ମୁମ୍ବାଇ: ମୁଖ୍ୟମନ୍ତ୍ରୀ ହୋଇ କ୍ଷମତା ହାତେଇବା ପରେ ବି ନିଜ କ୍ୟାବିନେଟ ସମ୍ପ୍ରସାରଣ କରିପାରିନାହାନ୍ତି ଏକନାଥ ସିନ୍ଦେ। ଗତ କିଛି ଦିନ ହେଲାଣି ଏନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଶେଷରେ ଆସନ୍ତାକାଲି ସିନ୍ଦେ ନିଜ କ୍ୟାବିନେଟର ସମ୍ପ୍ରସାରଣ କରିବେ ବୋଲି ଜଣାପଡ଼ିଛି। ଆସନ୍ତାକାଲି ମହାରାଷ୍ଟ୍ର କ୍ୟାବିନେଟର ସମ୍ପ୍ରସାରଣ ହେବ ଏବଂ ପ୍ରାୟ ୧୨ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିବାର ସମ୍ଭାବନା ରହିଥିବା ସାମ୍ନାକୁ ଆସିଛି। ଏମଧ୍ୟରେ ସିନ୍ଦେଙ୍କୁ ଟାର୍ଗେଟ କରିଛନ୍ତି ଶିବସେନା ନେତା ଆଦିତ୍ୟ ଠାକରେ।
ଆଦିତ୍ୟ ଠାକରେ କହିଛନ୍ତି ଯେ, କେତେବେଳେ ଏକ ଚିଠି ଲେଖାଯାଉଛି, କେତେବେଳେ ମାଇକ୍ରୋଫୋନ୍ ଟଣାଯାଉଛି, କେତେବେଳେ ବିମାନକୁ ମଝି ଆକାଶରେ ଅଟକାଯାଉଛି; ଏସବୁ ନାଟକ ମଧ୍ୟରେ ରାଜ୍ୟରେ କାହାର ସରକାର ଚାଲିଛି, ତାହା ଜାଣିବା ଜରୁରୀ। ରାଜ୍ୟରେ ପ୍ରକୃତରେ କାହାର ସରକାର ଅଛି? ରାଜ୍ୟରେ ଏବେ ୨ ଜଣଙ୍କର ଏକ ମିଳିତ କ୍ୟାବିନେଟ୍ ଅଛି। ରାଜ୍ୟରେ ପ୍ରବଳ ବର୍ଷା ହେଉଛି, ବନ୍ୟା ବି ହେଉଛି, ମହିଳାମାନଙ୍କୁ ନିର୍ଯାତନା ଦିଆଯାଉଛି, କିନ୍ତୁ ସରକାର କେଉଁ ପ୍ରସଙ୍ଗକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କି? ଯଦିଓ ଏକନାଥ ସିନ୍ଦେ ସରକାର ଗଠନ କରିଛନ୍ତି, ତଥାପି ସାରା ରାଜ୍ୟରେ ଲୋକମାନେ ଉଦ୍ଧବ ଠାକରେଙ୍କ ଶିବସେନା ସହିତ ଅଛନ୍ତି। ରାଜ୍ୟର ଅସ୍ଥାୟୀ ମୁଖ୍ୟମନ୍ତ୍ରୀ ହେଉଛନ୍ତି ସିନ୍ଦେ। ଖୁବ ଶୀଘ୍ର ତାଙ୍କ ସରକାର ଭାଙ୍ଗିବ।
ଉଲ୍ଲେଖଯୋଗ୍ୟ, ଉଦ୍ଧବ ଠାକରେଙ୍କ ଇସ୍ତଫା ପରେ ଶିବସେନା ବିଧାୟକ ଦଳର ନେତା ଏକନାଥ ସିନ୍ଦେ ଏବଂ ବିଜେପି ନେତା ଦେବେନ୍ଦ୍ର ଫଡନାଭିସ୍ ଜୁନ୍ ୩୦ରେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ। ସେବେଠାରୁ ସିନ୍ଦେ ନିଜ କ୍ୟାବିନେଟରେ କାହାକୁ ସାମିଲ କରିବେ ସେନେଇ ନିଷ୍ପତ୍ତି ନେଇ ପାରିନଥିବାରୁ ଏକନାଥ ସିନ୍ଦେ ଏବଂ ବିଜେପି ନେତା ଦେବେନ୍ଦ୍ର ଫଡନାଭିସ୍ ବିରୋଧୀଙ୍କ ସମାଲୋଚନାର ଶିକାର ହୋଇଥିଲେ। ଅନେକ ଥର କ୍ୟାବିନେଟ ସମ୍ପ୍ରସାରଣ କରାଯିବା ନେଇ ଚର୍ଚ୍ଚା ହୋଇଥିଲେ ବି ଏପର୍ଯ୍ୟନ୍ତ ତାହା ହୋଇପାରିନଥିଲା। କ୍ୟାବିନେଟ ସମ୍ପ୍ରସାରଣ ପ୍ରସଙ୍ଗରେ ଫଡନାଭିସ୍ ଏବଂ ସିନ୍ଦେ ଅତୀତରେ ଅନେକ ଥର ଦିଲ୍ଲୀ ଗସ୍ତ ମଧ୍ୟ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/ସ-86.jpg)