ମହାରାଷ୍ଟ୍ର ରାଜନୀତି : ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି କଲେ ଶିବସେନା ନେତା ଆଦିତ୍ୟ ଠାକରେ, ସମର୍ଥନ ନେଇ ଆଭିମୁଖ୍ୟ ସ୍ପଷ୍ଟ କରିନାହିଁ କଂଗ୍ରେସ

ମୁମ୍ବାଇ : ମହାରାଷ୍ଟ୍ର ନିର୍ବାଚନ ଫଳାଫଳ ପ୍ରକାଶ ପାଇବାର ୧୮ ଦିନ ହୋଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଅଚଳାବସ୍ଥା ଦୂର ହୋଇନାହିଁ । ତେବେ ଶିବସେନା ନେତୃତ୍ୱରେ ସରକାର ଗଠନ ନେଇ ଆଶା ସୃଷ୍ଟି ହୋଇଛି । ମିଳିଥିବା ସର୍ବଶେଷ ସୂଚନା ମୁତାବକ କିଛି ସମୟ ପୂର୍ବରୁ ଶିବସେନା ନେତା ଆଦିତ୍ୟ ଠାକରେ ଦଳର କେତେକ ବରିଷ୍ଠ ନେତାଙ୍କ ସହ ମହାରାଷ୍ଟ୍ର ରାଜଭବନରେ ପହଞ୍ଚିଛନ୍ତି ଓ ରାଜ୍ୟପାଳ ଭଗତ ସିଂ କୋସ୍ୟାରୀଙ୍କୁ ଭେଟି ସରକାର ଗଠନ ପାଇଁ ଦାବି କରିଛନ୍ତି । ଆଜି ସଂଧ୍ୟା ସାଢେ ୭ଟା ସୁଦ୍ଧା ଆବଶ୍ୟକ  ବିଧାୟକଙ୍କ ସମର୍ଥନ ପ୍ରଦାନ ପାଇଁ ରାଜ୍ୟପାଳ ଶିବସେନାକୁ କହିଛନ୍ତି ।

କିଛି ସମୟ ପୂର୍ବରୁ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି । ଏହି ଅବସରରେ ସରକାର ଗଠନ ପାଇଁ ଉଦ୍ଧବ ସୋନିଆଙ୍କ ସମର୍ଥନ ଲୋଡିଥିଲେ । କିନ୍ତୁ ଏପର୍ଯ୍ୟନ୍ତ ସୋନିଆ ନିଜର ନିଷ୍ପତ୍ତି ସାର୍ବଜନୀନ କରିନାହାନ୍ତି । ସମର୍ଥନର ସର୍ତ୍ତାବଳୀ ସଂପର୍କରେ ଏବେ ବି କଂଗ୍ରେସରେ ବିଚାର ବିମର୍ଷ ଜାରି ରହିଥିବା ଜଣାଯାଇଛି । କିନ୍ତୁ କଂଗ୍ରେସ ସମର୍ଥନ ଦେଇପାରେ ବୋଲି ଆଲୋଚନା ହେଉଛି । ମାତ୍ର ଏ ଯାବତ୍ କଂଗ୍ରେସ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିନାହିଁ।

ଆଜି ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଏନସିପି ନେତା ଶରଦ ପାଓ୍ଵାରଙ୍କ ସହ ଆଲୋଚନା କରି ସମର୍ଥନ ଲୋଡିଥିଲେ । ତେବେ ସମର୍ଥନ ବ୍ୟାପାରରେ କଂଗ୍ରେସର ନିଷ୍ପତ୍ତି ଉପରେ ସବୁକିଛି ନିର୍ଭର କରେ ବୋଲି ଶରଦ ଜଣାଇଦେଇଥିଲେ ।

ସମ୍ବନ୍ଧିତ ଖବର