ଗାଙ୍ଗୁଲି ଆଉ କହିବେନି ‘ଏହି ତେଲ ହୃତପିଣ୍ଡକୁ ସୁସ୍ଥ ରଖେ’!

ଛାତି ସମସ୍ୟା ପରେ ବିଜ୍ଞାପନରୁ ବାଦ ପଡିଲେ ଗାଙ୍ଗୁଲି

ମୁମ୍ବାଇ: ହୃଦ୍‌ଘାତର ଶିକାର ହେବା ପରେ ବିସିସିଆଇ ସଭାପତି ତଥା ପୂର୍ବତନ କ୍ରିକେଟର ସୌରଭ ଗାଙ୍ଗୁଲିଙ୍କୁ ନିଜ ବିଜ୍ଞାପନରୁ ବାଦ ଦେଇଛି ଫର୍ଚୁନ୍ ରାଇସ୍ ବ୍ରାନ୍ ରନ୍ଧନ ତେଲ | ଶନିବାର ଗାଙ୍ଗୁଲି ହୃଦଘାତର ଶିକାର ହେବା ପରେ ସୋସିଆଲ ମିଡିଆରେ କମ୍ପାନୀର ବିଜ୍ଞାପନକୁ ପରିହାସ କରାଯାଇଥିଲା। କମ୍ପାନୀର ବିଜ୍ଞାପନ ସହ ଜଡିତ ଦୁଇ ଅଧିକାରୀ କହିଛନ୍ତି ଯେ, ଗାଙ୍ଗୁଲିଙ୍କ ବିଜ୍ଞାପନକୁ ସବୁ ପ୍ଲାଟଫର୍ମରୁ ହଟାଇ ଦିଆଯାଇଛି। ବ୍ରାଣ୍ଡର କ୍ରିଏଟିଭ୍ ଏଜେନ୍ସି ଓଗିଲଭି ଆଣ୍ଡ ମ୍ୟାଥର୍ ଏହି ଘଟଣାର ଅନୁସନ୍ଧାନ କରୁଥିବାବେଳେ ଏକ ନୂତନ ଅଭିଯାନକୁ ନେଇ କାର୍ଯ୍ୟ କରୁଛନ୍ତି। ଗତ ବର୍ଷ ଜାନୁଆରୀରେ ଗାଙ୍ଗୁଲିଙ୍କୁ ଫର୍ଚ୍ୟୁନ୍ ରାଇସ୍ ବ୍ରାନ୍ ତେଲର ବ୍ରାଣ୍ଡ ଆମ୍ବାସାଡର କରାଯାଇଥିଲା। ଲକଡାଉନ ଅବଧିରେ ପ୍ରସ୍ତୁତ କରାଯାଇଥିବା ବିଜ୍ଞାପନରେ ଗାଙ୍ଗୁଲି କହିଥିଲେ ଯେ,’ ଏହି ତେଲ ଖାଆନ୍ତୁ ଓ ସୁସ୍ଥ ରୁହନ୍ତୁ | ଏହି ତେଲ ଆପଣଙ୍କ ହୃତପିଣ୍ଡକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ’ |

କିନ୍ତୁ ଗାଙ୍ଗୁଲିଙ୍କ ହୃତପିଣ୍ଡ ସମସ୍ୟା ପରେ ଏହି ବିଜ୍ଞାପନକୁ ନେଇ ସୋସିଆଲ ମିଡ଼ିଆ ବ୍ୟବହାରକାରୀ ପରିହାସ କରିଥିଲେ | ଆଉ କମ୍ପାନୀ ନିଜର ବ୍ରାଣ୍ଡକୁ ଅତୁଟ ରଖିବା ପାଇଁ ଗାଙ୍ଗୁଲିଙ୍କୁ ନେଇ ସୁଟିଂ ହୋଇଥିବା ବିଜ୍ଞାପନକୁ ପ୍ରସାରଣ କରାଇବାକୁ ଅଟକାଇଦେଇଛି | ସୂଚନା ଥାଉ କି ଶନିବାର ନିଜ ବେହେଲାସ୍ଥିତ ବାସଭବନରେ ବ୍ୟାୟାମ ଅଧିବେଶନ ସାରିବାର ଠିକ୍ ପରେ ପରେ ହୃଦ୍‌ଘାତର ଶିକାର ହୋଇଥିଲେ ଗାଙ୍ଗୁଲି। ତୁରନ୍ତ ତାଙ୍କୁ ସ୍ଥାନୀୟ ଉଡଲ୍ୟାଣ୍ଡ୍ସ ଡାକ୍ତରଖାନାରେ ଭର୍ତ୍ତି କରିଯାଇଥିଲା।

ସେଠାରେ ଜରୁରୀକାଳୀନ ୱାର୍ଡରେ ଆଶୁ ଚିକିତ୍ସା ପରେ ତାଙ୍କର ବିଭିନ୍ନ ପରୀକ୍ଷା କରାଯାଇଥିଲା। ବିଶେଷକରି ଆଞ୍ଜିଓପ୍ଲାଷ୍ଟି ରିପୋର୍ଟରୁ ତାଙ୍କ ହୃତ୍‌ପିଣ୍ଡରେ ତିନିଟି ବ୍ଲକେଜ୍ ହୋଇଯାଇଥିବା ଜଣାପଡ଼ିଥିଲା। ଆଦାନୀ ୱିଲମାର ହେଉଛି ଶିଳ୍ପପତି ଗୌତମ ଆଦାନୀଙ୍କ କମ୍ପାନୀ। ସୋୟାବିନ୍, ସୋରିଷ, ରାଇସ୍ ବ୍ରାନ୍ ରନ୍ଧନ ତେଲ ବିକ୍ରୟ କରିବା ବ୍ୟତୀତ କମ୍ପାନୀ ଆଲିଫ୍ ବ୍ରାଣ୍ଡରୁ ସାବୁନ୍ ଏବଂ ସାନିଟାଇଜର ମଧ୍ୟ ବିକ୍ରି କରିଥାଏ | ତଥ୍ୟ ଅନୁଯାୟୀ, ୧.୨ ମିଲିୟନ୍ ଟନ୍ ବ୍ରାଣ୍ଡେଡ୍ ରାଇସ୍ ବ୍ରାନ୍ ରନ୍ଧନ ତେଲ ବଜାରରେ ୩୫% ବଜାର ଅଂଶ ସହିତ ଫର୍ଚ୍ୟୁନ୍ ପ୍ରଥମ ସ୍ଥାନ ଅଧିକାର କରିଛି | ୨୦୧୩ ରେ, କମ୍ପାନୀ ରାଇସ୍ ବ୍ରାନ୍ ରନ୍ଧନ ତେଲ ବଜାରକୁ ଆଣିଥିଲା ​​|

ସମ୍ବନ୍ଧିତ ଖବର