କୁଏତ୍‌ରେ ଅଦନାନ୍‌ ସାମିଙ୍କୁ ଅପମାନ : ତୁରନ୍ତ ହସ୍ତକ୍ଷେପ କଲେ ସୁଷମା

ନୂଆଦିଲ୍ଲୀ: ପ୍ରସିଦ୍ଧ ଗାୟକ ଅଦନାନ୍‌ ସାମି ଆଜି ଅଭିଯୋଗ କରିଛନ୍ତି ଯେ କୁଏତ୍‌ ବିମାନ ବନ୍ଦରରେ ତାଙ୍କୁ ଓ ତାଙ୍କ ସହଯୋଗୀମାନଙ୍କୁ ଦୁର୍ବ୍ୟବହାର କରାଯାଇଛି। କୁଏତ୍‌ରେ ଏକ ସଂଗୀତ କନ୍‌ସର୍ଟ ପାଇଁ ଆଦନାନ ଓ ତାଙ୍କ କର୍ମଚାରୀମାନେ କୁଏତ୍‌ ବିମାନବନ୍ଦରରେ ପହଞ୍ଚିବା ପରେ ସେମାନଙ୍କୁ ‘ଭାରତୀୟ କୁକୁର’ କୁହାଯାଇ ଅପମାନିତ କରାଯାଇଛି ବୋଲି ସାମି ଦାବି କରିଛନ୍ତି। ସେ ମଧ୍ୟ ଏ ସମ୍ପର୍କରେ କୁଏତ୍‌ରେ ଥିବା ଭାରତୀୟ ଦୁତାବାସକୁ ଟ୍ଵିଟ୍‌ ମାଧ୍ୟମରେ ଅବଗତ କରାଇଥିଲେ। ସେ ଏ ବାବଦରେ ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜକୁ ଅବଗତ କରାଇବା ପରେ ସୁଷମା ମାମଲାରେ ତୁରନ୍ତ ହସ୍ତକ୍ଷେପ କରି କୁଏତ କର୍ତ୍ତୃପକ୍ଷଙ୍କୁ ସେମାନଙ୍କ ଭୁଲ୍‌ ସୁଧାରିବାକୁ କହିଥିଲେ। ଆଦନାନ ଏ ବାବଦରେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହଙ୍କୁ ମଧ୍ୟ ଅବଗତ କରାଇଛନ୍ତି। ସାମି କହିଛନ୍ତି ଯେ ଘଟଣା ସମ୍ପର୍କରେ ସୁଷମା ସ୍ୱରାଜ ଜାଣିବା ମାତ୍ରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ସହ ତାଙ୍କ ସହିତ ଯୋଗାଯୋଗ କରିଥିଲେ ଓ ସୁରକ୍ଷା ବ୍ୟବସ୍ଥା କରାଇଥିଲେ। ସେ ଏନେଇ ସୁଷମାଙ୍କୁ କୃତଜ୍ଞତା ଜଣାଇଛନ୍ତି। ବିଦେଶରେ ସମସ୍ୟାରେ ଛନ୍ଦି ହୋଇପଡ଼ିଥିବା ଭାରତୀୟ ନାଗରିକଙ୍କୁ ସର୍ବଦା ସହଯୋଗ କରୁଥିବା ସୁଷମାଙ୍କ ପଦକ୍ଷେପକୁ ବିଭିନ୍ନ ମହଲ ପ୍ରଶଂସା କରିଛନ୍ତି।

ସମ୍ବନ୍ଧିତ ଖବର