ନୂଆଦିଲ୍ଲୀ : ଦେଶର ସମସ୍ତ ରାଜନୈତିକ ଦଳମାନଙ୍କ ମଧ୍ୟରେ ଭାରତୀୟ ଜନତା ପାର୍ଟି (ବିଜେପି) ସବୁଠାରୁ ଧନୀ ଏବଂ ଏହା ପାଖରେ ଏବେ ସର୍ବାଧିକ ସମ୍ପତ୍ତି ରହିଛି। ୨୦୧୯-୨୦ ବର୍ଷ ପାଇଁ ଦଳମାନଙ୍କ ସମ୍ପତ୍ତି ସଂକ୍ରାନ୍ତ ରିପୋର୍ଟକୁ ଆଜି ଏଡିଆର୍ (ଆସୋସିଏସନ୍ ଫର ଡେମୋକ୍ରାଟିକ୍ ରିଫର୍ମସ୍) ସାର୍ବଜନୀନ କରିଛି। ଏଥିରେ ବିଜେପି ପାଖରେ ୪,୮୪୭.୭୮ କୋଟି ଟଙ୍କାର ସମ୍ପତ୍ତି ଥିବା ଦଳ ଘୋଷଣା କରିଥିବା କୁହାଯାଇଛି। ଏହି ସମ୍ପତ୍ତି ଅନ୍ୟ ସମସ୍ତ ରାଜନୈତିକ ଦଳ ସମ୍ପତ୍ତିର ୬୯.୩୭ ପ୍ରତିଶତ ଅଟେ। ଏହା ପରେ ବିଏସପି ହେଉଛି ଦେଶର ଦ୍ବିତୀୟ ଧନୀ ଦଳ। ବିଏସ୍ପି ପାଖରେ ୬୯୮.୩୩ କୋଟି ଟଙ୍କାର ସମ୍ପତ୍ତି ଅଛି। ତିନି ନମ୍ବରରେ ରହିଛି କଂଗ୍ରେସ ଦଳ। କଂଗ୍ରେସ ନିଜର ସମ୍ପତ୍ତି ୫୮୮.୧୬ କୋଟି ଟଙ୍କା ବୋଲି ଘୋଷଣା କରିଛି। ରିପୋର୍ଟ ଅନୁଯାୟୀ, ୨୦୧୯ ରୁ ୨୦୨୦ ମଧ୍ୟରେ ୭ଟି ଜାତୀୟ ଏବଂ ୪୪ ଟି ଆଞ୍ଚଳିକ ଦଳ ଦ୍ବାରା ଘୋଷିତ ମୋଟ ସମ୍ପତ୍ତି ଯଥାକ୍ରମେ ୬,୯୮୮.୫୭ କୋଟି ଏବଂ ୨,୧୨୯.୩୮ କୋଟି ଟଙ୍କା ଥିଲା।
/sambad/media/post_attachments/wp-content/uploads/2019/04/bjd-flagf-1.jpg)
ବିଜେଡି ୧୨୯ କୋଟିର ମାଲିକ
ନୂଆଦିଲ୍ଲୀ : ବିଜୁ ଜନତା ଦଳ (ବିଜେଡି) ପାଖରେ ରହିଛି ୧୨୮କୋଟି ୭୫ ଲକ୍ଷ ୨୦ ହଜାର କୋଟି ଟଙ୍କାର ସମ୍ପତ୍ତି। ତେବେ ଏଥିରୁ ସିଂହଭାଗ ଅର୍ଥ ବ୍ୟାଙ୍କରେ ଜମା ଆକାରରେ ରହିଛି। ୨୦୧୯-୨୦ ଆର୍ଥିକ ବର୍ଷରେ ଜାତୀୟ ଓ ଆଞ୍ଚଳିକ ରାଜନୈତିକ ଦଳମାନଙ୍କ ପକ୍ଷରୁ ଘୋଷଣା କରାଯାଇଥିବା ଜମା ଓ ସମ୍ପତ୍ତିକୁ ନେଇ ଆସୋସିଏସନ୍ ଫର୍ ଡେମୋକ୍ରାଟିକ ରିଫର୍ମ (ଏଡିଆର୍) ପକ୍ଷରୁ ଆଜି ଘୋଷିତ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି।
ରିପୋର୍ଟ ଅନୁସାରେ ୨୦୧୯-୨୦ ଆର୍ଥିକ ବର୍ଷରେ ବିଜେଡିର ବ୍ୟାଙ୍କ ସ୍ଥାୟୀ ଜମା ପରିମାଣ ୧୧୮.୪୨୫ କୋଟି ଟଙ୍କା ଥିବାବେଳେ ମୋଟ ସମ୍ପତ୍ତି ପରିମାଣ ୧୨୮.୭୫୨ କୋଟି ଟଙ୍କା ରହିଛି। ଏଥି ମଧ୍ୟରୁ ୧.୪୭୨ କୋଟି ଟଙ୍କାର ସ୍ଥାୟୀ ସମ୍ପତ୍ତି, ୬.୨୨୩ କୋଟି ଟଙ୍କାର ଅନ୍ୟାନ୍ୟ ସମ୍ପତ୍ତି, ଋଣ ଓ ଅଗ୍ରୀମ ଭାବେ ୨.୬୨୩୫ କୋଟି ଟଙ୍କା ଏବଂ ଟିଡିଟିସ୍ ଓ ଟିସିଏସ୍ ୦.୦୦୮୫ କୋଟି ଟଙ୍କା ରହିଛି ବୋଲି ରିପୋର୍ଟରେ କୁହାଯାଇଛି।
୨୦୧୯-୨୦ରେ ୪୪ଟି ଆଞ୍ଚଳିକ ରାଜନୈତିକ ଦଳମାନଙ୍କ ଦ୍ବାରା ଘୋଷଣା କରାଯାଇଥିବା ସମ୍ପତ୍ତିର ପରିମାଣ ୨୧୨୯.୩୮ କୋଟି ଟଙ୍କା ଥିବାବେଳେ ସ୍ଥାୟୀ ଜମା ପରିମାଣ ୧୬୩୯.୫୧ କୋଟି ରହିଛି। ଆଞ୍ଚଳିକ ଦଳମାନଙ୍କ ମଧ୍ୟରେ ବିଜେଡି ସ୍ଥାୟୀ ଜମା ଏବଂ ସମ୍ପତ୍ତି ପରିମାଣ ଦୃଷ୍ଟିରୁ ଅଷ୍ଟମ ସ୍ଥାନରେ ରହିଛି। ଆଞ୍ଚଳିକ ଦଳମାନଙ୍କ ମଧ୍ୟରେ ସମାଜବାଦୀ ପାର୍ଟି ଜମା ଓ ସମ୍ପତ୍ତି ପରିମାଣ ଦୃଷ୍ଟିରୁ ପ୍ରଥମ ସ୍ଥାନରେ ରହିଛି। ସମାଜବାଦୀ ପାର୍ଟିର ସମ୍ପତ୍ତି ପରିମାଣ ୫୬୩.୪୭୦ କୋଟି ଟଙ୍କା ହୋଇଥିବା ବେଳେ ସ୍ଥାୟୀ ଜମା ପରିମାଣ ୪୩୪.୨୧୯ କୋଟି ଟଙ୍କା ରହିଛି। ସେହି ଭଳି ୩୦୧.୪୭ କୋଟି ଟଙ୍କା ସହ ଟିଆର୍ଏସ୍ ଦ୍ବିତୀୟ ସ୍ଥାନରେ ଏବଂ ୨୬୭.୬୧ କୋଟି ଟଙ୍କା ସହ ଏଆଇଏଡିଏମ୍କେ ତୃତୀୟ ସ୍ଥାନରେ ରହିଛି ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି।
ଏହା ସହ ୨୦୧୯-୨୦ ଆର୍ଥିକ ବର୍ଷରେ ଦେଶର ସାତଟି ଜାତୀୟ ରାଜନୈତିକ ଦଳମାନଙ୍କ ଦ୍ବାରା ଘୋଷିତ ସମ୍ପତ୍ତି ଓ ସ୍ଥାୟୀ ଜମା ପରିମାଣ ଯଥାକ୍ରମେ ୬୯୮୮.୫୭ କୋଟି ଟଙ୍କା ଏବଂ ୪୩୩୧.୦୮ କୋଟି ଟଙ୍କା ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/addr.jpg)