କୋଲକାତା: ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୈତ୍ରଙ୍କୁ ସଂସଦରୁ ବହିଷ୍କାର କରିବା ଅତ୍ୟନ୍ତ ଗୁରୁତର ଦଣ୍ଡ ଏବଂ ଏହାର ବ୍ୟାପକ ପ୍ରଭାବ ରହିଛି ବୋଲି କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ଶନିବାର ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ଚିଠି ଲେଖି ଜଣାଇଛନ୍ତି। ସେ ଦର୍ଶାଇଛନ୍ତି ଯେ ‘ଅନୈତିକ ଆଚରଣ’ର କୌଣସି ସ୍ପଷ୍ଟ ସଂଜ୍ଞା ନାହିଁ ଏବଂ ଲୋକସଭା ସାଂସଦମାନଙ୍କ ପାଇଁ ‘ଆଚରଣ ବିଧି’ ଏପର୍ଯ୍ୟନ୍ତ ପ୍ରସ୍ତୁତ ହୋଇନାହିଁ। ସାଧାରଣତଃ ତୃଣମୂଳର ତୀବ୍ର ସମାଲୋଚକ ଭାବେ ଜଣାଶୁଣା ଚୌଧୁରୀ ବାଚସ୍ପତିଙ୍କୁ ଲେଖିଛନ୍ତି, ମୁଁ ନିଶ୍ଚିତ ଯେ ଆପଣଙ୍କ ନେତୃତ୍ୱ ଓ ନିୟନ୍ତ୍ରଣରେ କୌଣସି ଅନ୍ୟାୟ ହେବ ନାହିଁ।

Advertisment

ବିର୍ଲାଙ୍କୁ ଚୌଧୁରୀଙ୍କ ଏହି ଚିଠି ଗୁରୁତ୍ବବହନ କରୁଛି କାରଣ ନୈତିକତା କମିଟି ସୋମବାର ଗୃହରେ ରିପୋର୍ଟ ଦାଖଲ କରିବାର ଅଛି, ଯେଉଁଥିରେ ଚଳିତ ଲୋକସଭାର ଅବଶିଷ୍ଟ ସମୟ ପାଇଁ ମୈତ୍ରଙ୍କୁ ବହିଷ୍କାର କରିବାକୁ ସୁପାରିସ କରାଯାଇଛି। ଅନେକ ବିରୋଧୀ ଦଳ ନେତା କହିଛନ୍ତି ଯେ ମୈତ୍ରଙ୍କୁ ବହିଷ୍କାର କରିବା ପାଇଁ ସରକାରଙ୍କ କୌଣସି ପଦକ୍ଷେପକୁ ସେମାନେ ବିରୋଧ କରିବେ। କଂଗ୍ରେସ ନେତା ଆହୁରି ମଧ୍ୟ ଦାବି କରିଛନ୍ତି ଯେ ମୈତ୍ରଙ୍କ ମାମଲାର ୨୦୦୫ରେ ହୋଇଥିବା ‘କ୍ୟାସ୍ ଫର୍ କ୍ୱେରି’ ଦୁର୍ନୀତି ସହିତ କୌଣସି ସାମଞ୍ଜସ୍ୟ ନାହିଁ, ଯେଉଁଥିରେ ସମସ୍ତ ୧୧ ଜଣ ସାଂସଦଙ୍କୁ ଗୃହରୁ ବହିଷ୍କାର କରାଯାଇଥିଲା।