ଶପଥ ଗ୍ରହଣ ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସର୍ବପ୍ରଥମ ସମ୍ବୋଧନ; ପଢ଼ନ୍ତୁ ପୂରା ଅଭିଭାଷଣ, ଜାଣନ୍ତୁ କ’ଣ କହିଥିଲେ ସେ

ଜୁହାର!
ନମସ୍କାର !
ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀ ନିମନ୍ତେ ମତେ ନିର୍ବାଚିତ କରିଥିବାରୁ ମୁଁ ସମସ୍ତ ସାଂସଦ ଓ ବିଧାନସଭା ସଦସ୍ୟଙ୍କୁ ମୋର ହାର୍ଦ୍ଦିକ କୃତଜ୍ଞତା ଜଣାଉଛି ।
ଆପଣମାନଙ୍କ ଭୋଟ୍ ଦେଶର କୋଟି କୋଟି ନାଗରିକଙ୍କ ବିଶ୍ୱାସର ଅଭିବ୍ୟକ୍ତି ।
ଏହି ପବିତ୍ର ସଂସଦରୁ ମୁଁ ବିନମ୍ରତାର ସହ ସମସ୍ତ ନାଗରିକଙ୍କୁ ଅଭିନନ୍ଦନ ଜଣାଉଛି । ଏହି ସଂସଦ ଆଶା, ଆକାଂକ୍ଷା ଓ ଭାରତର ନାଗରିକମାନଙ୍କ ଅଧିକାରର ପ୍ରତୀକ ।
ଆପଣମାନଙ୍କ ସ୍ନେହ, ଆସ୍ଥା ଓ ସମର୍ଥନ ମୋର କାର୍ଯ୍ୟ ଓ ଦାୟିତ୍ୱ ନିର୍ବାହ କାଳରେ ବିରାଟ ଶକ୍ତି ଭାବେ କାର୍ଯ୍ୟ କରିବ ।
ଆମେ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଥିବା ବେଳେ ତଥା ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଦେଶ ମତେ ରାଷ୍ଟ୍ରପତି ଭାବେ ନିର୍ବାଚିତ କରିଛି ।
ଆଜିଠାରୁ ଆଉ ଅଳ୍ପଦିନ ମଧ୍ୟରେ ଦେଶ ସ୍ୱାଧୀନତାର ୭୫ ବର୍ଷ ପୂରଣ କରିବ ।
ଏହା ଏକ ଅପୂର୍ବ ସଂଯୋଗ ଯେ ଦେଶ ଯେତେବେଳେ ସ୍ୱାଧୀନତାର ୫୦ ବର୍ଷ ପୂର୍ତ୍ତି ପାଳନ କରୁଥିଲା ସେତେବେଳେ ମୋର ରାଜନୀତିକ ଜୀବନ ଆରମ୍ଭ ହୋଇଥିଲା ।
ଆଉ ଆଜି ସ୍ୱାଧୀନତାର ୭୫ ବର୍ଷରେ ମୋତେ ନୂତନ ଦାୟିତ୍ୱ ନିର୍ବାହ କରିବାକୁ ସୁଯୋଗ ମିଳିଛି ।
ମୋର ସୌଭାଗ୍ୟ ଯେ ଏପରି ଏକ ଐତିହାସିକ କ୍ଷଣ ଯେତେବେଳେ ଭାରତ ଆଗାମୀ ୨୫ ବର୍ଷରେ ଏହାର ଲକ୍ଷ୍ୟ ସାଧନ ପାଇଁ ସମସ୍ତ ଶକ୍ତି ଲଗାଇ ଦେଇଛି, ସେତେବେଳେ ମତେ ଏହି ଦାୟିତ୍ୱ ମିଳିଛି ।
ମୁଁ ମଧ୍ୟ ସ୍ୱାଧୀନ ଭାରତରେ ଜନ୍ମିତ ପ୍ରଥମ ରାଷ୍ଟ୍ରପତି ।
ଆମର ସ୍ୱାଧୀନତା ସଂଗ୍ରାମୀମାନଙ୍କ ଆକାଂକ୍ଷା ପୂରଣ କରିବା ପାଇଁ ଅମୃତ କାଳରେ ଆମକୁ ସ୍ୱାଧୀନ ଭାରତର ନାଗରିକ ଭାବେ ଖୁବ ଦୃତଗତିରେ କାର୍ଯ୍ୟ ସମ୍ପାଦନ କରିବାକୁ ପଡିବ ।
ଏହି ୨୫ ବର୍ଷ ମଧ୍ୟରେ ଅମୃତ କାଳର ଲକ୍ଷ୍ୟ ପୂରଣ ଦୁଇଟି ବାଟରେ କରିବାକୁ ହେବ – ତାହା ହେଲା “ସବକା ପ୍ରୟାସ ଔର ସବକା କର୍ତ୍ତବ୍ୟ” (ପ୍ରତ୍ୟେକଙ୍କ ଉଦ୍ୟମ ଓ ପ୍ରତ୍ୟେକଙ୍କ କର୍ତ୍ତବ୍ୟ) । ଭାରତର ଉଜ୍ଜଳ ଭବିଷ୍ୟତ ନିମନ୍ତେ ନୂତନ ବିକାଶ ମାର୍ଗରେ କର୍ତ୍ତବ୍ୟ ପଥ ଅନୁସରଣ କରି ସମ୍ମିଳିତ ଉଦ୍ୟମ କରିବାକୁ ପଡିବ ।
ଆସନ୍ତା କାଲି ଅର୍ଥାତ ଜୁଲାଇ ୨୬ ତାରିଖ ଦିନ ଆମେ କାରଗୀଲ ବିଜୟ ଦିବସ ପାଳନ କରିବୁ । ଏହା ଭାରତୀୟ ସଶସ୍ତ୍ର ସେନାର ଉଭୟ ଶୌର୍ଯ୍ୟ ଓ ସଂଯମର ପ୍ରତୀକ ।
ଆଜି ମୁଁ ମୋର ଆଗୁଆ ଶୁଭେଚ୍ଛା ଦେଶର ସଶସ୍ତ୍ର ସେନା ଓ ସମସ୍ତ ନାଗରିକମାନଙ୍କୁ ଜଣାଉଛି ।

ଭଦ୍ରବ୍ୟକ୍ତି ଓ ଭଦ୍ର ମହିଳାଗଣ
ଦେଶର ପୂର୍ବଭାଗ ଓଡ଼ିଶାର ଏକ ଛୋଟ ଆଦିବାସୀ ଗ୍ରାମରୁ ମୁଁ ମୋ ଜୀବନ ଯାତ୍ରା ଆରମ୍ଭ କରିଥିଲି ।
ଯେଉଁ ପୃଷ୍ଠଭୂମିରୁ ମୁଁ ଆସିଛି ସେଠାରେ ପ୍ରାଥମିକ ଶିକ୍ଷାଲାଭ କରିବା ଏକ ସ୍ୱପ୍ନଭଳି ।
ମାତ୍ର ସମସ୍ତ ବାଧାବିଘ୍ନ ସତ୍ତ୍ୱେ ମୋ ସଂକଳ୍ପ ଦୃଢ଼ ଥିଲା ଓ ମୁଁ ଆମ ଗ୍ରାମର ପ୍ରଥମ ଝିଅ ଭାବେ କଲେଜରେ ପ୍ରବେଶ କଲି ।
ମୁଁ ଏକ ଆଦିବାସୀ ସମାଜରୁ ଆସିଛି । ମୁଁ ଜଣେ ୱାର୍ଡ କାଉନସିଲରରୁ ଭାରତର ରାଷ୍ଟ୍ରପତି ହେବାର ସୁଯୋଗ ପାଇଛି । ଗଣତନ୍ତ୍ରର ଜନନୀ ଭାରତ ବର୍ଷର ଏହାହିଁ ହେଉଛି ମହାନତା ।
ଆମ ଗଣତନ୍ତ୍ରର ଶକ୍ତି ପ୍ରତି ଏହା ହେଉଛି ଶ୍ରଦ୍ଧାଞ୍ଜଳି ଯେ ଗରିବ ଘରେ ତଥା ଦୁର୍ଗମ ଆଦିବାସୀ ଅଞ୍ଚଳରେ ଜନ୍ମ ହୋଇଥିବା ଜଣେ ଝିଅ ଭାରତର ସର୍ବୋଚ୍ଚ ସାମ୍ବିଧାନିକ ପଦବୀ ଅଳଙ୍କୃତ କରିପାରିଛି ।
ମୁଁ ରାଷ୍ଟ୍ରପତି ପଦରେ ଆସୀନ ହେବା ମୋର ବ୍ୟକ୍ତିଗତ ସଫଳତା ନୁହେଁ, ଏହା ଭାରତର ପ୍ରତ୍ୟେକ ଗରିବ ବ୍ୟକ୍ତିର ସଫଳତା ।
ମୋର ନିର୍ବାଚିତ ହେବା ଏକ ବାସ୍ତବିକ ପ୍ରମାଣ ଯେ ଜଣେ ଗରୀବ ବ୍ୟକ୍ତି ମଧ୍ୟ ତାର ସ୍ୱପ୍ନକୁ ସାକାର କରିପାରିବ ।
ମୋ ପାଇଁ ଏକ ପରମ ସନ୍ତୋଷର ବିଷୟ ଏହି ଯେ ଯେଉଁମାନେ ଶହ ଶହ ବର୍ଷ ଧରି ବଞ୍ଚିତ ଓ ଯେଉଁମାନେ ବିକାଶର ସୁଫଳ ପାଇନାହାନ୍ତି ସେହି ଗରୀବ, ଦଳିତ, ଅନଗ୍ରସର ଓ ଆଦିବାସୀମାନେ ମୋ ମଧ୍ୟରେ ସେମାନଙ୍କ ପ୍ରତିଛବି ଦେଖିପାରୁଥିବେ ।
ମୋର ଏହି ନିର୍ବାଚନ ପଛରେ ଦେଶର ଗରୀବମାନଙ୍କ ଆଶୀର୍ବାଦ ରହିଛି । ଦେଶର କୋଟି କୋଟି ମହିଳା ଓ ଝିଅମାନଙ୍କ ସ୍ୱପ୍ନ ଓ ସାମର୍ଥ୍ୟରେ ଏହା ପ୍ରତିଫଳିତ ହୋଇଛି ।
ମୋର ଏହି ନିର୍ବାଚନ ଆଜିର ଭାରତୀୟ ଯୁବ ସମାଜ ମନରେ ସାହସ ସଞ୍ଚାର କରିଛି, ଯେ କି ନୂତନ ରାସ୍ତାରେ ଚାଲିବାକୁ ଓ ଘାତପ୍ରତିଘାତକୁ ଭ୍ରୁକ୍ଷେପ ନକରିବାକୁ ପ୍ରସ୍ତୁତ । ଆଜି ମୁଁ ଏପରି ଏକ ପ୍ରଗତିଶୀଳ ଭାରତକୁ ନେତୃତ୍ୱ ଦେବାରେ ଗର୍ବ ଅନୁଭବ କରୁଛି ।
ଆଜି ମୁଁ ମୋର ଦେଶର ନାଗରିକ ବିଶେଷ କରି ଯୁବସମାଜ ଓ ମହିଳାମାନଙ୍କୁ ପ୍ରତିଶ୍ରୁତି ଦେଉଛି ଯେ ମୋର ଏହି ପଦବୀରେ କାର୍ଯ୍ୟ କଲାବେଳେ ସେମାନଙ୍କ ଇଚ୍ଛାଶକ୍ତି ବେଶ ଗୁରୁତ୍ୱପୂର୍ଣ୍ଣ ହେବ ।
ଭଦ୍ରବ୍ୟକ୍ତି ଓ ଭଦ୍ର ମହିଳାଗଣ
ମୋ ଆଗରେ ଭାରତର ରାଷ୍ଟ୍ରପତିତ୍ୱର ଏପରି ଏକ ମହାନ ପ୍ରତିଷ୍ଠା ରହିଛି ଯାହା ନିରବିଚ୍ଛିନ୍ନ ଭାବେ ବିଶ୍ୱରେ ଭାରତୀୟ ଗଣତନ୍ତ୍ରର ମର୍ଯ୍ୟାଦା ବୃଦ୍ଧି କରିବାରେ ଲାଗିଛି ।
ଦେଶର ପ୍ରଥମ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦଙ୍କଠାରୁ ଆରମ୍ଭ କରି ଶ୍ରୀ ରାମନାଥ କୋବିନ୍ଦଜୀଙ୍କ ପର୍ଯ୍ୟନ୍ତ ମହାନ ବ୍ୟକ୍ତିମାନେ ଏହି ପଦରେ ଆସୀନ ହୋଇଛନ୍ତି ।
ଏହି ପଦବୀ ସହ ଦେଶର ପରମ୍ପରାର ମଧ୍ୟ ପ୍ରତିନିଧିତ୍ୱ କରିବା ପାଇଁ ମତେ ଦାୟୀତ୍ୱ ମିଳିଛି ।
ସମ୍ବିଧାନ ଅନୁସାରେ ମୁଁ ସର୍ବୋଚ୍ଚ କର୍ମନିଷ୍ଠା ସହ ମୋର ଦାୟୀତ୍ୱ ନିର୍ବାହ କରିବି ।
ମୋ ପାଇଁ ଭାରତର ଗଣତାନ୍ତ୍ରିକ, ସାଂସ୍କୃତିକ ଆଦର୍ଶ ଓ ସମସ୍ତ ନାଗରିକ ଶକ୍ତିର ଉତ୍ସ ହୋଇ ରହିବେ ।
ଭଦ୍ରବ୍ୟକ୍ତି ଓ ଭଦ୍ର ମହିଳାଗଣ
ଆମ ଦେଶର ନୂତନ ଯାତ୍ରାପଥର ମାନଚିତ୍ର ଆମ ସ୍ୱାଧୀନତା ସଂଗ୍ରାମ ପ୍ରସ୍ତୁତ କରିଛି ।
ଆମ ସ୍ୱାଧୀନତା ସଂଗ୍ରାମ ଥିଲା ଅନେକ ସଂଗ୍ରାମ ଓ ତ୍ୟାଗର ଧାରା ଯାହା ସ୍ୱାଧୀନ ଭାରତ ନିମନ୍ତେ ଅନେକ ଆଦର୍ଶ ଓ ସମ୍ଭାବନା ଦ୍ୱାରା ସମୃଦ୍ଧ ହୋଇଛି ।
ଭାରତୀୟ ସାଂସ୍କୃତିକ ଆଦର୍ଶକୁ ବୁଝିବା ପାଇଁ ପୂଜ୍ୟ ବାପୁ ସ୍ୱରାଜ, ସ୍ୱଦେଶୀ, ସ୍ୱଚ୍ଛତା ଓ ସତ୍ୟାଗ୍ରହ ଜରିଆରେ ପଥ ପ୍ରଦର୍ଶନ କରିଯାଇଛନ୍ତି ।
ଦେଶର ଗର୍ବକୁ ସବୁଠାରେ ଆଗରେ ରଖିବା ପାଇଁ ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ନେହରୁଜୀ, ସର୍ଦ୍ଦାର ପଟେଲ, ବାବା ସାହେବ ଆମ୍ବେଦକର, ଭଗତ ସିଂ, ସୁଖଦେବ, ରାଜଗୁରୁ ଓ ଚନ୍ଦ୍ରଶେଖର ଆଜାଦଙ୍କ ଭଳି ଅସଂଖ୍ୟ ବ୍ୟକ୍ତିତ୍ୱ ଆମକୁ ଶିକ୍ଷା ଦେଇଯାଇଛନ୍ତି ।
ରାଣୀ ଲକ୍ଷୀବାଈ, ରାଣୀ ଭେଲୁ ନାଚିୟାର, ରାଣୀ ଗାଇଦିନଲ୍ୟୁ ଓ ରାଣୀ ଚେନ୍ନାମ୍ମାଙ୍କ ଭଳି ଅନେକ ସାହସୀ ମହିଳା ଦେଶର ସୁରକ୍ଷା ଓ ଗଠନ ଦିଗରେ ଅସାଧାରଣ ଶୌର୍ଯ୍ୟ ଓ ତ୍ୟାଗ ପ୍ରଦର୍ଶନ କରିଛନ୍ତି ।
ସାନ୍ତାଳ ବିପ୍ଳବଠାରୁ ଆରମ୍ଭ କରି, ପାଇକ ବିପ୍ଳବ, କୋଲ ବିପ୍ଳବ ଓ ଭିଲ ବିପ୍ଳବ ଭଳି ପ୍ରତ୍ୟେକ ବିପ୍ଳବ, ସ୍ୱାଧୀନତା ସଂଗ୍ରାମରେ ଆଦିବାସୀଙ୍କ ଭୂମିକା ଓ ପରାକ୍ରମର ପରିଚୟ ପ୍ରଦାନ କରିଥାଏ ।
ସାମାଜିକ ଉତଥାନ ଓ ଦେଶପ୍ରେମର ଉତ୍ସାହ ଆମେ ଧରଣୀ ଆବବା ଭଗବାନ ବିର୍ସାମୁଣ୍ଡାଜୀଙ୍କ ତ୍ୟାଗରୁ ପାଇଛୁ ।
ମୁଁ ଖୁସି ଯେ ଦେଶବ୍ୟାପୀ ସ୍ୱାଧୀନତା ସଂଗ୍ରାମ ପାଇଁ ଉତ୍ସର୍ଗୀକୃତ ଅନେକ ଆଦିବାସୀ ଗୋଷ୍ଠୀର ବୀରମାନଙ୍କ ସଂଗ୍ରହାଳୟମାନ ସ୍ଥାପିତ ହେଉଛି ।
ଭଦ୍ରବ୍ୟକ୍ତି ଓ ଭଦ୍ର ମହିଳାଗଣ
୭୫ବର୍ଷର ସଂସଦୀୟ ଗଣତନ୍ତ୍ର ଭାବେ ଭାରତ ବିକାଶର ସଂକଳ୍ପକୁ ଭାଗିଦାରୀତା ଓ ସହମତି ଭିତ୍ତିରେ ଆଗେଇ ନେଇଛି ।
ବିବିଧତାରେ ପରିପୂର୍ଣ୍ଣ ଆମ ଦେଶରେ ଆମେ ଅନେକ ଭାଷା, ଧର୍ମ, ସମ୍ପ୍ରଦାୟ, ଖାଦ୍ୟ ଓ ଜୀବନଶୈଳୀ ଏବଂ ପ୍ରଥା ଇତ୍ୟାଦିକୁ ଗ୍ରହଣ କରି ଏକ ଭାରତ, ଶ୍ରେଷ୍ଠ ଭାରତ ନିର୍ମାଣରେ ଲାଗି ପଡିଛୁ ।
ସ୍ୱାଧୀନତାର ୭୫ ବର୍ଷ ଉପଲକ୍ଷେ ଉପନୀତ ଏକ ଅମୃତକାଳ ଭାରତର ନୂତନ ସଂକଳ୍ପ ପାଇଁ ଉଦ୍ଦିଷ୍ଟ ।
ନୂତନ ଭାବନା ସହ ମୋ ଦେଶ ଆଜି ନୂଆ ଯୁଗକୁ ସ୍ୱାଗତ କରିବା ପାଇଁ ଉତ୍ସାହିତ, ଆଜି ତାହା ମୁଁ ବେଶ ଦେଖିପାରୁଛି ।
ଆଜି ଭାରତ ପ୍ରତ୍ୟେକ କ୍ଷେତ୍ରରେ ବିକାଶର ନୂତନ ଅଧ୍ୟାୟ ଯୋଡୁଛି ।
କରୋନା ମହାମାରୀ ଭଳି ବୈଶ୍ୱିକ ସ୍ଥିତିର ମୁକାବିଲା ଦିଗରେ ଭାରତ ଯେଉଁ ସାମର୍ଥ୍ୟ ପ୍ରଦର୍ଶନ କରିଛି ତାହା ଭାରତର ସୁଖ୍ୟାତିକୁ ବିଶ୍ୱ ଦରବାରରେ ପ୍ରତିଷ୍ଠା କରିପାରିଛି ।
ଭାରତୀୟ ଭାବେ ଆମେ କେବଳ ଏହି ବୈଶ୍ୱିକ ଆହ୍ୱାନର ସାମ୍ନା କରିନାହୁଁ ବରଂ ଆମ ଉଦ୍ୟମ ଦ୍ୱାରା ଆମେ ବିଶ୍ୱରେ ଏକ ମାନକ ପ୍ରତିଷ୍ଠା କରିଛୁ ।
ଏଇମାତ୍ର କିଛି ଦିନ ଆଗରୁ ଭାରତ ୨୦୦ କୋଟି କରୋନା ଟୀକା ପ୍ରଦାନ କରି ଏକ ରେକର୍ଡ ସ୍ଥାପନ କରିଛି ।
ଯେଉଁ ଧୈର୍ଯ୍ୟ, ସାହସ ଓ ସହଯୋଗ ଭାରତବାସୀ ଏହି ସମୂହ ସଂଗ୍ରାମରେ ପ୍ରଦର୍ଶନ କରିଛନ୍ତି ତାହା ଆମର କ୍ରମବର୍ଦ୍ଧିଷ୍ଣୁ ଶକ୍ତି ଓ ସମ୍ବେଦନଶୀଳ ସମାଜର ପ୍ରତୀକ କହିଲେ ଅତ୍ୟୁକ୍ତି ହେବନାହିଁ ।
ଏଭଳି କଠିନ ପରିସ୍ଥିତିରେ ଭାରତ କେବଳ ନିଜର ଯତ୍ନ ନେଇନାହିଁ ବରଂ ବିଶ୍ୱକୁ ସାହାଯ୍ୟ କରିଛି । କରୋନା ବୈଶ୍ୱିକ ମହାମାରୀ ଯୋଗୁଁ ଯେଉଁଭଳି ବାତାବରଣ ସୃଷ୍ଟି ହେଲା, ଆଜି ବିଶ୍ୱ ଭାରତକୁ ନୂତନ ଆତ୍ମବିଶ୍ୱାସର ସହ ଦେଖୁଛି ।
ବୈଶ୍ୱିକ ଆର୍ଥିକ ସ୍ଥିରତା, ଯୋଗାଣ ବ୍ୟବସ୍ଥା ସୁପରିଚାଳନା ଓ ଶାନ୍ତି ନିମନ୍ତେ ଆଜି ଆନ୍ତର୍ଜାତିକ ସମୁଦାୟର ଭାରତ ଉପରେ ଉଚ୍ଚ ଆଶା ରହିଛି ।
ଭାରତ ନିଜର ଅଧ୍ୟକ୍ଷତାରେ ଆଗାମୀ ମାସରେ ଜି-୨୦ ଗ୍ରୁପ ସମ୍ମିଳନୀ ଆୟୋଜନ କରିବାକୁ ଯାଉଛି ।
ଭାରତ ଅଧ୍ୟକ୍ଷତାରେ ଏଥିରେ ଥିବା ବିଶ୍ୱର ୨୦ଟି ଦେଶ ବୈଶ୍ୱିକ ସମସ୍ୟା ନେଇ ବିସ୍ତୃତ ଆଲୋଚନା କରିବେ ।
ଭାରତରେ ଏହି ଆଲୋଚନା ଯୋଗୁଁ ଯେଉଁ ଉପସଂହାରରେ ସେମାନେ ଉପନୀତ ହେବେ ତାହା ଆଗାମୀ ଦଶନ୍ଧି ନିମନ୍ତେ ବିଭିନ୍ନ ସମସ୍ୟାର ଦିଗ ନିର୍ଦ୍ଧାରଣ କରିବ ।

ଭଦ୍ରବ୍ୟକ୍ତି ଓ ଭଦ୍ର ମହିଳାଗଣ
ଏକ ଦଶନ୍ଧି ଆଗରୁ ରାଇରଙ୍ଗପୁରର ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ମତେ ଜଣେ ଶିକ୍ଷକ ହିସାବରେ କାର୍ଯ୍ୟ କରିବାର ସୁଯୋଗ ମିଳିଥିଲା ।
ଅଳ୍ପକିଛି ଦିନ ପରେ ଆମେ ଶ୍ରୀ ଅରବିନ୍ଦଙ୍କ ୧୫୦ ତମ ଜନ୍ମବାର୍ଷିକୀ ପାଳନ କରିବା ।
ଶ୍ରୀ ଅରବିନ୍ଦଙ୍କ ଶିକ୍ଷା ଦର୍ଶନ ମତେ ଉତ୍ସାହିତ କରିଛି ।
ଶିକ୍ଷା ଅନୁଷ୍ଠାନ ଗୁଡିକ ସହ ମୋର ସକ୍ରିୟ ସହଯୋଗ ରହିଛି ।
ବିଭିନ୍ନ ପଦପଦବୀରେ ଜନ ପ୍ରତିନିଧି ଭାବେ ଓ ପରେ ରାଜ୍ୟପାଳ ଭାବେ ଶିକ୍ଷାନୁଷ୍ଠାନ ଗୁଡ଼ିକ ସହ କାର୍ଯ୍ୟ କରିଛି ।
ମୁଁ ଦେଶର ଯୁବଶକ୍ତିର ଉତ୍ସାହ ଓ ଆତ୍ମବିଶ୍ୱାସକୁ ଅତି ନିକଟରୁ ଅନୁଭବ କରିଛି ।
ଆମର ଆଦରଣୀୟ ଅଟଳଜୀ କହିଥିଲେ ଯେତେବେଳେ ଦେଶର ଯୁବଶକ୍ତି ଉନ୍ନତି କରେ ସେମାନେ କେବଳ ନିଜର ଭାଗ୍ୟ ନିର୍ମାଣ କରିନ୍ତି ନାହିଁ ବରଂ ଦେଶର ଭାଗ୍ୟରେ ମଧ୍ୟ ପରିବର୍ତ୍ତନ ଆଣିଥାନ୍ତି । ଆଜି ଏହା ସତ ହେଉଥିବା ଆମେ ଲକ୍ଷ୍ୟ କରୁଛୁ ।
ଭାରତ ପ୍ରତ୍ୟେକ କ୍ଷେତ୍ରରେ ଆଗୁଆ ରହିଛି । “ଭୋକାଲ ଫର ଲୋକାଲ ଠାରୁ ଡିଜିଟାଲ ଇଣ୍ଡିଆ” ପର୍ଯ୍ୟନ୍ତ ଆଜିର ଭାରତ ବିଶ୍ୱସହ ପାଦ ମିଳାଇ ଚାଲୁଛି ଓ ଶିଳ୍ପବିପ୍ଳବ ଫୋର ପଏଣ୍ଟ ଜିରୋ ସହ ସମକକ୍ଷ ହେବାକୁ ଯାଉଛି ।
ଭାରତୀୟ ଯୁବସମାଜ ରେକର୍ଡ ସଂଖ୍ୟକ ଷ୍ଟାର୍ଟଅପ୍ସ ସହ ଅନେକ ନବୋନ୍ମୋଷ ଓ ଦୂରଦୂରାନ୍ତରେ ଡିଜିଟାଲ ବୈଷୟିକ ଜ୍ଞାନ ପ୍ରସାରରେ ରେକର୍ଡ ସୃଷ୍ଟି କରୁଛନ୍ତି ।
ମହିଳା ସଶକ୍ତିକରଣ ଦିଗରେ ପ୍ରଣୀତ ନୀତି ଓ ନିଆଯାଉଥିବା ନିଷ୍ପତ୍ତି ଯୋଗୁଁ ଗତ କିଛି ବର୍ଷ ମଧ୍ୟରେ ଦେଶରେ ଏକ ନୂତନ ଶକ୍ତିର ସଞ୍ଚାର ହୋଇଛି ।
ମୁଁ ଚାହେଁ ଆମର ସମସ୍ତ ଭଉଣୀ ଓ ଝିଅମାନେ ଅଧିକରୁ ଅଧିକ ସଶକ୍ତ ହେଲେ ସେମାନେ ଦେଶ ଗଠନର ସବୁ କ୍ଷେତ୍ରରେ ଅବଦାନ ଦେଇପାରିବେ ।
ମୁଁ ଆମ ଦେଶର ଯୁବପୀଢ଼ିକୁ କହିବାକୁ ଚାହେଁ ଯେ ତୁମେମାନେ କେବଳ ନିଜର ଭବିଷ୍ୟତ ଗଠନ କରୁନାହଁ, ବରଂ ଦେଶ ଭବିଷ୍ୟତ ଗଠନର ମୂଳଦୂଆ ସ୍ଥାପନ କରୁଛି ।
ଦେଶର ରାଷ୍ଟ୍ରପତି ଭାବେ ମୁଁ ସଦାସର୍ବଦା ଆପଣମାନଙ୍କୁ ସହଯୋଗ କରିବି ।
ଭଦ୍ରବ୍ୟକ୍ତି ଓ ଭଦ୍ର ମହିଳାଗଣ
ଅଭିବୃଦ୍ଧି ଓ ଅଗ୍ରଗତି ଅର୍ଥ ହେଲା ସବୁବେଳେ ଆଗକୁ ଆଗକୁ ଯିବା । ମାତ୍ର ଅତୀତ ସମ୍ପର୍କରେ ସଚେତନତା ସବୁବେଳେ ସମାନ ଭାବେ ଗୁରୁତ୍ୱପୂର୍ଣ୍ଣ ।
ଆଜି ଯେତେବେଳେ ବିଶ୍ୱ ଦୀର୍ଘସ୍ଥାୟୀ ଓ ନିରନ୍ତର ପୃଥିବୀ ଉପରେ କହୁଛି ସେତେବେଳେ ଭାରତୀୟ ପ୍ରାଚୀନ ପରମ୍ପରା ଓ ଜୀବନଚର୍ଯ୍ୟା ଖୁବ ଗୁରୁତ୍ୱପୂର୍ଣ୍ଣ ମନେହୁଏ ।
ମୁଁ ସେହି ଆଦିବାସୀ ପରମ୍ପରାରେ ଜନ୍ମ ହୋଇଛି ଯାହା ହଜାର ହଜାର ବର୍ଷ ଧରି ପ୍ରକୃତି ସହ ସହାବସ୍ଥାନ କରି ଆସିଛି ।
ମୁଁ ଜଙ୍ଗଲ ଓ ଜଳଉତ୍ସ ଗୁଡିକର ଗୁରୁତ୍ୱ କଣ ମୋ ଜୀବନରେ ବୁଝିଛି ।
ଆମେ ଦରକାରୀ ସମ୍ବଳ ପ୍ରକୃତିରୁ ନେଉ ଓ ସମ ପରିମାଣରେ ପ୍ରକୃତି ଉପାସନା କରୁ ।
ଏହି ସମ୍ବେଦନଶୀଳତା ଆଜି ବିଶ୍ୱ ପାଇଁ ଅତ୍ୟାବଶ୍ୟକ ହୋଇପଡିଛି ।
ମୁଁ ଖୁସି ଯେ ଭାରତ ବିଶ୍ୱକୁ ପରିବେଶ ସୁରକ୍ଷା ଉପରେ ମାର୍ଗଦର୍ଶନ ଦେଉଛି ।

ଭଦ୍ରବ୍ୟକ୍ତି ଓ ଭଦ୍ର ମହିଳାଗଣ
ଆଜି ପର୍ଯ୍ୟନ୍ତ ମୁଁ ମୋ ଜୀବନରେ ଜୀବନକୁ ଜନସେବା ମାଧ୍ୟମରେ ଜାଣିଛି ।
ଶ୍ରୀ ଜଗନ୍ନାଥ କ୍ଷେତ୍ରରେ ପ୍ରସିଦ୍ଧ କବି ଭୀମଭୋଇଙ୍କ ଏକ କବିତା ଅଛି “ମୋ ଜୀବନ ପଛେ ନର୍କେ ପଡିଥାଉ, ଜଗତ ଉଦ୍ଧାର ହେଉ ।”
ନିଜ ସ୍ୱାର୍ଥଠାରୁ ଜଗତ କଲ୍ୟାଣ କାହିଁ କେତେ ଗୁଣରେ ମହାନ ।
ବିଶ୍ୱ କଲ୍ୟାଣର ଏହି ଉତ୍ସାହ ସହ ମୁଁ ଆପଣମାନଙ୍କ ଆସ୍ଥା ଭାଜନ ହୋଇ ସମ୍ପୂର୍ଣ୍ଣ ଉତ୍ସାହୀ ଓ କର୍ତ୍ତବ୍ୟ ପରାୟଣ ହୋଇ କାର୍ଯ୍ୟ କରିବି ।
ଆସନ୍ତୁ ଆମେ ସମସ୍ତେ ଏକାଠି ହୋଇ ଉତ୍ସର୍ଗୀକୃତ ମନୋଭାବ ସହ କର୍ତ୍ତବ୍ୟ ପଥରେ ଆଗେଇ ଏକ ଗୌରବମୟ ଓ ଆତ୍ମନିର୍ଭର ଭାରତ ଗଠନ କରିବା ।
ଧନ୍ୟବାଦ
ଜୟହିନ୍ଦ !

ସମ୍ବନ୍ଧିତ ଖବର