କଂ‌ଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ନିମନ୍ତ୍ରଣ କରା ନଯିବାରୁ ଟ୍ରମ୍ପଙ୍କ ପାଇଁ ଆୟୋଜିତ ହୋଇଥିବା ରାତ୍ରିଭୋଜନରେ ଯୋଗ ଦେବେ ନାହିଁ କଂଗ୍ରେସ ନେତା ଅଧୀର ରଞ୍ଜନ

ନୂଆଦିଲ୍ଲୀ: ଆସନ୍ତାକାଲି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଆସୁଥିବା ବେଳେ ତାଙ୍କର ଆଗମନକୁ ଆଖି ଆଗରେ ରଖି ବ୍ୟାପକ ବ୍ୟବସ୍ଥା କରାଯାଇଛି। ରହିବା, ଖାଇବାଠାରୁ ଆରମ୍ଭ କରି ବୁଲିବା ପର୍ଯ୍ୟନ୍ତ ସମସ୍ତ ବ୍ୟବସ୍ଥା କରିଛନ୍ତି ଭାରତ ସରକାର। ଏମିତି କି ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପକ୍ଷରୁ ଏକ ରାତ୍ରିଭୋଜନର ଆୟୋଜନ ମଧ୍ୟ କରାଯାଇଛି। ଏହି ରାତ୍ରିଭୋଜନରେ ବିଭିନ୍ନ ଦଳର ନେତାମାନଙ୍କୁ ନିମନ୍ତ୍ରଣ କରାଯାଇଥିବା ବେ‌ଳେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ରାଷ୍ଟ୍ରପତିଙ୍କ ନିମନ୍ତ୍ରଣକୁ ସ୍ବୀକାର କରି ନଥିବା ଜଣା ପଡ଼ିଛି। କଂଗ୍ରେସ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ରାତ୍ରିଭୋଜନରେ ରାଷ୍ଟ୍ରପତି ନିମନ୍ତ୍ରଣ କରି ନଥିବାରୁ ସେ ମଧ୍ୟ ଯୋଗ ଦେବେ ନାହିଁ ବୋଲି ସଫା ସଫା ମନା କରିଦେଇଛନ୍ତି।

ସୂଚନା ମୁତାବକ, ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ଫେବ୍ରୁଆରି ୨୫ରେ ରାଷ୍ଟ୍ରପତି ଭବନରେ ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏକ ରାତ୍ରିଭୋଜନର ଆୟୋଜନ କରିଛନ୍ତି। ଏ ନେଇ ସବୁ ଦଳର ନେତାଙ୍କୁ ନିମନ୍ତ୍ରଣ କରାଯାଇଥିବା ବେଳେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ରାତ୍ରିଭୋଜନରେ ଯୋଗ ଦେବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ଏହି ରାତ୍ରିଭୋଜନରେ କଂଗ୍ରେସ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ନିମନ୍ତ୍ରଣ କରାଯାଇ ନାହିଁ। ଏଭଳି ପରିସ୍ଥିତିରେ ମୁଁ କିଭଳି ଯୋଗ ଦେଇ ପାରିବି ବୋଲି କହିଛନ୍ତି ଅଧୀର ରଞ୍ଜନ ଚୌଧୁରୀ।

Image result for adhir-ranjan
DNA India

ତାଙ୍କ କହିବା ମୁତାବକ, ରାଷ୍ଟ୍ରପତି ଟ୍ରମ୍ପ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶ୍ବର ଦୁଇଟି ବଡ଼ ଲୋକତନ୍ତ୍ରର ପ୍ରତିନିଧିତ୍ବ କରୁଛନ୍ତି। ଲୋକତନ୍ତ୍ରରେ ଅନେକ ମୁଖ୍ୟ ଜିନିଷ ରହିଛି। ସେଥି ମଧ୍ୟରୁ ଦୁଇଟି ମୁଖ୍ୟ ଜିନିଷ ହେଉଛି, ଶାଳିନତା ଏବଂ ଶିଷ୍ଟାଚାର। ଯେତେବେଳେ ମୋଦୀଜୀ ଆମେରିକା ଯାଇଥିଲେ, ସେତେବେଳେ ମଞ୍ଚ ଉପରେ ବିରୋଧୀ ଦଳ ମଧ୍ୟ ରହିଥିଲା। କିନ୍ତୁ ଏଠାରେ ମୋଦୀଙ୍କ ଶବ୍ଦକୋଷରେ ଲୋକତନ୍ତ୍ରର ଅର୍ଥ ବଦଳି ସାରିଛି। ଏଠାରେ କେବଳ ମୋଦୀଙ୍କ ସୋ’ ହେବ। ଯେମିତି କି ଭାରତ କେବଳ ମୋଦୀଙ୍କର। କଂଗ୍ରେସ ୧୩୪ବର୍ଷ ପୁରୁଣା ଲୋକତାନ୍ତ୍ରିକ ଦଳ ହୋଇ ମଧ୍ୟ ଦଳର ଅଧ୍ୟକ୍ଷାଙ୍କୁ ରାତ୍ରିଭୋଜନକୁ ନିମନ୍ତ୍ରଣ କରାଯାଇ ନାହିଁ। ଏଭଳି ସ୍ଥିତିରେ ମୁଁ ମଧ୍ୟ ରାତ୍ରିଭୋଜନରେ ଯୋଗ ଦେବାର ନିମନ୍ତ୍ରଣକୁ ଅସ୍ବୀକାର କରୁଛି।

ସମ୍ବନ୍ଧିତ ଖବର