ନୂଆଦିଲ୍ଲୀ: ଆଧୁନିକ ଜୀବନଶୈଳୀକୁ ନେଇ ଦେଖାଦେଉଥିବା ହୃତ୍ପିଣ୍ଡ ଏବଂ ଫୁସ୍ଫୁସ୍ଜନିତ ରୋଗରେ ସର୍ବାଧିକ ମୃତ୍ୟୁ ଘଟିଚାଲିଛି। ଏପରିକି ଓଡ଼ିଶା ପରି ସାମାଜିକ ଏବଂ ଆର୍ଥିକ ଅନଗ୍ରସର ରାଜ୍ୟରେ ମଧ୍ୟ ଏହି ସବୁ ରୋଗରେ ମୃତ୍ୟୁହାର ସର୍ବାଧିକ ବୋଲି ଜଣାଯାଇଛି। ଭାରତୀୟ ରାଜ୍ୟସ୍ତରୀୟ ରୋଗ ବୋଝ ଅଭିଯାନ(ଆଇଏସ୍ଏଲ୍ ଡିବିଆଇ) ପକ୍ଷରୁ ପ୍ରକାଶିତ ରିପୋର୍ଟରୁ ଏଭଳି ଚିନ୍ତାଜନକ ସ୍ଥିତି ସମ୍ପର୍କରେ ସୂଚନା ମିଳିଛି।
ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମ୍ଆର୍), ଭାରତୀୟ ସର୍ବ ସାଧାରଣ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ (ପିଏଚ୍ଏଫ୍ଆଇ) ଏବଂ ସ୍ୱାସ୍ଥ୍ୟ ପ୍ରଣାଳୀ ଏବଂ ପରିମାପକ ପ୍ରତିଷ୍ଠାନ (ଆଇଏଚ୍ଏମ୍ଇ) ପକ୍ଷରୁ ମିଳିତ ଭାବେ ପ୍ରଥମ ଥର ପାଇଁ ରାଜ୍ୟସ୍ତରୀୟ ରୋଗ ବୋଝ ଉପରେ କରାଯାଇଥିବା ଏହି ସର୍ବେକ୍ଷଣର ରିପୋର୍ଟ ଅନୁଯାୟୀ, ୧୯୯୦ରୁ ୨୦୧୬ ମସିହା ମଧ୍ୟରେ ଦେଶରେ ମୋଟ ରୋଗାକ୍ରାନ୍ତଙ୍କ ଭିତରୁ ପ୍ରାୟ ଦୁଇ ତୃତୀୟାଂଶ ହିଁ ସଂକ୍ରାମକ ରୋଗର ଶିକାର ହୋଇଛନ୍ତି। ତେବେ ଅପପୁଷ୍ଟି ସାଙ୍ଗକୁ ପ୍ରଗତି ଜନିତ ସଂକ୍ରମଣ ହିଁ ଏଥିରୁ ସିଂହଭାଗ ବହନ କରୁଛି। ସେହିପରି ଆଧୁନିକ ଜୀବନଚର୍ଯ୍ୟା ଯୋଗୁଁ ହେଉଥିବା ହୃତ୍ପିଣ୍ଡ ଏବଂ ଫୁସ୍ଫୁସ୍ ଜନିତ ରୋଗର ତଥାକଥିତ ମହାମାରୀ ସଂକ୍ରମିତ ଦେଶ ଭାବେ ଭାରତକୁ ୨୦୦୩ ମସିହାରୁ ଗଣାଯାଉଛି। ତେବେ ସାରା ଦେଶରେ ଏହି ସବୁ ରୋଗର ଉଲ୍ଲେଖନୀୟ ପ୍ରଭାବ କେରଳ, ଗୋଆ, ତାମିଲନାଡୁ, ହିମାଚଳପ୍ରଦେଶ ଏବଂ ପଞ୍ଜାବ ଆଦି ରାଜ୍ୟରେ ୧୯୮୬ ମସିହା ବେଳକୁ ଦେଖାଦେଇଥିଲା। ଅପରପକ୍ଷେ, ଓଡ଼ିଶା, ବିହାର, ଛତିଶଗଡ଼, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ରାଜସ୍ଥାନ, ଉତ୍ତରାଖଣ୍ଡ ଏବଂ ଉତ୍ତରପ୍ରଦେଶ ପରି ଆର୍ଥିକ ଅନଗ୍ରସର ରାଜ୍ୟରେ ମଧ୍ୟ ଏହି ସବୁ ରୋଗର ପ୍ରାଦୁର୍ଭାବ ୨୦୧୦ ମସିହା ପରେ ବ୍ୟାପକ ହେବାରେ ଲାଗିଛି। ଏପରିକି ଏହି ସବୁ ରାଜ୍ୟରେ ପାଖାପାଖି ୫୯ କୋଟି ଲୋକ ଏଥିରେ ଆକ୍ରାନ୍ତ ହୋଇଛନ୍ତି। ଆଧୁନିକ ଜୀବନ ଯାପନ ପାଇଁ ଲୋକେ ପାଶ୍ଚାତ୍ୟ ସଂସ୍କୃତିକୁ ଆପଣେଇବା ପାଇଁ ତତ୍ପର। ତେବେ କେବଳ ଖାଦ୍ୟଗ୍ରହଣ ପାଇଁ ତାହାକୁ ଅନୁସରଣ କରୁଥିବା ବେଳେ ଶରୀରରୁ ଅନାବଶ୍ୟକ ଶକ୍ତି(କ୍ୟାଲୋରି) ସାରିବା ପାଇଁ ସେମାନେ ପାଶ୍ଚାତ୍ୟ ପ୍ରକ୍ରିୟାକୁ ଗ୍ରହଣ କରୁନାହାନ୍ତି। ଏଥିଯୋଗୁଁ ଝାଡ଼ାବାନ୍ତି, ଫୁସ୍ଫୁସ୍ ସଂକ୍ରମଣ, ହୃଦ୍ଘାତ, ଟିବି ଏବଂ କିଡ୍ନି ରୋଗ ସମେତ ଆତ୍ମହତ୍ୟା ପ୍ରବଣତା ମଧ୍ୟ ମାଡ଼ିଚାଲିଛି। ଝାଡ଼ଖଣ୍ଡ ଓ ଓଡ଼ିଶାରେ ଝାଡ଼ାବାନ୍ତିରେ ମୃତ୍ୟୁହାର ସର୍ବାଧିକ ରହିଛି।