କଂଗ୍ରେସକୁ ଅକଳରେ ପକାଇଲେ ଅଧୀର

ନୂଆଦିଲ୍ଲୀ: ଲୋକସଭାରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ଆଜି ତାଙ୍କ ଦଳକୁ ଅଡ଼ୁଆରେ‌ ପକାଇଛନ୍ତି। ଅଧୀରଙ୍କ ମନ୍ତବ୍ୟ କଂଗ୍ରେସ ନେତା ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କୁ କ୍ଷୁବ୍ଧ କରିଛି। ଜମ୍ମୁ କଶ୍ମୀର ଉପରେ ସରକାର ନେଇଥିବା ନିଷ୍ପତ୍ତି ସମ୍ପର୍କରେ ଆଜି ଲୋକସଭାରେ କଂଗ୍ରେସ ନେତା ଶ୍ରୀ ‌ଚୌଧୁରୀ ବକ୍ତବ୍ୟ ରଖି କହିଥିଲେ, ଜମ୍ମୁ କଶ୍ମୀର ଏକ ଆଭ୍ୟନ୍ତରୀଣ ମାମଲା ନୁହେଁ। ମୋର ଏଥିରେ ସନ୍ଦେହ ଅଛି। ଗୃହମନ୍ତ୍ରୀ କହୁଛନ୍ତି ଜମ୍ମୁ କଶ୍ମୀର ଭାରତର ଆଭ୍ୟନ୍ତରୀଣ ବ୍ୟାପାର। ତେଣୁ ତୁମେ ଏହି ରାଜ୍ୟକୁ ଦୁଇ ଭାଗ କରି ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ କରି‌ଛ। ତେବେ ୧୯୪୮ ମସିହାରୁ ଜମ୍ମୁ କଶ୍ମୀରକୁ ଜାତିସଂଘ ଅନୁଧ୍ୟାନ କରିଆସୁଛି। ତେଣୁ ତାହା କ’ଣ ଆଭ୍ୟନ୍ତରୀଣ ମାମଲା? ଆମେ ସିମ୍‌ଲା ରାଜିନାମା ଏବଂ ‌ଲାହୋର ଘୋଷଣାନାମାରେ ଦସ୍ତଖତ କରିଛେ। ତାହା କଣ ଆଭ୍ୟନ୍ତରୀଣ ମାମଲା ନା ଦ୍ବିପକ୍ଷାପିକ ବ୍ୟାପାର ବୋଲି ଅଧୀର ପ୍ରଶ୍ନ କରିଥିଲେ। କିଛିଦିନ ପୂର୍ବେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଏବଂ ଆମେରିକାର ବିଦେଶ ସଚିବ ମାଇକ ପମ୍ପିଓଙ୍କ ମଧ୍ୟ‌ରେ ଆଲୋଚନା କଶ୍ମୀରକୁ ଦ୍ବିପାକ୍ଷିକ ମାମଲା ବୋଲି ଜୟଶଙ୍କର କହିଥିଲେ ବୋଲି ସେ ମନେ ପକାଇ ଦେଇଥିଲେ। ସେହି ସମୟରେ ଅଧୀରଙ୍କ ନିକଟରେ ବସି ଥିବା ସୋନିଆ ଗାନ୍ଧୀ ଅଧୀରଙ୍କ ମନ୍ତବ୍ୟ ଶୁଣି ସୋନିଆ ଚକିତ ହୋଇଯାଇଥିଲେ। ତାଙ୍କ ପଛ ଧାଡ଼ିରେ ବସିଥିବା ପୁଅ ରାହୁଲଙ୍କୁ ଅନାଇ ତାଙ୍କର ବିରକ୍ତି ଭାବ ପ୍ରକାଶ କରିଥିଲେ। ଚୌଧୁରୀଙ୍କ ମନ୍ତବ୍ୟ ପରେ ଶାସକ ବିଜେପି ସଦସ୍ୟମାନେ ଲଜ୍ଜା, ଲଜ୍ଜା ବୋଲି କହିଥିଲେ। ଏହାପରେ ଅଧୀର କହିଥିଲେ ଆପଣମାନେ ମୋତେ ଭୁଲ ବୁଝିଛନ୍ତି। ଏ ନେଇ ମୁଁ ଆପଣଙ୍କ ଠାରୁ ଜାଣିବାକୁ ଚାହୁଥିଲି। କଂଗ୍ରେସ ଦଳ ମଧ୍ୟ ଏ ସମ୍ପର୍କରେ ଜାଣିବାକୁ ଚାହୁଥିଲା ବୋଲି ଅଧୀର କହିଥିଲେ। ଏତଦବ୍ୟତୀତ ୧୯୯୪ରେ ପାକ୍ ଅଧୀକୃତ କଶ୍ମୀର (ପିଓକେ)କୁ ଫେରାଇ ଆଣିବା ନେଇ ଯେଉଁ ସଙ୍କଳ୍ପନାମା ହୋଇଥିଲା ସେ ନେଇ ମଧ୍ୟ ଅଧୀର ପ୍ରଶ୍ନ ଉଠାଇଥିଲେ।

ସମ୍ବନ୍ଧିତ ଖବର