‘ରାଷ୍ଟ୍ରପତ୍ନୀ’ କହିଥିଲେ ଅଧୀର ରଞ୍ଜନ, ରାଷ୍ଟ୍ରପତି ମୁର୍ମୁଙ୍କୁ କ୍ଷମା ମାଗି ଚିଠି ଲେଖିଲେ‌…

ନୂଆଦିଲ୍ଲୀ: ଦେଶର ନବନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତ୍ନୀ କହି ବିବାଦରେ ଛନ୍ଦି ହୋଇଛନ୍ତି କଗ୍ରେସ ସାଂସଦ ଅଧୀର ରଂଜନ ଚୌଧୁରୀ। ଗତକାଲି ଅଧୀର ଏକ ଗଣମାଧ୍ୟମକୁ ବୟାନ ଦେଇ କହିଥିଲେ-‘ଆମେ ରାଷ୍ଟ୍ରପତିଙ୍କ ନିକଟକୁ ଯିବୁ, ଭାରତର ରାଷ୍ଟ୍ରପତି, ନା ରାଷ୍ଟ୍ରପତ୍ନୀ, ସମସ୍ତଙ୍କ ପାଇଁ।’ ତାଙ୍କର ଏଭଳି ବୟାନକୁ ନେଇ ବିରୋଧୀ ଅଧୀରଙ୍କୁ କଡ଼ା ସମାଲୋଚନା କରିଥିଲେ। ଏବେ ସମାଲୋଚନାର ଶିକାର ହେବାରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଚିଠି ଲେଖି କ୍ଷମା ମାଗିଛନ୍ତି ଅଧୀର ରଂଜନ।

अधीर रंजन चौधरी का पत्र
aajtak

ଚିଠିରେ ସେ ଲେଖିଛନ୍ତି ଯେ, ମୁଁ ଆପଣଙ୍କ ପଦ ବିଷୟରେ କହିବାକୁ ଯାଇ ଏକ ଅନୁପଯୁକ୍ତ ଶବ୍ଦ ବ୍ୟବହାର କରିଥିଲି। ସେଥିପାଇଁ ମୁଁ ଦୁଃଖିତ। ମୁଁ ଆପଣଙ୍କୁ ନିଶ୍ଚିତ କରୁଛି ଯେ, ଶବ୍ଦଟି ମୋ ପାଟିରୁ ଖସିଯାଇଥିଲା। ମୁଁ ଏଥିପାଇଁ କ୍ଷମା ମାଗୁଛି ଏବଂ ଆଶା କରୁଛି ଆପଣ ମୋତେ କ୍ଷମା କରିବେ।

ପୂର୍ବରୁ ବିଭିନ୍ନ ମହଲରୁ ଏଥିପାଇଁ ଅଧୀରଙ୍କୁ କଡ଼ା ନିନ୍ଦା କରାଯିବା ସହ ବିଜେପି ଏହି ପ୍ରସଙ୍ଗରେ ସୋନିଆ ଗାନ୍ଧୀଙ୍କୁ କ୍ଷମା ମାଗିବାକୁ ଦାବି କରିଥିଲା। ଏହା ଶୁଣି ଅଧୀର ରଞ୍ଜନ ଚୌଧୁରୀ କହିଥିଲେ, ସେ ତାଙ୍କ ଭୁଲ୍‌ ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ବ୍ୟକ୍ତିଗତ ଭାବେ ଭେଟିବେ ଏବଂ କ୍ଷମା ମାଗିବେ। ଠକମାନଙ୍କୁ ସେ କ୍ଷମା ମାଗିବେନି ବୋଲି କହିଥିଲେ।

ଏହା ସହ ସେ କହିଥିଲେ, ରାଷ୍ଟ୍ରପତିଙ୍କୁ ଅପମାନିତ କରିବା ଉଦ୍ଦେଶ୍ୟରେ ମୁଁ କିଛି କହିନାହିଁ କି ରାଷ୍ଟ୍ରପତିଙ୍କୁ ଅସମ୍ମାନ କରିବା ମୋର ଉଦ୍ଦେଶ୍ୟ ନଥିଲା। ଏଭଳି ଭୁଲ୍‌ କରିବାପରେ ଏହି ଭିଡିଓ ପ୍ରସାରଣ ନକରିବାପାଇଁ ମୁଁ ସାମ୍ବାଦିକମାନଙ୍କୁ ଅନୁରୋଧ କରିବାକୁ ଚାହୁଥିଲି, କିନ୍ତୁ ସେମାନଙ୍କୁ ମୁଁ ପାଇନଥିଲି। ବି‌ଜେପି ତିଳକୁ ତାଳ କରୁଛି। ମୁଁ କ’ଣ କରିପାରିବି। ମୁଁ ଜାଣିଛି ମୁଁ ଭୁଲ୍‌ କହିଦେଇଛି।

ସମ୍ବନ୍ଧିତ ଖବର