ଭାରତୀୟ କପ୍ତାନ ଥିବା ଇରାନୀୟ ତୈଳବାହୀ ଜାହାଜ ‘ଆଡ୍ରିଆନ୍‌ ଦରିଆ-୧’କୁ କଳାତାଲିକାଭୁକ୍ତ କଲା ଆମେରିକା

ଓ୍ଵାସିଂଟନ୍‌: ବିପୁଳ ପରିମାଣର ଅଶୋଧିତ ତୈଳ ବହନ କରି ବହୁ ସପ୍ତାହ ହେବ ଭୂମଧ୍ୟସାଗରରେ ଏଠାରୁ ସେଠାକୁ ଘୂରିବୁଲୁଥିବା ଇରାନୀୟ ତୈଳ ଟ୍ୟାଙ୍କର୍‌ ‘ଆଡ୍ରିଆନ୍‌ ଦରିଆ-୧’କୁ ଶୁକ୍ରବାର ଦିନ ଯୁକ୍ତରାଷ୍ଟ୍ର ଆମେରିକା କଳା ତାଲିକାଭୁକ୍ତ କରିଛି। ଏହି ତୈଳବାହୀ ଜାହାଜର କପ୍ତାନ ହେଉଛନ୍ତି ଅଖିଳେଶ କୁମାର ନାମକ ଜଣେ ଭାରତୀୟ।

ଇରାନ୍‌ ସହ ଯୁକ୍ତରାଷ୍ଟ୍ର ଆମେରିକାର ଚାଲିଥିବା ଉତ୍ତେଜନା ମଧ୍ୟରେ ଯୁକ୍ତରାଷ୍ଟ୍ର ଆମେରିକା କଟକଣାର ସରବ୍ୟ ହୋଇଥିବା ପ୍ରଥମ ଭାରତୀୟ ବୋଧହୁଏ ହେଉଛନ୍ତି ଏହି କପ୍ତାନ। କିନ୍ତୁ, ବିହାରର ପାଟନାରେ ଜନ୍ମିତ କୁମାରଙ୍କ ଜନ୍ମସ୍ଥାନ ଓ ଜନ୍ମ ତାରିଖ ବ୍ୟତୀତ ଅନ୍ୟ ତାଙ୍କ ସଂକ୍ରାନ୍ତରେ ଅନ୍ୟ କୌଣସି କଥା ଜଣାପଡ଼ି ନାହିଁ।

ପଣ୍ୟବାହୀ ଜାହାଜ ଚଳାଇବାରେ ଦୁଇ ବର୍ଷର ଅଭିଜ୍ଞତା ଥିବା କୁମାର କହନ୍ତି: ଆଇନ୍‌ ଉଲ୍ଲଂଘନ କରୁଥିବା ଜାହାଜରେ ରହିବା ବିପଜ୍ଜନକ ନିଶ୍ଚୟ। ବେଳେ ବେଳେ ଲୋକେ ଅଜାଣତରେ ଏଭଳି ପରିସ୍ଥିତିରେ ପଡ଼ି ଯାଆନ୍ତି। ମୁଁ ଭାବେ ଅନ୍ୟମାନେ ଏହାର ସୁଯୋଗ ନିଅନ୍ତି।

ୟୁଏସ୍‌ ଟ୍ରେଜରି କହିଛି, ପୂର୍ବରୁ ଗ୍ରେସ୍‌-୧ ବୋଲି କୁହାଯାଉଥିବା ଏହି ଜାହାଜ ୨.୧ ମିଲିୟନ୍‌ ବାରେଲ୍‌ ଅଶୋଧିତ ତୈଳ ନେଇ ଯାଉଛି। ଏହା ବିକ୍ରି ହେଲେ ଇରାନୀୟାନ୍‌ ଇସ୍‌ଲାମିକ୍‌ ରିଭୋଲ୍ୟୁସନେରି ଗାର୍ଡସ୍‌ କର୍ପସ୍‌-କୁଦ୍‌ସ୍‌ ଫୋର୍ସ’ ଲାଭବାନ ହୋଇ ପୁଣି ଆତଙ୍କବାଦ କାର୍ଯ୍ୟକଳାପ ଆରମ୍ଭ କରିବ।

ଉଭୟ ଜାହାଜ ଏବଂ କୁମାରଙ୍କୁ ଡେଜିଗ୍‌ନେଟ୍‌ କରି ଯୁକ୍ତରାଷ୍ଟ୍ର ଆମେରିକା କହିଛି: ଆତଙ୍କବାଦୀଙ୍କୁ ଏବଂ ଆତଙ୍କବାଦକୁ ବା ଆତଙ୍କବାଦ କାର୍ଯ୍ୟକଳାପକୁ ସମର୍ଥନ କରୁଥିବା ବ୍ୟକ୍ତିଙ୍କ ପ୍ରତି ପଦକ୍ଷେପ ନିଆଯାଇଛି।

ପୂର୍ବରୁ ଜୁଲାଇ ମାସରେ ଗ୍ରେସ୍‌-୧ ନାମ ଥିବା ବେଳେ ଏହି ଜାହାଜକୁ ଜିବ୍ରାଲ୍‌ଟର୍‌ ଠାରେ ଇଂଲଣ୍ଡ ଜବତ କରିଥିଲା। ସେତେବେଳେ ଏଥିରେ ସିରିଆ ପାଇଁ ଉଦ୍ଦିଷ୍ଟ ୧୪୦ ମିଲିୟନ୍‌ ଡଲାର୍‌ ମୂଲ୍ୟର ଅଶୋଧିତ ତୈଳ ଥିଲା।

ସମ୍ବନ୍ଧିତ ଖବର