ଚଣ୍ଡୀଗଡ଼: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ଆସନ୍ତା ସ୍ବାଧୀନତା ଦିବସ ସୁଦ୍ଧା ରାଜ୍ୟକୁ ନିଶାମୁକ୍ତ କରିବା ପାଇଁ ଘୋଷଣା କରିଛନ୍ତି। କିନ୍ତୁ ରାଜ୍ୟର ବାସ୍ତବତା କିଛି ଅଲଗା। ୨୦୧୭ ଏପ୍ରିଲରେ ତତ୍କାଳୀନ କଂଗ୍ରେସ ସରକାର ଆଣ୍ଟିଡ୍ରଗ୍ ସ୍ବତନ୍ତ୍ର ଟାସ୍କ ଫୋର୍ସ ଗଠନ କରିବା ପରେ ବିଭିନ୍ନ ବିଭାଗ ସର୍ବୋତ୍ତମ ପ୍ରଚେଷ୍ଟା କରିଥିଲେ ମଧ୍ୟ ନିଶାର ଦୁରୁପଯୋଗ ଓ ମାତ୍ରାତିରିକ୍ତ ନିଶା ସେବନ ଜନିତ ମୃତ୍ୟୁକୁ କମାଇବାରେ ସଫଳ ହୋଇ ନାହାନ୍ତି। ତଥ୍ୟ ଅନୁସାରେ, ଗତବର୍ଷ ମାର୍ଚ୍ଚ ମାସରେ ଆମ୍ ଆଦ୍ମୀ ପାର୍ଟି (ଆପ୍) ବିପୁଳ ସଂଖ୍ୟାଗରିଷ୍ଠତା ସହ କ୍ଷମତାକୁ ଆସିବା ପରଠାରୁ ଅଦ୍ୟାବଧି ୧୮୪ଟି ନିଶାଜନିତ ମୃତ୍ୟୁ ଘଟଣା ଘଟିଛି ଯେଉଁଥିରେ ୩୦୪ ଧାରା (ନରହତ୍ୟା ସଦୃଶ କିନ୍ତୁ ନରହତ୍ୟା ନୁହେଁ)ରେ ମାମଲା ରୁଜୁ କରାଯାଇଛି। ଆହୁରି ଅନେକ ନିଶାଜନିତ ମୃତ୍ୟୁ ଘଟଣା ଘଟିଥାଇପାରେ, ଯେଉଁଥିରେ ୩୦୪ ଧାରା ଲାଗୁ କରାଯାଇ ନାହିଁ। କାରଣ ସେସବୁ କ୍ଷେତ୍ରରେ ପୁଲିସରେ ରିପୋର୍ଟ ନ କରି ପୋଷ୍ଟମର୍ଟମ ବିନା ଶବଦାହ କରିଦିଆଯାଇଛି। ୧୮ରୁ ୩୫ ବର୍ଷର ଯୁବବର୍ଗ ସବୁଠାରୁ ବେଶି ନିଶାର ଶିକାର ହେଉଛନ୍ତି।
ଜୁଲାଇ ୫, ୨୦୨୨ରୁ ରାଜ୍ୟ ସରକାର ଜୋରଦାର ନିଶାବିରୋଧୀ ଅଭିଯାନ ଚଳାଇବା ପରଠାରୁ ଚଳିତବର୍ଷ ସେପ୍ଟେମ୍ବର ପହିଲା ସୁଦ୍ଧା ନିଶା ଚୋରାଚାଲାଣ ମାମଲାରେ ମୋଟ ୧୯,୦୯୩ ଜଣଙ୍କୁ ଗିରଫ କରାଯାଇଛି। ଅର୍ଥାତ୍ ଦିନକୁ ହାରାହାରି ୪୫ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି। ସେହିପରି ଉକ୍ତ ଅବଧି ଭିତରେ ମୋଟ ୧୪,୧୭୯ଟି ମାମଲା ରୁଜୁ ହୋଇଛି, ଅର୍ଥାତ୍ ଦିନକୁ ହାରାହାରି ୩୩ଟି। ୨୦୧୭ରୁ ୨୦୨୦ ତିନିବର୍ଷ ଭିତରେ ରାଜ୍ୟ ପୁଲିସ ଦୈନିକ ହାରାହାରି ୩୧ ମାମଲା ରୁଜୁ କରିବା ସହ ଦୈନିକ ହାରାହାରି ୩୯ ଜଣଙ୍କୁ ଗିରଫ କରିଥିଲା। ତେବେ ନିଶାସକ୍ତମାନଙ୍କଠାରୁ ନିଶା ଛଡ଼ାଇବା ଏବଂ ସେମାନଙ୍କ ପୁନଃଥଇଥାନ ଦିଗରେ ଅନେକ କିଛି କରିବା ବାକି ଅଛି। ଅନ୍ୟ ପକ୍ଷରେ ଗିରଫ ସଂଖ୍ୟା ବଢ଼ୁଥିବାରୁ ରାଜ୍ୟର ସମସ୍ତ ୨୫ଟି ଜେଲ ଭର୍ତ୍ତି ହୋଇଗଲାଣି। କ୍ଷମତାଠାରୁ ୧୭ ପ୍ରତିଶତ କଏଦୀ ଏହି ଜେଲଗୁଡ଼ିକରେ ଅଛନ୍ତି। ଜେଲଗୁଡ଼ିକର ମୋଟ କ୍ଷମତା ୨୬,୦୮୧ ହୋଇଥିବା ବେଳେ ସେଗୁଡ଼ିକରେ ୩୦,୩୯୧ ଜର କଏଦୀ ଅଛନ୍ତି। କେତେକ ଜେଲରେ କ୍ଷମତାଠାରୁ ଦୁଇଗୁଣା କଏଦୀ ଅଛନ୍ତି।
ଗତ ୨୦୧୮ରେ କପୁରତାଲାରେ ମହିଳାମାନଙ୍କ ପାଇଁ ଏକ ୧୫ ଶଯ୍ୟା ବିଶିଷ୍ଟ ନିଶାଛଡ଼ା କେନ୍ଦ୍ର (ଡିଆଡିକ୍ସନ ସେଣ୍ଟର) ପ୍ରତିଷ୍ଠା କରାଯାଇଥିଲା। ୫ ବର୍ଷରେ ଏହି କେନ୍ଦ୍ରରେ ୨୦୦ରୁ ଊର୍ଦ୍ଧ୍ବ ମହିଳା ପଞ୍ଜିକୃତ ହୋଇଛନ୍ତି। ମହିଳାମାନଙ୍କ ଭିତରେ ହେରୋଇନ ସେବନକାରୀଙ୍କ ସଂଖ୍ୟା ଅଧିକ ବୋଲି ଜଣାପଡ଼ିଛି। ଇନଡୋର୍ ରୋଗୀ ଭାବେ ଏଠାରେ ଆଗରୁ ଗୋଟିଏ ସମୟରେ ଜଣେ ଦୁଇଜଣ ମହିଳା ରହୁଥିବା ବେଳେ ଏବେ ସେମାନଙ୍କ ସଂଖ୍ୟା ୯କୁ ବୃଦ୍ଧି ପାଇଛି। ଏଠାକୁ ଦୈନିକ ପ୍ରାୟ ୩୦ ଜଣ ଆଉଟଡୋର୍ ରୋଗୀ ଚିକତ୍ସା ପାଇଁ ଆସୁଛନ୍ତି।