ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ :ଏଣିକି ବ୍ୟଭିଚାର ଅପରାଧ ନୁହେଁ; ଆଇପିସି ଧାରା ୪୯୭ ଅବୈଧ

ନୂଆଦିଲ୍ଲୀ : ବିବାହ ବାହାରେ ଯଦି ବିବାହିତ ପୁରୁଷ ଓ ଅନ୍ୟ ଜଣେ ବିବାହିତା ମହିଳା ସହ ସଂପର୍କ ରଖନ୍ତି, ତେବେ ଏହା ଆଉ ଅପରାଧ ହେବନାହିଁ । ପରକୀୟା ପ୍ରୀତିକୁ ଅପରାଧ ମୁକ୍ତ କରିଛନ୍ତି ସୁପ୍ରିମକୋର୍ଟ । ଆଇପିସିର ଧାରା ୪୯୭କୁ ଅବୈଧ ଘୋଷଣା କରାଯାଇଛି । ସର୍ବୋଚ୍ଚ ନ୍ୟାୟାଳୟର ରାୟ ପରେ ବ୍ୟଭିଚାର ବିରୋଧୀ ଆଇନ ଭାବେ ପରିଚିତ ଧାରା ୪୯୭ର ସାମ୍ବିଧାନିକ ବୈଧତା ନେଇ ଯେଉଁ ବିତର୍କ ଚାଲିଥିଲା, ତା’ର ଅବସାନ ଘଟିଛି ।

ଏଣିକି ପରକୀୟା ପ୍ରୀତି ଅପରାଧ ଭାବେ ଗଣାଯିବନାହିଁ । ଅର୍ଥାତ ଜଣେ ବିବାହିତ ପୁରୁଷ ଅନ୍ୟ ଜଣେ ବିବାହିତା ମହିଳାଙ୍କ ସହ ଅନୈତିକ ସଂପର୍କ ରଖିଲେ ଏହା ଅପରାଧ ନୁହେଁ । ଯେଉଁ ଆଇପିସିର ଧାରା ୪୯୭ରେ ଏହାକୁ ଅପରାଧଭୁକ୍ତ କରାଯାଇଥିଲା, ତାହାକୁ ଅବୈଧ ଘୋଷଣା କରିଛନ୍ତି ସୁପ୍ରିମକୋର୍ଟ । ବ୍ୟଭିଚାରକୁ ଅପରାଧ ମୁକ୍ତ କଲେ ଏହା ବୈବାହିକ ଅନୁଷ୍ଠାନକୁ ପ୍ରଭାବିତ କରିବ ବୋଲି ଯୁକ୍ତି ବାଢିଥିଲେ କେନ୍ଦ୍ର ସରକାର। ମାତ୍ର ଏହାକୁ ଖାରଜ କରି ଦେଇଛନ୍ତି ସୁପ୍ରିମକୋର୍ଟ । ସର୍ବୋଚ୍ଚ ନ୍ୟାୟାଳୟର ଐତିହାସିକ ରାୟ ପରେ ୧୫୮ ବର୍ଷ ତଳର ବ୍ରିଟିଶ ଆଇନ ରଦ୍ଦ ହୋଇଯାଇଛି ।

arandbench.com

ପ୍ରଧାନ ବିଚାରପତି ଦୀପକ ମିଶ୍ର, ଜଷ୍ଟିସ ଆର.ଏଫ ନରିମାନ, ଜଷ୍ଟିସ ଏ.ଏମ.ଖାନୱିଲକର, ଜଷ୍ଟିସ ଡି.ୱାଇ.ଚନ୍ଦ୍ରଚୁଡ ଏବଂ ଜଷ୍ଟିସ୍ ଇନ୍ଦୁ ମଲହୋତ୍ରାଙ୍କ ଖଣ୍ଡପୀଠ ବ୍ୟଭିଚାରକୁ ଅପରାଧ ମୁକ୍ତ କରିଛନ୍ତି । ଆଇପିସି ଧାରା ୪୯୭ରେ ବ୍ୟଭିଚାରକୁ ଅପରାଧ ତାଲିକାଭୁକ୍ତ କରାଯାଇଥିଲା ଏବଂ ସିଆରପିସି ଧାରା ୧୯୮ରେ ଏଥିପାଇଁ ଦଣ୍ଡ ବିଧାନ ବ୍ୟବସ୍ଥା ଥିଲା । ଏହି ଦୁଇଟି ଧାରାକୁ ଅସିଦ୍ଧ ଘୋଷଣା କରିଛନ୍ତି ଖଣ୍ଡପୀଠ ।

ପ୍ରଧାନ ବିଚାରପତି ଦୀପକ ମିଶ୍ର କହିଛନ୍ତି, ପରକୀୟା ପ୍ରୀତି ବା ବ୍ୟଭିଚାର ଛାଡପତ୍ର ପାଇଁ ଆଧାର ହୋଇପାରେ କିନ୍ତୁ ଅପରାଧ ନୁହେଁ । ଜଷ୍ଟିସ ଦୀପକ ମିଶ୍ର ଏବଂ ଜଷ୍ଟିସ୍ ଖାନୱିଲକର କହିଛନ୍ତି ଯଦି ବ୍ୟଭିଚାର କାରଣରୁ ପତି କିମ୍ବା ପତ୍ନୀ ଆତ୍ମହତ୍ୟା କରନ୍ତି, ଆଉ ଏହାର ପ୍ରମାଣ ଥାଏ, ତେବେ ଆତ୍ମହତ୍ୟା ପାଇଁ ପ୍ରରୋଚିତ ମାମଲାରେ ଏହା ଅନ୍ତର୍ଭୁକ୍ତ ହେବ । ସେହିଭଳି ବିଚାରପତି ଇନ୍ଦୁ ମଲହୋତ୍ରା କହିଛନ୍ତି ଧାରା ୪୯୭ ସାମ୍ବିଧାନିକ ନୁହେଁ ।

ସମ୍ବନ୍ଧିତ ଖବର