ପାଟନା: ଭୋଜି ଖାଇବା ନିଶାରେ ଲୋକେ ପ୍ରବଳ ବର୍ଷାକୁ ମଧ୍ୟ ଖାତିର ନ କରି ଅଣ୍ଟାଏ ପାଣିରେ ପଶି ଖାଉଛନ୍ତି। ଏଭଳି ଏକ ଅଜବ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

Advertisment

ବିହାରର ଛପରା ଜିଲ୍ଲାରେ ଏକ ବିବାହ ସମୟରେ ହଠାତ୍ ବର୍ଷା ଆରମ୍ଭ ହୋଇଯାଇଥିଲା । ବର୍ଷା ଏତେ ପ୍ରବଳ ଥିଲା ଯେ ବିବାହ ହଲ୍‌ରେ ଅଣ୍ଟାଏ ପାଣି ଜମା ହୋଇ ଯାଇଥିଲା। ମଣ୍ଡପରେ ବର୍ଷା ପାଣି ଜମା ହୋଇ ଏକ ସୁଇମିଂ ପୁଲ ପରି ହୋଇ ଯାଇଥିଲା। କିନ୍ତୁ ବରଯାତ୍ରୀଙ୍କୁ ଛାଡ ଖୋଦ୍ ବର ମଧ୍ୟ ପଛକୁ ଫେରି ନ ଥିଲେ। ସେମାନେ ଅଣ୍ଟାଏ ଗଭୀର ପାଣିରେ ବୁଲି ବୁଲି ଖାଉଥିବାର ଭିଡ଼ିଓରେ ଦେଖିବାକୁ ମିଳୁଛି।

ଏହି ଭିଡିଓ @ChapraZila ନାମକ ଏକ ଟୁଇଟର ହ୍ୟାଣ୍ଡେଲରୁ ସେୟାର କରାଯାଇଛି। ଭିଡିଓର କ୍ୟାପସନରେ ଦିଆଯାଇଥିବା ସୂଚନା ଅନୁଯାୟୀ ବିହାରର ଛପରା ଜିଲ୍ଲାରେ ଏହି ଘଟଣା ଘଟିଛି। ଭିଡିଓରେ ଲୋକମାନେ ମହିଳା ଏବଂ ଶିଶୁମାନଙ୍କୁ କାନ୍ଧରେ ବୋହି ଡାଇନିଂ ଲାଇନକୁ ନେଇ ଯାଉଛନ୍ତି। ଲୋକମାନେ ଠିଆ ହେବାକୁ ମଧ୍ୟ ସ୍ଥାନ ପାଉ ନାହାନ୍ତି। କିନ୍ତୁ ଖାଦ୍ୟ ଖାଇବା କାହାର ଜୀବନ ବଞ୍ଚାଇବା ଅପେକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ ବୋଲି ଭିଡ଼ିଓରେ ମନେ ହେଉଛି।

ଏହି ଭିଡିଓକୁ ୪ଲକ୍ଷରୁ ଅଧିକ ୟୁଜର ଦେଖି ସାରିଲେଣି ଏବଂ ଅନେକ ଲୋକ ଏହାକୁ ନେଇ ବିଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି। କିଛି ଲୋକ କହିଛନ୍ତି, ନିମନ୍ତ୍ରଣ ସ୍ୱାଗତଯୋଗ୍ୟ, ଅନ୍ୟମାନେ କହିଛନ୍ତି, ଯଦି ଆମେ ନ ଯିବା ‌ତେବେ ଭିକାରୀମାନେ ଖରାପ ଭାବିବେ। ତେଣୁ ଆମେ ଖାଇବା ପାଇଁ ନିଜ ଜୀବନକୁ ବିପଦରେ ପକାଉଛୁ। ବର୍ଷାରେ ବିବାହ କରିଥିବା ଦମ୍ପତିଙ୍କୁ ମଧ୍ୟ କିଛି ଲୋକ ଦାୟୀ କରିଛନ୍ତି।

ବିଡମ୍ବନାର ବିଷୟ କିଛି ଦିନ ପୂର୍ବରୁ ଗୁଜରାଟରେ ମଧ୍ୟ ଏଭଳି ଘଟଣା ଘଟିଥିଲା। ଜଣେ ଯୁବକ ତାଙ୍କ ବାଇକ୍ ସହିତ ବନ୍ୟା ପାଣିରେ ଫସି ରହିଥିଲେ। ପୁରା ଗାଁ ତାଙ୍କୁ ପାଣି ଭିତରୁ ଟାଣି ଆଣିବାକୁ ଚେଷ୍ଟା କରୁଥିଲା। କିନ୍ତୁ ସେ ତମାଖୁ ଖାଇବାରେ ବ୍ୟସ୍ତ ଥିଲେ। ସେହି ଭିଡିଓ ଦେଖିବା ପରେ ଲୋକମାନେ କହିଥିଲେ, ଜୀବନ ଆପେକ୍ଷା ତମାଖୁ ଜରୁରୀ।