ନୂଆଦିଲ୍ଲୀ : ଲୋକସଭାରେ ଆଜି ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ସମୟରେ ଅଶୋଭନୀୟ ଆଚରଣ ପାଇଁ ବିରୋଧୀ ଦଳ ନେତା ଅଧୀର ରଂଜନ ଚୌଧୁରୀଙ୍କୁ ଗୃହରୁ ନିଲମ୍ବନ କରାଯାଇଛି। ସ୍ବାଧୀକାର କମିଟି ଅଧୀରଙ୍କ ଆଚରଣ ଉପରେ ନିଷ୍ପତ୍ତି ନେବା ପର୍ଯ୍ୟନ୍ତ ଅଧୀର ଗୃହରୁ ନିଲମ୍ବିତ ହେବେ। ଲୋକସଭାରେ ଆଜି ଏନେଇ ଏକ ପ୍ରସ୍ତାବ ଗୃହୀତ ହୋଇଛି। ଅନାସ୍ଥା ଭାଷଣ ସମୟରେ ଅଧୀର ରଂଜନ ଚୌଧୁରୀ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଦେଇଥିବା ଟିପ୍ପଣୀ ପାଇଁ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ତାଙ୍କଠାରୁ କ୍ଷମା ଦାବି କରିଥିଲେ। କିନ୍ତୁ ଚୌଧୁରୀ କ୍ଷମା ମାଗିନଥିଲେ। ଏହାପରେ ମନ୍ତ୍ରୀ ଅଧୀରଙ୍କୁ ନିଲମ୍ବନ କରିବାପାଇଁ ଏକ ପ୍ରସ୍ତାବ ଆଣିଥିଲେ ଏବଂ ଏହି ପ୍ରସ୍ତାବ ବାଚନିକ ଭୋଟ୍‌ରେ ଗୃହୀତ ହୋଇଛି।

Advertisment

ଉଲ୍ଲେଖଯୋଗ୍ୟ ଯେ ଅଧୀର ରଂଜନ ଚୌଧୁରୀ ଆଜି ଲୋକସଭାରେ ମୋଦୀଙ୍କୁ କଟାକ୍ଷ କରିଥିଲେ। ମହାଭାରତକୁ ଉଲ୍ଲେଖ କରି ଚୌଧୁରୀ କହିଛନ୍ତି, ହସ୍ତିନାପୁର ହେଉ କି ମଣିପୁର ହେଉ ମହିଳାଙ୍କ ବିରୋଧରେ ଯାହା ଘଟୁଛି ରାଜା ସେଥିପ୍ରତି ଅନ୍ଧ ନହେବା ଉଚିତ। ଚୌଧୁରୀ ମୋଦୀଙ୍କୁ ମହାଭାରତର ଅନ୍ଧ ରାଜା ଧୃତରାଷ୍ଟ୍ରଙ୍କ ସହ ତୁଳନା କରିଛନ୍ତି। ସେ କହିଛନ୍ତି, ଯେତେବେଳେ ଧୃତରାଷ୍ଟ୍ର ଅନ୍ଧ ଥିଲେ ସେ‌ତେବେଳେ ଦ୍ରୌପଦୀଙ୍କ ବସ୍ତ୍ରହରଣ ହୋଇଥିଲା। ଆଜି ବି ରାଜା ଅନ୍ଧ ହୋଇ ବସି ରହିଛନ୍ତି। ମଣିପୁର ଏବଂ ହସ୍ତିନାପୁର ମଧ୍ୟରେ କିଛି ଫରକ୍‌ ନାହିଁ। ମୋଦୀଙ୍କୁ ଚୌଧୁରୀ ପଳାତକ ନିରବ ମୋଦୀ ସହ ତୁଳନା କରିଛନ୍ତି। ଚୌଧୁରୀଙ୍କ ଏହି ଟିପ୍ପଣୀର କଡ଼ା ବିରୋଧ କରିଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଗୃହର ମର୍ଯ୍ୟାଦା ରକ୍ଷା ପାଇଁ ଚୌଧୁରୀଙ୍କୁ ଆକଟ କରିବାପାଇଁ ଶାହ ବାଚସ୍ପତି ଓମ୍‌ ବିର୍ଲାଙ୍କୁ ଅନୁରୋଧ କରିଥିଲେ। ପରେ ବାଚସ୍ପତି ଚୌଧୁରୀଙ୍କ ଟିପ୍ପଣୀକୁ କାଟିଦେବା ସହ ବିଶୃଙ୍ଖଳିତ କାର୍ଯ୍ୟ ପାଇଁ ନିଲମ୍ବନ କରିଥିଲେ।