ବେଙ୍ଗାଲୁରୁ: ଭାରତର ପ୍ରଥମ ସୌର ମିସନ ଆଦିତ୍ୟ-ଏଲ୍‌୧ ମହାକାଶଯାନ ତା’ର ଦ୍ୱିତୀୟ ପୃଥିବୀ-ବନ୍ଧିତ ମାନିଉଭର (କକ୍ଷପଥ ବୃଦ୍ଧି) ସଫଳତାର ସହ ସମ୍ପନ୍ନ କରିଥିବା ଇସ୍ରୋ ପ୍ରକାଶ କରିଛି। ଇଷ୍ଟ୍ରାକ୍/ଇସ୍ରୋର ମରିସସ୍, ବେଙ୍ଗାଲୁରୁ ଏବଂ ପୋର୍ଟ ବ୍ଲେୟାରରେ ଥିବା ଗ୍ରାଉଣ୍ଡ ଷ୍ଟେସନ୍ ଏହି ଅପରେସନ୍ ସମୟରେ ସାଟେଲାଇଟ୍‌କୁ ଟ୍ରାକ୍ କରିଥିଲେ​। ନୂତନ କକ୍ଷପଥ ହେଉଛି ୨୮୨ କିମି x ୪୦୨୨୫ କିମିର ବୋଲି ଇସ୍ରୋ ମଙ୍ଗଳବାର ଏକ୍ସ (ଟ୍ବିଟର)ରେ କହିଛି। ପରବର୍ତ୍ତୀ ପୃଥିବୀ-ବନ୍ଧିତ ମାନିଉଭର୍ ସେପ୍ଟେମ୍ବର ୧୦ରେ ହେବ ବୋଲି ଧାର୍ଯ୍ୟ କରାଯାଇଛି।

Advertisment

ଚନ୍ଦ୍ରରେ ଚନ୍ଦ୍ରଯାନ-୩ର ସଫଳ ନରମ ଅବତରଣ ପରେ ଇସ୍ରୋ ସେପ୍ଟେମ୍ବର ୨ରେ ଏହାର ପ୍ରଥମ ସୌର ମିସନ ଆରମ୍ଭ କରିଥିଲା। ସେପ୍ଟେମ୍ବର ୩ରେ ପ୍ରଥମ ପୃଥିବୀ ବନ୍ଧିତ ମାନିଉଭର ସଫଳତାର ସହିତ କରାଯାଇଥିଲା। ଆଦିତ୍ୟ-ଏଲ୍‌୧ ଉପଗ୍ରହଟି ୧୬ ଦିନ ପାଇଁ ପୃଥିବୀ କକ୍ଷପଥରେ ଯାତ୍ରା କରିବ, ଯେଉଁଥିରେ ଏହା ପାଞ୍ଚଟି ମାନିଉଭର ସମ୍ପନ୍ନ କରିବ। ତା’ପରେ ଏହା ଏକ ଟ୍ରାନ୍ସ-ଲାଗ୍ରାଙ୍ଗିଆନ୍ ୧ ଇନସର୍ସନ ମାନିଉଭର ସମ୍ପନ୍ନ କରିବ ଯାହାକି ୧୧୦ ଦିନ ଲାଗିବ। ଏହି ଉପଗ୍ରହ ଏଲ୍‌୧ ପଏଣ୍ଟରେ ପହଞ୍ଚିବା ପାଇଁ ପ୍ରାୟ ୧.୫ ନିୟୁତ କିଲୋମିଟର ଯାତ୍ରା କରିବ ବୋଲି ଇସ୍ରୋ କହିଛି।