‘ସେଙ୍ଗୋଲ’ ହସ୍ତାନ୍ତର କଲେ ଅଧୀନମ ମହନ୍ତ

ନୂଆ ସଂସଦ ଭବନ ଉଦ୍‌ଘାଟନ ଆଜି

ନୂଆଦିଲ୍ଲୀ: ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ନୂତନ ସଂସଦ ଭବନ ଉଦ୍‌ଘାଟନ ହେବାକୁ ଯାଉଛି। ଉଦ୍‌ଘାଟନ ପୂର୍ବରୁ ଆଜି ସନ୍ଧ୍ୟାରେ ତାମିଲନାଡ଼ୁର ଅଧୀନମ ମଠ ମହନ୍ତ ପ୍ରଧାନମନ୍ତ୍ରୀଙ୍କୁ ‘ସେଙ୍ଗୋଲ’(ରାଜଦଣ୍ଡ) ହସ୍ତାନ୍ତର କରିଛନ୍ତି। ଅଧୀନମ ମହନ୍ତ ବୈଦିକ ମନ୍ତ୍ରୋଚାରଣ ସହିତ ଏହି ସାଂସ୍କୃତିକ ଐତିହ୍ୟକୁ ହସ୍ତାନ୍ତର କରିଥିଲେ। ଏହି ପରମ୍ପରା ନିର୍ବାହ ସମୟରେ ୨୧ ଜଣ ମହନ୍ତ ଉପସ୍ଥିତ ଥିଲେ। ସେଙ୍ଗୋଲ ହସ୍ତାନ୍ତର ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କୁ ସ୍ବତନ୍ତ୍ର ଅଙ୍ଗବସ୍ତ୍ର ଦିଆଯାଇଥିଲା ଏବଂ ଏହାପରେ ବୈଦିକ ରୀତି ଅନୁସାରେ ସେଙ୍ଗୋଲ ଅର୍ପଣ କରାଯାଇଥିଲା। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ। ୫ ଫୁଟ ଲମ୍ବା ଏହି ସେଙ୍ଗୋଲ ରୂପାରେ ତିଆରି ହୋଇଛି ଏବଂ ଏହା ଉପରେ ସୁନାର ଆସ୍ତରଣ ଦିଆଯାଇଛି।

ରବିବାର ଏହା ନୂଆ ସଂସଦ ଭବନରେ ସ୍ଥାପିତ ହେବ। ନୂଆ ସଂସଦ ଭବନ ଉଦ୍‌ଘାଟନ ପୂର୍ବରୁ ଆଜି ସକାଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଭବନର ପ୍ରଥମ ଫଟୋ ପୋଷ୍ଟ କରାଯାଇଛି, ଯେଉଁଥିରୁ ଲୋକସଭା, ରାଜ୍ୟସଭା ଓ ମଝି ଅଗଣାର ଦୃଶ୍ୟ ଦେଖିବାକୁ ମିଳୁଛି। ଫଟୋରୁ ଦେଖିବାକୁ ମିଳୁଛି, ନୂତନ ଭବନଟି ପୁରୁଣା ଅପେକ୍ଷା ଯଥେଷ୍ଟ ବଡ଼ ଓ ସୁନ୍ଦର। ପୁରୁଣା ଭବନ ପାଖରେ ୬୫,୦୦୦ ବର୍ଗମିଟର କ୍ଷେତ୍ର ଉପରେ ଏହା ନିର୍ମିତ ହୋଇଛି। ଟାଟା ପ୍ରୋଜେକ୍ଟସ ଲିମିଟେଡ୍ ଦ୍ବାରା ଏହା ନିର୍ମିତ ହୋଇଛି। ଏଥିରେ ବିରାଟ କନଷ୍ଟିଚ୍ୟୁସନ ହଲ୍ ଅଛି, ଯାହା ଭାରତୀୟ ଗଣତାନ୍ତ୍ରିକ ଐତିହ୍ୟକୁ ପ୍ରଦର୍ଶନ କରୁଛି। ସାଂସଦମାନଙ୍କ ପାଇଁ ଏକ ବିରାଟ ଲାଉଞ୍ଜ (ବସିବା ସ୍ଥାନ), ଏକ ଲାଇବ୍ରେରି, ଅନେକ କମିଟି ପ୍ରକୋଷ୍ଠ, ଡାଇନିଂ ଏରିଆ ଓ ବିରାଟ ପାର୍କିଂ ସ୍ଥାନ ରହିଛି।

ନୂତନ ସଂସଦ ଭବନରେ ଥିବା କାର୍ଯ୍ୟାଳୟଗୁଡ଼ିକ ସୁରକ୍ଷିତ, ଦକ୍ଷ ଓ ଆଧୁନିକ ଯୋଗାଯୋଗ ବ୍ୟବସ୍ଥାସମ୍ପନ୍ନ ହୋଇଛି। ଏହି ଚାରିମହଲା କୋଠାରେ ୧,୨୦୦ ଏମ୍‌ପି ବସିପାରିବେ। ଜାତୀୟ ପକ୍ଷୀ ମୟୂରର ଥିମ୍‌କୁ ନେଇ ଲୋକସଭା ନିର୍ମିତ ହୋଇଛି, ଯାହା ପୂର୍ବାପେକ୍ଷା ତିନିଗୁଣ ବଡ଼ ଓ ଏଥିରେ ୮୮୮ଟି ଆସନ ରହିଛି। ସେହିପରି ଜାତୀୟ ଫୁଲ ପଦ୍ମର ଥିମ୍‌କୁ ନେଇ ରାଜ୍ୟସଭା ନିର୍ମିତ ହୋଇଛି, ଯେଉଁଥିରେ ୩୮୪ ଜଣ ଲୋକ ବସିପାରିବେ। ସରକାରଙ୍କ କହିବା ଅନୁସାରେ, ପରିବେଶ ସୁରକ୍ଷା ପ୍ରତି ଭାରତର ପ୍ରତିବଦ୍ଧତା ନୂତନ ସଂସଦ ଭବନରେ ପ୍ରତିଫଳିତ ହୋଇଛି।

ସମ୍ବନ୍ଧିତ ଖବର