ନୂଆଦିଲ୍ଲୀ: ୭୨ତମ ସାଧାରଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ ଆଜି ସନ୍ଧ୍ୟାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଦେଶର ସାମିଧାନିକ ମୂଲ୍ୟବୋଧକୁ ବଜାୟ ରଖିବା ପାଇଁ ରାଷ୍ଟ୍ରପତି ଏହି ଅବସରରେ ଦେଶବାସୀଙ୍କୁ ଆହ୍ବାନ ଦେଇଛନ୍ତି। ଏଥିସହିତ ଦେଶ ପାଇଁ ଗୁରୁତ୍ବପୂର୍ଣ୍ଣ ଅବଦାନ ରଖିଥିବାରୁ ରାଷ୍ଟ୍ରପତି ଦେଶ ପକ୍ଷରୁ କୃଷକ, ଯବାନ ଏବଂ ବୈଜ୍ଞାନିକମାନଙ୍କୁ ସାଧାରଣତନ୍ତ୍ର ଦିବସ ପରିପ୍ରେକ୍ଷୀରେ ସ୍ବତନ୍ତ୍ର ଭାବେ ପ୍ରଶଂସା କରିବା ସହି ଅଭିନନ୍ଦନ ଜଣାଇଛନ୍ତି। ବୈଜ୍ଞାନିକମାନେ ଆମ ଜୀବନକୁ ସହଜ କରିଛନ୍ତି। ଖୁବ୍ କମ ସମୟ ମଧ୍ୟରେ ବୈଜ୍ଞାନିକମାନେ କରୋନା ଟିକା ବିକାଶ କରି ଦେଶରେ ଏହି ମହାମାରୀକୁ ରୋକିବାରେ ଏବଂ ମୃତ୍ୟୁହାରକୁ କମାଇବାରେ ସମର୍ଥ ହୋଇଛନ୍ତି। ବୈଜ୍ଞାନିକଙ୍କ ସମେତ ଡାକ୍ତର, ପ୍ରଶାସକ ଏବଂ ଅନ୍ୟମାନେ କରୋନା ମହାମାରୀକୁ ନିୟନ୍ତ୍ରଣ କରିବାରେ ଗୁରୁତ୍ବପୂର୍ଣ୍ଣ ଯୋଗଦାନ ରଖିଛନ୍ତି। କରୋନା ମହାମାରୀକୁ ମୁକାବିଲା କରିବାରେ ସମ୍ମୁଖ ଭାଗ ଯୋଦ୍ଧା ଏବଂ ସ୍ବାସ୍ଥ୍ୟକର୍ମୀମାନେ ସ୍ବତନ୍ତ୍ରଭାବେ ପ୍ରଶଂସାର ପାତ୍ର ବୋଲି ରାଷ୍ଟ୍ରପତି କହିଛନ୍ତି। ଦେଶପ୍ରତି ଏହା ଏକ ଅସାଧାରଣ ଯୋଗଦାନ ବୋଲି ସେ କହିଛନ୍ତି।
ସବୁ ପ୍ରକାର ପ୍ରତିକୂଳ ପରିସ୍ଥିତି ସତ୍ତ୍ବେ କୃଷକମାନେ ଭାରତକୁ ଖାଦ୍ୟଶସ୍ୟ କ୍ଷେତ୍ରରେ ଆତ୍ମନିର୍ଭରଶୀଳ କରିପାରିଛନ୍ତି। ତେଣୁ ସମଗ୍ର ଦେଶ ଏବଂ ସରକାର କୃଷକଙ୍କ ମଙ୍ଗଳ ପାଇଁ ପ୍ରତିବଦ୍ଧ ବୋଲି ରାଷ୍ଟ୍ରପତି କହିଛନ୍ତି। ବିଭିନ୍ନ ଦିଗରୁ ବିଗତ ବର୍ଷ ଭାରତ ପାଇଁ ଅତ୍ୟନ୍ତ ପ୍ରତିକୂଳ ରହିଥିଲା। ସୀମାରେ ଆମେ ବିସ୍ତାରବାଦୀ କାର୍ଯ୍ୟର ସାମ୍ନା କରିଥିଲୁ। କିନ୍ତୁ ଆମର ବୀର ଯବାନମାନେ ଏହାକୁ ପଣ୍ଡ କରିଦେଇଛନ୍ତି। ଅବଶ୍ୟ ଏଥିରେ ଆମର ୨୦ ଜଣ ଯବାନ ଶହୀଦ ହୋଇଛନ୍ତି। ଦେଶ ଏହି ବୀର ଯବାନଙ୍କ ନିକଟରେ କୃତଜ୍ଞ ବୋଲି ରାଷ୍ଟ୍ରପତି କହିଛନ୍ତି। ଲଦାଖ ଉପତ୍ୟକାରେ ଆମର ସେନା ବିଯୁକ୍ତ ୫୦ ଡିଗ୍ରିରେ ଏବଂ ରାଜସ୍ଥାନର ଜୟସାଲମେରରେ ୫୦ ଡିଗ୍ରି ତାତିରେ ଦେଶ ପାଇଁ ସତର୍କ ପ୍ରହରୀ ଭାବେ ପ୍ରତି ମୁହୂର୍ତ୍ତରେ କାର୍ଯ୍ୟ କରୁଛନ୍ତି ବୋଲି ରାଷ୍ଟ୍ରପତି କହିଛନ୍ତି। ଦେଶର ଅର୍ଥନୀତିରେ ଦ୍ରୁତ ସୁଧାର ଆସିଛି। ପର୍ଯ୍ୟାୟକ୍ରମେ କାର୍ଯ୍ୟକାରୀ କରାଯାଇଥିବା ଅନ୍ଲକିଂ ପ୍ରକ୍ରିୟା ଅର୍ଥନୀତି ପାଇଁ ହିତକାରୀ ସାବ୍ୟସ୍ତ ହୋଇଛି। ସରକାରଙ୍କ ଆତ୍ମନିର୍ଭର ଯୋଜନା ଏକ ଗଣ ଆନ୍ଦୋଳନରେ ପରିଣତ ହୋଇଛି। ବିଶ୍ବରେ ଭାରତ ଏକ ଶକ୍ତିଶାଳୀ ରାଷ୍ଟ୍ର ଭାବେ ପରିଗଣିତ ହେଉଛି। ଦେଶବାସୀ ବୋଲି ରାଷ୍ଟ୍ରପତି କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/president.jpg)