ଅଯୋଧ୍ୟା ବିବାଦରେ ଏକ ଏକ ନିର୍ଣ୍ଣାୟକ ମୋଡ଼ ଥିଲା ଲାଲକୃଷ୍ଣ ଆଡଭାନୀଙ୍କ ଦେଶବ୍ୟାପୀ ରାମ ରଥଯାତ୍ରା। ୧୯୯୦ ମସିହାରେ ଭି ପି ସିଂହ ବିଜେପି ସମର୍ଥନରେ ଭାରତର ପ୍ରଧାନମନ୍ତ୍ରୀ ହୋଇଥାନ୍ତି। ଏହି ସମୟରେ ତତ୍କାଳୀନ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଲାଲକୃଷ୍ଣ ଆଡଭାନୀ ବିବାଦୀୟ ସ୍ଥଳରେ ରାମ ମନ୍ଦିର ନିର୍ମାଣ ପାଇଁ ଏକ ରଥଯାତ୍ରା ଆରମ୍ଭ କରିଥିଲେ। ସଂଘ ପରିବାରରେ ଭିଏଚ୍‌ପି (ବିଶ୍ବ ହିନ୍ଦୁ ପରିଷଦ) ଏବଂ ଏହାର ସହଯୋଗୀଙ୍କ ଦ୍ବାରା ହୋଇଥିବା ଆନ୍ଦୋଳନକୁ ସମର୍ଥନ କରିବା ଏହି ଯାତ୍ରାର ଉଦ୍ଦେଶ୍ୟ ଥିଲା। ଗୁଜରାଟର ସୋମନାଥ ମନ୍ଦିରରୁ ଏହି ବହୁଚର୍ଚ୍ଚିତ ରଥଯାତ୍ରା ଆରମ୍ଭ ହୋଇ ଦେଶ ପରିକ୍ରମା କରିବା ପରେ ଅଯୋଧ୍ୟାରେ ପହଞ୍ଚିବାର ଯୋଜନା ଥିଲା। ରଥଯାତ୍ରାରେ ତାଙ୍କ ସହ ସେତେବେଳେ ମୁରଲୀ ମନୋହର ଯୋଶୀ, ଉମା ଭାରତୀଙ୍କ ଭଳି ବିଜେପିର ବରିଷ୍ଠ ନେତାମାନେ ରହିଥିବାବେଳେ ଅପେକ୍ଷାକୃତ କମ୍‌ ପରିଚିତ ଥିବା ନରେନ୍ଦ୍ର ମୋଦୀ ଏହାକୁ ପରିଚାଳନା କରୁଥିଲେ। ଏହା ବ୍ୟତୀତ ରଥଯାତ୍ରାରେ ହଜାର ହଜାର କରସେବକ ଏବଂ ‌ସ୍ବେଚ୍ଛାକର୍ମୀ ଯୋଗ ଦେଇଥିଲେ। ସେପ୍ଟେମ୍ବର ୨୫ରେ ରଥଯାତ୍ରା ଆରମ୍ଭ ହୋଇ ଶହ ଶହ ଗ୍ରାମ ଏବଂ ସହର ଦେଇ ଆଗେଇ ଚାଲିଥିଲା। ଦିନକୁ ପ୍ରାୟ ୩୦୦ କିମି ପର୍ଯ୍ୟନ୍ତ ରଥଯାତ୍ରା ପରିଚାଳନା କରାଯାଉଥିଲା। ଆଡ଼ଭାନୀ ପ୍ରତିଦିନ ପ୍ରାୟ ୬ଟି ରୢାଲିରେ ଉଦ୍‌ବୋଧନ ଦେଉଥିଲେ। ଏହି ଯାତ୍ରାକୁ ‌ନେଇ ଦେଶରେ ଧାର୍ମିକ ହିଂସା‌ ସୃଷ୍ଟି ହୋଇଥିଲା ଏବଂ ଉତ୍ତର ଭାରତରେ ଦଙ୍ଗା ଦେଖା ଦେଇଥିଲା। ତେବେ ଏହି ରଥଯାତ୍ରା ଅକ୍ଟୋବର ୨୩ରେ ସେ ବିହାରରେ ପହଞ୍ଚିବା ପରେ ତତ୍କାଳନୀ ବିହାର ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ଆଗକୁ ବଢ଼ିବାକୁ ନ ଦେଇ ସେମାନଙ୍କୁ ଗିରଫ କରିଥିଲେ। ଅନ୍ୟପକ୍ଷରେ ତାଙ୍କର ପ୍ରାୟ ଦେଢ଼ ଲକ୍ଷ ସମର୍ଥକ ମଧ୍ୟ ଉତ୍ତର ପ୍ରଦେଶର ମୁଲାୟମ ସିଂହ ଯାଦବ ସରକାର ଦ୍ବାରା ଗିରଫ ହୋଇଥିଲେ। ଏହାକୁ ବିରୋଧ କରି ବିଜେପି କେନ୍ଦ୍ରର ଭିପି ସିଂହ ସରକାରରୁ ସମର୍ଥନ ପ୍ରତ୍ୟାହାର କରିନେଇଥିଲା। ପରେ କଂଗ୍ରେସ ସମର୍ଥନରେ ଚନ୍ଦ୍ରଶେଖର ଭାରତର ପ୍ରଧାନମନ୍ତ୍ରୀ ହେଲେ। ‌ସେହିପରି ଅକ୍ଟୋବର ୩୦ରେ ରଥଯାତ୍ରାରେ ସାମିଲ ଥିବା ଅନେକ ଅଂଶଗ୍ରହଣକାରୀ ଅଯୋଧ୍ୟାରେ ଏକତ୍ରିତ ହୋଇଥିବା ସମୟରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବଙ୍କ ନିର୍ଦ୍ଦେଶକ୍ରମେ ପୁଲିସ ଗୁଳିରେ ଟଳି ପଡ଼ି‌ଥିଲେ। ସେମାନଙ୍କ ମର ଶରୀର ସରଜୁ ନଦୀରେ ଫୋପାଡ଼ି ଦିଆଯାଇଥିଲା। ଏହାକୁ ନେଇ ହିନ୍ଦୁ ସଂଗଠନଗୁଡ଼ିକ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା। ଦେଶବ୍ୟାପୀ ହିନ୍ଦୁ ମୁସଲିମ ଦଙ୍ଗା ଜୋରଦାର ହୋଇଥିଲା ଏବଂ ଦଙ୍ଗାରେ ଉତ୍ତରପ୍ରଦେଶରେ ଅନେକ ମୁସଲମାନ ପ୍ରାଣ ହରାଇଥିଲେ।