ନୂଆଦିଲ୍ଲୀ: ଭାରତୀୟ ସୌର ମିସନ ଆଦିତ୍ୟ ଏଲ୍-୧ ଶନିବାର ଏହାର ଗନ୍ତବ୍ୟସ୍ଥଳରେ ପହଞ୍ଚିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ଦେଶର ଏକ ଐତିହାସିକ ସଫଳତା କହି ପ୍ରଶଂସା କରିଛନ୍ତି। ଟିମ୍କୁ ଅଭିନନ୍ଦନ ଜଣାଇ ପ୍ରଧାନମନ୍ତ୍ରୀ ମୋଦୀ ଏହି ଅସାଧାରଣ ସଫଳତା ନିମନ୍ତେ ଗର୍ବ କରିବା ସହ ମାନବ ସଭ୍ୟତାର ଉନ୍ନତି ପାଇଁ ନୂତନ ବୈଜ୍ଞାନିକ ଦିଗନ୍ତ ଖୋଜିବା ଲାଗି ଭାରତର ପ୍ରତିବଦ୍ଧତାକୁ ଦୋହରାଇଥିଲେ।
ଆଦିତ୍ୟ ଏଲ୍-୧ ମିସନ ସେପ୍ଟେମ୍ବର ୨ ତାରିଖରେ ପିଏସ୍ଏଲ୍ଭି ମାଧ୍ୟମରେ ଉଡ଼ାଣ ଆରମ୍ଭ କରି ଏହାର ଚରମ ଗନ୍ତବ୍ୟସ୍ଥଳ ସୂର୍ଯ୍ୟ-ପୃଥିବୀ ଲାଗ୍ରାଞ୍ଜ ପଏଣ୍ଟ-୧ (ଏଲ୍-୧) ଅଭିମୁଖେ ଏକ ଗୁରୁତ୍ୱପୂର୍ଣ୍ଣ ଯାତ୍ରା କରିଥିଲା। ପୃଥିବୀ ଓ ସୂର୍ଯ୍ୟଙ୍କ ମାଧ୍ୟାକର୍ଷଣ ବଳର ସନ୍ତୁଳିତ ଅଞ୍ଚଳ ଏଲ୍-୧ରେ ପହଞ୍ଚିଥିବା ୭ଟି ସ୍ବତନ୍ତ୍ର ଉପକରଣରେ ସଜ୍ଜିତ ଏହି ମହାକାଶଯାନର ଲକ୍ଷ୍ୟ ହେଉଛି ସୌର ଘଟଣା ଓ ଝଡ଼ର ଅନୁସନ୍ଧାନ କରିବା। ତେବେ କେବଳ ଏଲ୍-୧ରେ ପହଞ୍ଚିବା ନୁହେଁ, ଏହି ସୂକ୍ଷ୍ମ କକ୍ଷପଥରେ ମହାକାଶଯାନର ସ୍ଥିତି ବଜାୟ ରଖିବାରେ ମଧ୍ୟ ଚ୍ୟାଲେଞ୍ଜ ରହିଛି।
ଇସ୍ରୋ ଅଧ୍ୟକ୍ଷ ଏସ୍ ସୋମନାଥ କହିଥିଲେ, ଏହା ସେଠାରେ ପହଞ୍ଚିବା ପରେ ମହାକାଶଯାନକୁ ନିର୍ଦ୍ଧାରିତ କକ୍ଷପଥରେ ରଖିବା ପାଇଁ ଆମେ ସମୟାନୁକ୍ରମିକ ମାନିଉଭର (କକ୍ଷପଥ ପରିବର୍ତ୍ତନ) କରିବୁ। ଆଦିତ୍ୟ-ଏଲ୍-୧ରେ ୭ଟି ପେଲୋଡ୍ ରହିଛି। ଏଥିମଧ୍ୟରୁ ୪ଟି ପେଲୋଡ୍ ସିଧାସଳଖ ସୌର ପର୍ଯ୍ୟବେକ୍ଷଣ ପାଇଁ ସମର୍ପିତ ହୋଇଥିବା ବେଳେ ଅବଶିଷ୍ଟ ତିନୋଟି ଲାଗ୍ରାଞ୍ଜ ବିନ୍ଦୁ ଏଲ୍୧ରେ କଣିକା ଓ କ୍ଷେତ୍ରଗୁଡ଼ିକର ଅଧ୍ୟୟନ କରିବ।