ବେଙ୍ଗାଲୁରୁ: ସୌର ଜଗତକୁ ପଠାଯାଇଥିବା ଆଦିତ୍ୟ-ଏଲ୍‌୧ ସୂର୍ଯ୍ୟର ପ୍ରଥମ ପୂର୍ଣ୍ଣାଙ୍ଗ ଫଟୋ ପୃଥିବୀକୁ ପଠାଇଛି। ଆଦିତ୍ୟ-ଏଲ୍‌୧‌ରେ ଥିବା ସୋଲାର ଅଲଟ୍ରାଭାଓଲେଟ୍ ଇମେଜିଂ ଟେଲିସ୍କୋପ୍‌ (ଏସ୍‌ୟୁଆଇଟି) ଉପକରଣ ଜରିଆରେ ଏହି ଫଟୋ ସଂଗ୍ରହ କରାଯାଇଛି। ଭାରତର ପ୍ରଥମ ମହାକାଶ ସୂର୍ଯ୍ୟ ପର୍ଯ୍ୟବେକ୍ଷଣାଗାର ସଫଳତାର ସହିତ ସୂର୍ଯ୍ୟଙ୍କ ପୂର୍ଣ୍ଣାଙ୍ଗ ଫଟୋକୁ ୨୦୦ରୁ ୪୦୦ ନାନୋମିଟର ୱେଭଲେନ୍ଥ ରେଞ୍ଜ୍‌ରେ ଆଣିଛି। ଏହି ପର୍ଯ୍ୟବେକ୍ଷଣ ବୈଜ୍ଞାନିକମାନଙ୍କୁ ଚୁମ୍ବକୀୟ ସୌର ବାୟୁମଣ୍ଡଳର ଗତିଶୀଳତା ଅଧ୍ୟୟନ କରିବା ଏବଂ ପୃଥିବୀର ଜଳବାୟୁ ଉପରେ ସୌର ବିକିରଣର ପ୍ରଭାବ ଉପରେ କଠୋର ପ୍ରତିବନ୍ଧକ ଲଗାଇବାରେ ସେମାନଙ୍କୁ ସାହାଯ୍ୟ କରିବ ବୋଲି ଇସ୍ରୋ କହିଛି।

Advertisment

ବିଭିନ୍ନ ବୈଜ୍ଞାନିକ ଫିଲ୍‌ଟର ଉପଯୋଗ କରି ଉକ୍ତ ୱେଭଲେନ୍ଥ ରେଞ୍ଜରେ ସୂର୍ଯ୍ୟଙ୍କ ଫଟୋସ୍ଫିୟର ଏବଂ କ୍ରୋମୋସ୍ଫିୟରର ଚିତ୍ର ଏସୟୁଆଇଟି ସଂଗ୍ରହ କରିଛି। ଗତ ନଭେମ୍ବର ୨୦ ତାରିଖରେ ଏସୟୁଆଇଟିକୁ କାର୍ଯ୍ୟକ୍ଷମ କରାଯାଇଥିଲା। କେତେକ ସଫଳ ପ୍ରାକ୍‌ କାର୍ଯ୍ୟକ୍ଷମ ପର୍ଯ୍ୟାୟ ପରେ ଡିସେମ୍ବର ୬ ତାରିଖରେ ଦୂରବୀକ୍ଷଣ ଯନ୍ତ୍ରଟି ପ୍ରଥମ ଆଲୋକ ବିଜ୍ଞାନ ଫଟୋକୁ ଉଠାଇଛି ବୋଲି ଇସ୍ରୋ କହିଛି। ୧୧ଟି ଭିନ୍ନ ଭିନ୍ନ ଫିଲଟରକୁ ଉପଯୋଗ କରାଯାଇ ଏହି ଅପ୍ରତ୍ୟାଶିତ ଫଟୋ ସଂଗ୍ରହ କରାଯାଇଛି। ଉକ୍ତ ଫଟୋରେ ସୂର୍ଯ୍ୟର ଯେଉଁସବୁ ଉଲ୍ଲେଖନୀୟ ଅଂଶ ବା ଗୁଣ ସାମ୍ନାକୁ ଆସିଛି ତାହା ହେଲା ସନସ୍ପଟ୍ ବା ସୌରଚିହ୍ନ, ପ୍ଲେଗ୍‌ (ସୂର୍ଯ୍ୟର ଅସ୍ବାଭାବିକ ଉଜ୍ଜ୍ବଳ ଅଞ୍ଚଳ) ଏବଂ କ୍ବେଟ୍ ସନ୍ ରିଜିଅନ୍ (ସନସ୍ପଟ୍ ବା‌ହାରେ ଥିବା ଅଞ୍ଚଳ)।