ଆଦାନି ଝଡ଼: ହଟ୍ଟଗୋଳ ପରେ ସଂସଦ ମୁଲତବୀ

ନୂଆ‌ଦିଲ୍ଲୀ : ଆଦାନି ଗ୍ରୁପ୍‌ ବିରୋଧରେ ଆସିଥିବା ଷ୍ଟକ୍‌ ଜାଲିଆତି ଅଭିଯୋଗ ପାଇଁ ସଂସଦରେ ହଙ୍ଗାମା ହୋଇଛି। ଆଦାନି ଗ୍ରୁପ୍‌ ବିରୋଧରେ ଆମେରିକୀୟ ସଂସ୍ଥା ହିଣ୍ଡେନବର୍ଗ ରିପୋର୍ଟ ଉପରେ ବିରୋଧୀ ସଦସ୍ୟମାନେ ଆଜି ଗୃହରେ ଆଲୋଚନା ଦାବି କରିଥିଲେ। ଆଦାନି ଗ୍ରୁପ୍‌ର ଷ୍ଟକ୍‌ ହେରଫେର ସଂକ୍ରାନ୍ତରେ ହିଣ୍ଡେନବର୍ଗ ରିପୋର୍ଟ ଆସିବାପରେ ହଠାତ ଆଦାନି ଗ୍ରୁପ୍‌ର ସେୟାର ମୂଲ୍ୟ ହ୍ରାସ ପାଇଛି। ବିରୋଧୀ ସଦସ୍ୟମାନେ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ସଂସଦର ଉଭୟ ଗୃହରେ ଏହି ପ୍ରସଙ୍ଗକୁ ନେଇ ଆଜି ଗୃହରେ ପ୍ରବଳ ହଟ୍ଟଗୋଳ ହୋଇଥିଲା। ଶେଷରେ ଉଭୟ ଗୃହକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି।

ଅନ୍ୟପକ୍ଷେ ଗୁରୁବାର ଦିନ ବିରୋଧୀ ଦଳ ନେତାମାନେ ଏକ ସାମ୍ବାଦିକ ସମ୍ମିଳନୀ କରି ଆଦାନି ଗ୍ରୁପ୍‌ ବିରୋଧରେ ଆସିଥିବା ଅଭିଯୋଗ ଉପରେ ତଦନ୍ତ ଦାବି କରିଛନ୍ତି। ଆଦାନି ଗ୍ରୁପ୍‌ରେ ଏବେ ଯାହା ହେଉଛି ତାହା କୋଟି କୋଟି ଭାରତୀୟଙ୍କର କଷ୍ଟ ଅର୍ଜିତ ଉପା‌ର୍ଜନକୁ ବିପଦରେ ପକାଇ ଦେବ ବୋଲି କଂଗ୍ରେସ କହିଛି। ଆଦାନି ଗ୍ରୁପ୍‌ ସଙ୍କଟ ସଂକ୍ରାନ୍ତରେ କଂଗ୍ରେସ ଏବଂ ଅନ୍ୟ ଦଳଗୁଡ଼ିକ ଜେପିସି (ଯୁଗ୍ମ ସଂସଦୀୟ କମିଟି) ତଦନ୍ତ ଦାବି କରିଛନ୍ତି। ଜେପିସି ତଦନ୍ତ ନହେଲେ ସୁପ୍ରିମ୍‌କୋର୍ଟ ତତ୍ତ୍ବାବଧାନରେ ତଦନ୍ତ କରାଯିବା ପାଇଁ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଦାବି କରିଛନ୍ତି।

ବିରୋଧୀ ଦଳ ନେତାମାନେ କହିଛନ୍ତି, ଆଦାନି ଗ୍ରୁପ୍‌ କମ୍ପାନିରେ ଏଲ୍‌ଆଇସି, ପବ୍ଲିକ ସେକ୍ଟର ବ୍ୟାଙ୍କ୍‌ ଏବଂ ଆର୍ଥିକ ଅନୁଷ୍ଠାନର ବିନିଯୋଗ ସଂକ୍ରାନ୍ତରେ ଆମେ ଧାରା ୨୬୭ ଅଧୀନରେ ଆଲେଚନା ପାଇଁ ସଂସଦରେ ସସପେନସନ୍‌ ଅଫ ବିଜନେସ ନୋଟିସ୍‌ ଦେଇଥିଲୁ। ଆମେ ଉକ୍ତ ପ୍ରସଙ୍ଗ‌ରେ ଆଲୋଚନା ଚାହିଥିଲୁ। କିନ୍ତୁ ଆମ ନୋଟିସକୁ ପ୍ରତ୍ୟାଖ୍ୟାନ କରାଗଲା। ଆମେ ଯେତେବେଳେ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉଠାଉଛୁ ସେତେବେଳେ ଏହା ଉପରେ ଆଲୋଚନା‌ ପାଇଁ ସରକାର ସୁଯୋଗ ଦେଉନାହାନ୍ତି ବୋଲି ବିରୋଧୀ ଦଳ ନେତାମାନେ ଅଭିଯୋଗ କରିଛନ୍ତି। ଏଲ୍‌ଆଇସି, ଏସ୍‌ବିଆଇ ଏବଂ ଅନ୍ୟ ଜାତୀୟ ବ୍ୟାଙ୍କରେ ଗରିବ ଲୋକଙ୍କ ଟଙ୍କା ଅଛି ଏବଂ ଏହାକୁ କିଛି ନିର୍ଦ୍ଦିଷ୍ଟ କମ୍ପାନିକୁ ଦିଆଯାଇଛି ବୋଲି ଖଡ଼ଗେ କହିଛନ୍ତି।

ସମ୍ବନ୍ଧିତ ଖବର