ଓଡ଼ିଶା ସମେତ ୫ଟି ରାଜ୍ୟରେ ସଡ଼କ ନିର୍ମାଣ ପାଇଁ ୨୫୦ ନିୟୁତ ଋଣ ଦେବ ଏଡିବି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଭାରତର ୫ଟି ରାଜ୍ୟ ଓଡ଼ିଶା, ଆସାମ, ଛତିଶଗଡ଼, ମଧ୍ୟପ୍ରଦେଶ ଏବଂ ପଶ୍ଚିମବଙ୍ଗରେ ସବୁଋତୁ ପାଇଁ ଉପଯୋଗୀ ୬୨୫୪ କିମି ଲମ୍ବ ଗ୍ରାମାଞ୍ଚଳ ରାସ୍ତା ନିର୍ମାଣ କରାଯିବ । ଏଥିପାଇଁ ୨୫୦ ନିୟୁତ ଆମେରିକୀୟ ଡଲାର ଋଣ ଯୋଗାଣ ପାଇଁ ଏସିଆନ ଡେଭଲପମେଣ୍ଟ ବ୍ୟାଙ୍କ (ଏଡିବି) ଓ ଭାରତ ସରକାରଙ୍କ ମଧ୍ୟରେ ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଛି ।

ଏହିସବୁ ରାଜ୍ୟଗୁଡ଼ିକରେ ସାଧାରଣତଃ ବର୍ଷା, ବନ୍ୟା ଭଳି ପ୍ରାକୃତିକ ଦୁର୍ବିପାକ ଯୋଗୁ ଗ୍ରାମାଞ୍ଚଳର ସଡ଼କ କ୍ଷତିଗ୍ରସ୍ତ ହୋଇଥାଏ । ବିଶେଷକରି ଓଡ଼ିଶାରେ ବନ୍ୟା ଓ ବାତା ପ୍ରାୟ ପ୍ରତିବର୍ଷ ଦେଖାଯାଉଛି । ଏହାଫଳରେ ସଡ଼କ ଭିତ୍ତିଭୂମି କ୍ଷତିଗ୍ରସ୍ତ ହେଉଛି । ଏସବୁ ପ୍ରାକୃତିକ ବିପଦକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ଭାବେ ସବୁ ଋତୁ ପାଇଁ ଉପଯୋଗୀ ସଡ଼କ ନିର୍ମାଣ କରାଯିବ । ଅଧିକ ଉଚ୍ଚତାର ନଦୀବନ୍ଧ, ଗଡ଼ାଣି ସୁରକ୍ଷା ଏବଂ ବନ୍ୟାଞ୍ଚଳରେ ଜଳନିଷ୍କାସନ ସୁବିଧା କରାଯିବ ।

ଭାରତରେ ଦ୍ୱିତୀୟ ଗ୍ରାମାଞ୍ଚଳ ସଡ଼କ ଯୋଗାଯୋଗ ନିବେଶ କାର୍ଯ୍ୟକ୍ରମ ଅଧୀନରେ ୫୦୦ ନିୟୁତ ଆମେରିକୀୟ ଡଲାର ଋଣ ଯୋଗାଣ ପ୍ରସ୍ତାବକୁ ଡିସେମ୍ବର ୨୦୧୭ରେ ଏଡିବି ବୋର୍ଡ ଅନୁମୋଦନ କରିଥିଲା । ପ୍ରଥମ ପର୍ଯ୍ୟାୟ ଋଣ ଏହାର ଅଂଶବିଶେଷ । ଗ୍ରାମୀଣ ସଡ଼କ ଯୋଗାଯୋଗରେ ସୁଧାର, ଗ୍ରାମାଞ୍ଚଳର ଲୋକମାନଙ୍କୁ ଅଧିକ ନିରାପଦ ତଥା ଦକ୍ଷ ଜୀବନଜୀବିକା ଏବଂ ସାମାଜିକ-ଅର୍ଥନୈତିକ ସୁଯୋଗ ଯୋଗାଇ ଦେବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ । ଏହି କାର୍ଯ୍ୟକ୍ରମ ଅଧୀନରେ ଉପରୋକ୍ତ ୫ ଟି ରାଜ୍ୟରେ ମୋଟ ୧୨ ହଜାର କିଲୋମିଟର ଗ୍ରାମୀଣ ସଡ଼କର ଉନ୍ନତିକରଣ କରାଯିବ ।

ସମ୍ବନ୍ଧିତ ଖବର