ଏଡିଆର୍‌ ରିପୋର୍ଟରେ ରାଜନୈତିକ ଦଳଙ୍କ ଆୟ : ବିଜେପିର ବଢିଛି ୮୧ %:କଂଗ୍ରେସର କମିଛି ୧୪ %

ନୂଆଦିଲ୍ଲୀ : ବିଗତ ଗୋଟିଏ ବର୍ଷ ମଧ୍ୟରେ ଭାରତୀୟ ଜନତା ପାର୍ଟି(ବିଜେପି)ର ଆୟ ୮୧.୧୮ ପ୍ରତିଶତ ବୃଦ୍ଧି ପାଇ ୧୦୩୪ କୋଟି ୨୭ଲକ୍ଷରେ ପହଞ୍ଚିଥିବା ବେଳେ ଦେଶର ସର୍ବ ପୂରାତନ କଂଗ୍ରେସ ଦଳର ମୋଟ ଆୟ ଏହି ସମୟ ମଧ୍ୟରେ ୧୪ ପ୍ରତିଶତ ହ୍ରାସ ପାଇ ୨୨୫କୋଟି ୩୬ଲକ୍ଷ ହୋଇଛି। ସେହିଭଳି ବିଜେପି,କଂଗ୍ରେସ ସମେତ ବହୁଜନ ସମାଜ ପାର୍ଟି(ବିଏସ୍‌ପି),ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି(ଏନ୍‌ସିପି),ସିପିଆଇ,ସିପିଏମ୍‌,ତ୍ରୁଣମୂଳ କଂଗ୍ରେସ ଭଳି ୭ଟି ରାଷ୍ଟ୍ରୀୟ ଦଳ ବର୍ଷ ୨୦୧୬-୧୭ରେ ମୋଟ ୧୫୫୯କୋଟି ୧୭ ଲକ୍ଷ ଟଙ୍କା ଆୟ କରିଛନ୍ତି। ବିଭିନ୍ନ ରାଜନୈତିକ ଦଳ ଗୁଡ଼ିକ ନିର୍ବାଚନ କମିସନଙ୍କ ନିକଟରେ ଦାଖଲ କରିଥିବା ସେମାନଙ୍କର ଆୟ ଓ ନିର୍ବାଚନ ଖର୍ଚ୍ଚକୁ ନେଇ ଦିଲ୍ଲୀସ୍ଥିତ ଆସୋସିଏସନ ଫର ଡେମେକ୍ରାଟିକ ରିଫର୍ମସ(ଏଡିଆର୍‌) ପ୍ରସ୍ତୁତ କରିଥିବା ରିପୋର୍ଟରୁ ଏହି ତଥ୍ୟ ସମ୍ପର୍କରେ ଜଣାପଡ଼ିଛି।

ମିଳିଥିବା ଖବର ମୁତାବକ, ୨୦୧୫-୧୬ ଆର୍ଥିକ ବର୍ଷରେ ବିଜେପିର ଆୟ ୫୭୦ କୋଟି ୮୬ ଲକ୍ଷ ଥିବା ବେଳେ କଂଗ୍ରେସର ଆୟ ୨୬୧ କୋଟି ୫୬ଲକ୍ଷ ଥିଲା। ୨୦୧୬-୧୭ରେ ବିଜେପି ୭୧୦ କୋଟି ଟଙ୍କା ନିର୍ବାଚନ ଖର୍ଚ୍ଚ କରିଥିବା ବେଳେ କଂଗ୍ରେସ ଏହାର ଆୟଠାରୁ ଅଧିକ ଅର୍ଥାତ୍‌ ୩୨୧ କୋଟି ୬୬ ଲକ୍ଷ ଟଙ୍କା ଖର୍ଚ୍ଚ କରିଛି। ବିଭିନ୍ନ ସଂଗଠନ ଚାନ୍ଦାକୁ ସେମାନଙ୍କ ଆୟର ମୁଖ୍ୟ ଉତ୍ସଭାବେ ଦର୍ଶାଇଛନ୍ତି। ବିଜେପିର ଏହି ସମ୍ପର୍କିତ ଆୟ ୯୬କୋଟି ୪୧ ଲକ୍ଷ ଟଙ୍କା ଥିବା ବେଳେ କୁପନ ବୀମା ଯୋଗେ କଂଗ୍ରେସ ୧୧୫କୋଟି ୬୪ ଲକ୍ଷ ଟଙ୍କା ଆୟ କରିଛି। ଏହି ୭ଟି ପ୍ରମୁଖ ରାଜନୈତିକ ଦଳଙ୍କ ମୋଟ ଆୟର ୬୦ ପ୍ରତିଶତ ଅର୍ଥାତ୍‌ ୬୧୬କୋଟି ଟଙ୍କା ସ୍ୱେଚ୍ଛାକୃତ ଆୟ ହୋଇଥିବା ବେଳେ ବ୍ୟାଙ୍କ୍‌ ସୁଧରୁ ୧୨୮କୋଟି ୮୦ଲକ୍ଷ ଟଙ୍କା ଆୟ ହୋଇଥିବା ଏହି ରିପୋର୍ଟରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର