‌ନରେନ୍ଦ୍ର ମୋଦୀ ହେଉଛନ୍ତି ଘନିଷ୍ଠ ବନ୍ଧୁ। ସେ ହିଁ ଆଦାନୀଙ୍କୁ ସୁରକ୍ଷା ଦେଉଛନ୍ତି ବୋଲି କଂଗ୍ରେସ ଅଭିଯୋଗ ଆଣିଛି।

Advertisment

ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଗୁରୁବାର କହିଛନ୍ତି ଯେ ନରେନ୍ଦ୍ର ମୋଦୀ ଦୁର୍ନୀତି ମାମଲାରେ ଗୌତମ ଆଦାନୀଙ୍କ ସହ ରହିଛନ୍ତି। ଆମେରିକାରେ ଲାଞ୍ଚ ମାମଲାର ଅଭିଯୁକ୍ତ ଆଦାନୀଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ରାହୁଲ ଦାବି କରିଛନ୍ତି।

ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରି ରାହୁଲ କହିଛନ୍ତି, ‘‘୨୦୦୦ କୋଟି ଟଙ୍କା ଓ ଅନ୍ୟାନ୍ୟ ଦୁର୍ନୀତି ମାମଲାରେ ଜଡ଼ିତ ଥିବା ଗୌତମ ଆଦାନୀ ମୋଦୀଙ୍କ ସୁରକ୍ଷା ପାଇଁ ନିର୍ଭୟରେ ଜୀବନଯାପନ କରୁଛନ୍ତି। ଏବେ ଏହା ସ୍ପଷ୍ଟ ହୋଇଯାଇଛି ଯେ ସେ ଉଭୟ ଭାରତ ଓ ଆମେରିକା ନିମୟ ଉଲ୍ଲଂଘନ କରିଛନ୍ତି। ମାତ୍ର ମୁଁ ଆଶ୍ଚର୍ଯ୍ୟ ହେଉଛି ଯେ ସେ କିପରି ବିନା ଭୟରେ ବୁଲୁଛନ୍ତି!’’

ଉଲ୍ଲେଖଯୋଗ୍ୟ, ବୁଧବାର ଦିନ ଆମେରିକା ଅଭିଯୋଗ ଅ‌ାଣିଛି ଯେ ସେ ତାଙ୍କ କମ୍ପାନିର ନିବେଶକମାନଙ୍କୁ ଧୋକା ଦେଇଛନ୍ତି। ଆମେରିକା‌ରେ ସେ ତାଙ୍କ କମ୍ପାନିକୁ କଣ୍ଟ୍ରାକ୍ଟ ଦେବା ପାଇଁ ୨୬୫ ମିଲିୟନ୍‌ ଡଲାର୍‌ ଲାଞ୍ଚ୍‌ ଦେଇଥିବା ଅଭିଯୋଗ ବି ଆସିଛି ତାଙ୍କ ନାମରେ। ଏହି ମାମଲା ପୂରା ଆଦାନୀ ଗ୍ରୁପ୍‌ କମ୍ପାନି ଏବଂ ଆଦାମୀ ଗ୍ରୁପ୍‌ ଏନର୍ଜି ଲିମିଟେଡ ଏବଂ ଅନ୍ୟ ଏକ କମ୍ପାନି ସହିତ ଜଡ଼ିତ।