ଇଲେକ୍ଟୋରାଲ୍ ବଣ୍ଡ ମାଧ୍ୟମରେ ୪୪୭ କୋଟି ଟଙ୍କା ଆୟ କରିଛନ୍ତି ୧୪ ଆଞ୍ଚଳିକ ରାଜନୈତିକ ଦଳ

ଭୁବନେଶ୍ୱର: ଦେଶର ବିଭିନ୍ନ ଆଞ୍ଚଳିକ ଦଳ ପକ୍ଷରୁ ନିର୍ବାଚନ ଆୟୋଗଙ୍କ ନିକଟରେ ଦାଖଲ ହୋଇଥିବା ଅଡିଟ ରିପୋର୍ଟରେ ଦିଆଯାଇଥିବା ଆୟ-ବ୍ୟୟର ହିସାବକୁ ନେଇ ରିପୋର୍ଟ ପ୍ରକାଶ କରିଛି ଇଲେକସନ୍ ୱାଚ୍ | ଏହି ରିପୋର୍ଟ ମୁତାବକ ୨୦୧୯-୨୦ ଆର୍ଥିକ ବର୍ଷରେ ୪୨ଟି ଦଳ ଇଲେକ୍ଟୋରାଲ୍ ବଣ୍ଡ ମାଧ୍ୟମରେ ମୋଟ ୮୭୭.୯୫ କୋଟି ଟଙ୍କା ଆୟ କରିଛନ୍ତି | ଏହି ୪୨ଟି ଦଳ ମଧ୍ୟରୁ ଟିଆରଏସ ସର୍ବାଧିକ ୧୩୦.୪୬ କୋଟି ଟଙ୍କା, ଶିବସେନା ୧୧୧.୪୦ କୋଟି ଟଙ୍କା ଆୟ କରିଛନ୍ତି  | ଏହି କ୍ରମରେ ବିଜୁ ଜନତା ଦଳକୁ କେତେ ଟଙ୍କା ମିଳିଛି ଓ ଦଳ କେତେ ଟଙ୍କା ଖର୍ଚ୍ଚ କରିଛି ସେ ନେଇ  ରିପୋର୍ଟରେ ତଥ୍ୟ ପ୍ରକ‌ାଶ ପାଇଛି।

ସୂଚନା ଅନୁସାରେ, ବିଜେଡ଼ି ଏହି ଆର୍ଥିକ ବର୍ଷରେ ମୋଟ ୯୦.୩୫ କୋଟି ଟଙ୍କା ଆୟ କରିଛି | ଏହି ରିପୋର୍ଟ ମୁତାବକ ୨୩ଟି ଦଳ ୨୦୧୮-୧୯ ଆର୍ଥିକ ବର୍ଷ ତୁଳନାରେ ୨୦୧୯-୨୦ରେ ନିଜର ଆୟରେ ବୃଦ୍ଧି ଦର୍ଶାଇଥିବାବେଳେ ୧୬ଟି ଦଳ ନିଜ ଆୟ କମିଥିବାର ଦର୍ଶାଇଛନ୍ତି | ଆର୍ଥିକ ବର୍ଷ ୨୦୧୯-୨୦ରେ ୨୪ଟି ଦଳ ନିଜର ଆୟ ତୁଳନାରେ କମ ଖର୍ଚ୍ଚ କରିଥିବାର କହିଥିଵାବେଳେ ୧୮ଟି ଦଳ ନିଜ ଆୟଠାରୁ ଅଧିକ ଖର୍ଚ୍ଚ କରିଛନ୍ତି | ଆଉ ଆୟ ତୁଳନାରେ ଅଧିକ ଖର୍ଚ୍ଚ ତାଲିକାରେ ବିଜେଡ଼ି ସବୁଠାରୁ ଆଗରେ ରହିଛି | ବିଜେଡ଼ି ନିଜ ଆୟ ତୁଳନାରେ ୯୫.୭୮ କୋଟି ଟଙ୍କା(୧୦୬.୦୧%) ଅଧିକ ଖର୍ଚ୍ଚ କରିଛି |

୨୦୧୯-୨୦ ଆର୍ଥିକ ବର୍ଷରେ ୪୨ଟି ଆଞ୍ଚଳିକ ଦଳ ସମୁଦାୟ ୭୪୨.୫୩ କୋଟି ଟଙ୍କା ଖର୍ଚ୍ଚ କରିଥିବାର ଦର୍ଶାଇଛନ୍ତି | ସବୁଠାରୁ ଅଧିକ ଖର୍ଚ୍ଚ କରିଥିବା ଦଳ ତାଲିକାରେ ବିଜେଡ଼ି(୧୮୬.୧୩କୋଟି), ଟିଡ଼ିପି(୧୦୮କୋଟି), ଶିବସେନା(୯୮ କୋଟି), ଡ଼ିଏମକେ(୭୧ କୋଟି) ଓ ସମାଜବାଦୀ ପାର୍ଟି(୫୫.୬୯ କୋଟି) ଖର୍ଚ୍ଚ କରିଛନ୍ତି | ବିଜେଡ଼ି ଆୟ କରିଥିବା ୯୦ କୋଟି ଟଙ୍କାରୁ ୫୦ କୋଟି ୫୦ ଲକ୍ଷ ଟଙ୍କା ଇଲେକ୍ଟ୍ରୋରାଲ ବଣ୍ଡ, ୨୮ କୋଟି ୨୦ ଲକ୍ଷ ଟଙ୍କା ଦାନ ଓ ୧୧ କୋଟି ୬୫ ଲକ୍ଷ ଟଙ୍କା ଅନ୍ୟ ସୂତ୍ରରୁ ମିଳିଥିବା ଦର୍ଶାଇଛି |

ସମ୍ବନ୍ଧିତ ଖବର