ନିର୍ବାଚନ କମିସନଙ୍କ ବିରୋଧରେ ପୁଣି ସୁପ୍ରିମକୋର୍ଟରେ ପହଞ୍ଚିଲା ଏଡିଆର, କାରଣ ଜାଣନ୍ତୁ

ନୂଆଦିଲ୍ଲୀ: ଚଳିତ ଲୋକସଭା ନିର୍ବାଚନର ପ୍ରତ୍ୟେକ ପର୍ଯ୍ୟାୟରେ ମତଦାନ ଶେଷ ହେବାର ୪୮ ଘଣ୍ଟା ମଧ୍ୟରେ ମତଦାନ କେନ୍ଦ୍ରଭିତ୍ତିକ ମତଦାନ ତଥ୍ୟ କୁ ନିଜ ୱେବସାଇଟରେ ଅପଲୋଡ୍ କରିବାକୁ ନିର୍ବାଚନ କମିସନଙ୍କୁ ନିର୍ଦ୍ଦେଶ ଦେବାକୁ ଏକ ସ୍ୱେଚ୍ଛାସେବୀ ସଂଗଠନ ସୁପ୍ରିମ୍ କୋର୍ଟରେ ଏକ ପିଟିସନ୍ ଦାଖଲ କରିଛି। ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମସ୍ (ଏଡିଆର) ୨୦୧୯ ଜନସ୍ୱାର୍ଥ ମାମଲାରେ ଏକ ଅନ୍ତରୀଣ ଆବେଦନ ଦାଖଲ କରିଛି। ଯେଉଁଥିରେ ନିର୍ବାଚନ ସରିବା ପରେ ସମସ୍ତ ମତଦାନ କେନ୍ଦ୍ରର ଫର୍ମ ୧୭ସି ପାର୍ଟ-୧ (ରେକର୍ଡ ହୋଇଥିବା ଭୋଟ୍ ର ଖାତା)ର ସ୍କାନ୍ ହୋଇଥିବା କପି ତୁରନ୍ତ ଅପଲୋଡ୍ କରିବାକୁ ନିର୍ବାଚନ କମିଶନଙ୍କୁ ନିର୍ଦ୍ଦେଶ ଦେବାକୁ କୁହାଯାଇଛି।

ଏଡିଆର କହିଛି ଯେ ୨୦୨୪ ଲୋକସଭା ନିର୍ବାଚନର ପ୍ରତ୍ୟେକ ପର୍ଯ୍ୟାୟ ମତଦାନ ପରେ ଫର୍ମ ୧୭ସି ପାର୍ଟ-୧ରେ ରେକର୍ଡ ହୋଇଥିବା ଭୋଟ୍ ସଂଖ୍ୟାର ସମ୍ପୂର୍ଣ୍ଣ ତଥ୍ୟରେ ମତଦାନ କେନ୍ଦ୍ର ଭିତ୍ତିକ ତଥ୍ୟ ଏବଂ ନିର୍ବାଚନ ମଣ୍ଡଳୀ ତଥ୍ୟ ପ୍ରଦାନ କରିବାକୁ ନିର୍ବାଚନ କମିସନଙ୍କୁ ନିର୍ଦ୍ଦେଶ ଦିଆଯାଉ। ନିର୍ବାଚନ ଅନିୟମିତତା ଦ୍ୱାରା ଗଣତାନ୍ତ୍ରିକ ପ୍ରକ୍ରିୟା ଯେପରି ପ୍ରଭାବିତ ନ ହୁଏ ସେଥିପାଇଁ ଏହି ପିଟିସନ ଦାଖଲ କରାଯାଇଛି। ଏପ୍ରିଲ ୩୦ରେ ନିର୍ବାଚନ କମିଶନ ୨୦୨୪ ଲୋକସଭା ନିର୍ବାଚନର ପ୍ରଥମ ଦୁଇଟି ପର୍ଯ୍ୟାୟ ପାଇଁ ମତଦାନ ତଥ୍ୟ ପ୍ରକାଶ କରିଥିଲେ। ଏପ୍ରିଲ ୧୯ରେ ପ୍ରଥମ ପର୍ଯ୍ୟାୟ ମତଦାନର ୧୧ ଦିନ ପରେ ଏବଂ ଏପ୍ରିଲ ୨୬ରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନର ୪ ଦିନ ପରେ ଏହା ପ୍ରକାଶ ପାଇଥିଲା।

 

ସମ୍ବନ୍ଧିତ ଖବର