କୋଭାକ୍ସିନ ଓ କୋଭିସିଲ୍‌ଡ ନେଇଥିବା ବୟସ୍କ ବ୍ୟକ୍ତି ପ୍ରିକସନ ଡୋଜ୍ ଭାବେ କର୍ବେଭାକ୍ସ ନେଇପାରିବ

ନୂଆଦିଲ୍ଲୀ : ପୂର୍ବରୁ କୋଭାକ୍ସିନ ବା କୋଭିସିଲ୍‌ଡ ଟିକା ନେଇଥିବା ୧୮ ବର୍ଷରୁ ଊର୍ଦ୍ଧ୍ବ ଯେକୌଣସି ବ୍ୟକ୍ତି ପ୍ରିକସନ ବା ବୁଷ୍ଟର ଡୋଜ୍ ଭାବେ ବାୟୋଲୋଜିକାଲ ଇ’ର କର୍ବେଭାକ୍ସ ନେଇପାରିବ ବୋଲି ସରକାର ଅନୁମତି ପ୍ରଦାନ କରିଛନ୍ତି। ପ୍ରଥମ ଥର ପାଇଁ କୋଭିଡ୍‌-୧୯ର ପ୍ରତିଷେଧ ନିମନ୍ତେ ପ୍ରାଥମିକ ଟିକାକରଣରେ ନିଆଯାଇଥିବା ଟିକାଠାରୁ ଏକ ଭିନ୍ନ ଟିକାକୁ ବୁଷ୍ଟର ଡୋଜ୍ ଆକାରରେ ନେବାକୁ ସରକାରୀ ଅନୁମତି ମିଳିଛି।

ନ୍ୟାସନାଲ ଟେକ୍ନିକାଲ ଆଡ୍‌ଭାଇଜରି ଗ୍ରୁପ୍‌ ଅନ୍ ଇମ୍ୟୁନାଇଜେସନ (ଏନ୍‌ଟିଏଜିଆଇ)ର କୋଭିଡ୍-୧୯ ୱାର୍କିଂ ଗ୍ରୁପ୍‌ର ସୁପାରିସକ୍ରମେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଏହି ଅନୁମତି ପ୍ରଦାନ କରିଛନ୍ତି। ସରକାରୀ ଘୋଷଣା ଅନୁଯାୟୀ କୋଭାକ୍ସିନ ବା କୋଭିସିଲ୍‌ଡର ଦ୍ବିତୀୟ ଡୋଜ୍ ନେବାର ୬ ମାସ ବା ୨୬ ସପ୍ତାହ ପରେ ୧୮ ବର୍ଷରୁ ଊର୍ଦ୍ଧ୍ବ ଯେକୌଣସି ବ୍ୟକ୍ତି କର୍ବେଭାକ୍ସକୁ ବୁଷ୍ଟର ଡୋଜ୍ ଭାବେ ନେଇପାରିବ। ତେବେ ଯେଉଁମାନେ ଚାହିବେ ସମାନ ଟିକା ବି ନେଇପାରିବେ, ଅର୍ଥାତ୍ କୋଭାକ୍ସିନ ନେଇଥିବା ବ୍ୟକ୍ତି କୋଭାକ୍ସିନ ଏବଂ କୋଭିସିଲ୍‌ଡ ନେଇଥିବା ବ୍ୟକ୍ତି କୋଭିସିଲ୍‌ଡ ତୃତୀୟ ଡୋଜ୍ ଭାବେ ନେଇପାରିବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର