ନୂଆଦିଲ୍ଲୀ: ୨୦୨୦-୨୧ ତୁଳନାରେ ୨୦୨୧-୨୨ରେ ପ୍ରମୁଖ ରାଜନୈତିକ ଦଳଗୁଡ଼ିକର ସମ୍ପତ୍ତି ବଢ଼ିଛି। ୨୦୨୧-୨୨ରେ ୮ଟି ରାଜନୈତିକ ଦଳ ଦ୍ବାରା ଘୋଷଣା କରାଯାଇଥିବା ମୋଟ୍‌ ସମ୍ପତ୍ତିର ମୂଲ୍ୟ ୮,୮୨୯.୧୬ କୋଟି ଟଙ୍କା। ତେବେ ୨୦୨୦-୨୧ରେ ଏହା ୭,୨୯୭.୬୨ କୋଟି ଥିଲା। ୨୦୨୦-୨୧ ଏବଂ ୨୦୨୧-୨୨ ବର୍ଷ ପାଇଁ ୮ ରାଜନୈତିକ ଦଳ ବିଜେପି, କଂଗ୍ରେସ, ଏନ୍‌ସିପି, ବିଏସ୍‌ପି, ସିପିଆଇ, ସିପିଆଇ(ଏମ୍‌), ଏଆଇଟିସି ଏବଂ ଏନ୍‌ପିଇପି ଦ୍ବାରା ଘୋଷିତ ବାର୍ଷିକ ସମ୍ପତ୍ତି ଏବଂ ଆର୍ଥିକ ବୋଝ ଆକଳନକୁ ଭଲଭାବେ ଅଧ୍ୟୟନ କରି ଏଡିଆର (ଆସୋସିଏସନ୍‌ ଫର୍ ଡେମୋକ୍ରାଟିକ ରିଫର୍ମ‌୍ସ) ଦ୍ବାରା ପ୍ରସ୍ତୁତ ହୋଇଥିବା ରିପୋର୍ଟରୁ ଏହା ଜଣାପଡ଼ିଛି। ୨୦୨୦-୨୧ ଆର୍ଥିକ ବର୍ଷରେ ବିଜେପି ଏହାର ସମ୍ପତ୍ତି ମୂଲ୍ୟ ୪,୯୯୦.୧୨ କୋଟି ଘୋଷଣା କରିଥିଲା। ତେବେ ୨୦୨୧-୨୨ରେ ବିଜେପିର ସମ୍ପତ୍ତି ମୂଲ୍ୟ ୨୧.୧୭ ପ୍ରତିଶତ ବୃଦ୍ଧି ପାଇଛି। ବିଜେପିର ସମ୍ପତ୍ତି ମୂଲ୍ୟ ୨୦୨୧-୨୨ରେ ୬,୦୪୬.୮୧ କୋଟିକୁ ବୃଦ୍ଧି ପାଇଛି।

Advertisment

publive-image

ଏଡିଆର୍ ଅନୁଯାୟୀ ୨୦୨୦-୨୧ରେ କଂଗ୍ରେସର ‌ଘୋଷିତ ସମ୍ପତ୍ତି ମୂଲ୍ୟ ୬୯୧.୧୧ କୋଟି ଥିଲା। ତେବେ ୨୦୨୧-୨୨ରେ କଂଗ୍ରେସର ସମ୍ପତ୍ତି ମୂଲ୍ୟ ୧୬.୫୮ ପ୍ରତିଶତ ବୃଦ୍ଧି ପାଇଛି। ୨୦୨୧-୨୨ରେ କଂଗ୍ରେସ ସମ୍ପତ୍ତି ମୂଲ୍ୟ ୮୦୫.୬୮ କୋଟିକୁ ବୃଦ୍ଧି ପାଇଛି। ଏକମାତ୍ର ଦଳ ଭାବେ ବିଏସ୍‌ପି (ବହୁଜନ ସମାଜ ପାର୍ଟି) ଏହାର ବାର୍ଷିକ ସମ୍ପତ୍ତି କମିଥିବା ଘୋଷଣା କରିଛି। ୨୦୨୦-୨୧ ତୁଳନାରେ ୨୦୨୧-୨୨ରେ ବିଏସ୍‌ପିର ମୋଟ୍‌ ସମ୍ପତ୍ତି ୫.୭୪ ପ୍ରତିଶତ ହ୍ର‌ାସ ପାଇଛି। ୨୦୨୦-୨୧ରେ ବିଏସ୍‌ପିର ସମ୍ପତ୍ତି ମୂଲ୍ୟ ୭୩୨.୭୯ କୋଟି ଥିବାବେଳେ ୨୦୨୧-୨୨ରେ ଏହା ୬୯୦.୭୧ କୋଟିକୁ ହ୍ରାସ ପାଇଛି। ତେବେ ଏହି ସମୟ ମଧ୍ୟରେ ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର ମୋଟ୍‌ ସମ୍ପତ୍ତି ୧୫୧.୭୦ ପ୍ରତିଶତ ବୃଦ୍ଧି ପାଇଛି। ୨୦୨୦-୨୧ରେ ଟିଏମ୍‌ସିର ମୋଟ୍‌ ସମ୍ପତ୍ତି ୧୮୨.୦୦ କୋଟି ଥିବାବେଳେ ୨୦୨୧-୨୨ରେ ଏହା ୪୫୮.୧୦ କୋଟିକୁ ବୃଦ୍ଧି ପାଇଛି।

publive-image

୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଜାତୀୟସ୍ତରର ରାଜନୈତିକ ଦଳମାନଙ୍କ ଦ୍ବାରା ଘୋଷଣା କରାଯାଇଥିବା ମୋଟ୍‌ ଆର୍ଥିକ ବୋଝ ହେଉଛି ୧୦୩.୫୬ କୋଟି ଟଙ୍କା। କଂଗ୍ରେସ ସର୍ବାଧିକ ୭୧.୫୮ କୋଟି ଟଙ୍କାର ଆର୍ଥିକ ବୋଝରେ ଥିବାବେଳେ ସିପିଆଇଏମ୍‌ ୧୬.୧୨ କୋଟି ଟଙ୍କା ବୋଝରେ ରହିଛି ବୋଲି ଏଡିଆର୍‌ ରିପୋର୍ଟରୁ ଜଣାପଡ଼ିଛି। ୨୦୨୧-୨୨ ଆର୍ଥିକ ବର୍ଷରେ ବି କଂଗ୍ରେସ ୪୧.୯୫ ‌କୋଟି ଋଣବୋଝ ସହ ଶୀର୍ଷରେ ରହିଛି। ଅନ୍ୟପକ୍ଷେ ସିପିଆଇ(ଏମ୍‌) ଏବଂ ବିଜେପିର ଆର୍ଥିକ ବୋଝ ଯଥାକ୍ରମେ ୧୨.୨୧ କୋଟି ଏବଂ ୫.୧୭ କୋଟି ରହିଛି । ୨୦୨୦-୨୧ ଓ ୨୦୨୧-୨୨ ମଧ୍ୟରେ ୫ ରାଜ‌ନୈତିକ ଦଳ ସେମାନଙ୍କ ଆର୍ଥିକ ବୋଝ ହ୍ରାସ ହୋଇଥିବା ଘୋଷଣା କରିଛନ୍ତି। କଂଗ୍ରେସ ଏହାର ଆର୍ଥିକ ବୋଝ ୨୯.୬୩ କୋଟି ହ୍ରାସ ହୋଇଥିବା ଘୋଷଣା କରିଥିବାବେଳେ ବିଜେପି ୬.୦୩ କୋଟି, ସିପିଆଇ(ଏମ୍‌) ୩.୮୯ କୋଟି, ଟିଏମ୍‌ସି ୧.୩୧ କୋଟି ଏବଂ ଏନ୍‌ସିପି ୧ ଲକ୍ଷ ଟଙ୍କା ଆର୍ଥିକ ଋଣ ହ୍ରାସ ହୋଇଥିବା ଘୋଷଣା କରିଛନ୍ତି।