ଚୀନର ଗୋପନ ଗତିବିଧିକୁ ନେଇ ଭାରତର ସଂଦେହ, ଚୀନ ସୀମାରେ ରାଫେଲ, ଏସ-୪୦୦ ମୃତୟନ ପାଇଁ ଆଗୁଆ ଯୋଜନା କରାଯାଉଛି

ନୂଆଦିଲ୍ଲୀ : ଚୀନ ସହିତ ଭାରତର ରହିଥିବା ଉତ୍ତେଜନା ଏବେ ଆଗଭଳି ବିଶେଷ ନାହିଁ । ଡୋକଲାମ ବିବାଦ ପରଠାରୁ ଏହା ହ୍ରାସ ପାଇ ଏବେ ସ୍ୱାଭାବିକ ସ୍ତରରେ ରହିଛି । ତଥାପି ଚୀନ ଉପରେ ସଂପୂର୍ଣ୍ଣ ଭରଷା କରିପାରୁନାହିଁ ଭାରତ । କାରଣ ଚୀନ ନିୟମିତ ଭାବେ ତିବ୍ଦତ ମାଳଭୂମି ଅଞ୍ଚଳରେ ଯୁଦ୍ଧାଭ୍ୟାସ ଚଳାଇଛି ।

ଚୀନର ପିପୁଲ୍ସ ଲିବରେସନ ଆର୍ମି ଏୟାରଫୋର୍ସ ପକ୍ଷରୁ ସେଠାରେ ଅତ୍ୟାଧୁନିକ ଯୁଦ୍ଧ ଭିତ୍ତିଭୂମି ନିର୍ମାଣ କରାଯାଇଛି । ଲଢୁଆ ବିମାନ ଲାଗି ସେଠାରେ ଏକାଧିକ ବାୟୁସେନା ଘାଟି ନିର୍ମାଣ କରାଯାଇଛି । ଏହା ସହିତ ଚୀନ ବାୟୁସେନା ସେଠାରେ ନିୟମିତ ଯୁଦ୍ଧାଭ୍ୟାସ ଚଳାଇଛି । ଯୁଦ୍ଧ ଉପୁଜିଲେ ଚୀନ ଅଳ୍ପ ସମୟ ମଧ୍ୟରେ ହିଁ ଭାରତର ଉତ୍ତରପୂର୍ବାଞ୍ଚଳରେ ପହଞ୍ଚିବା ପାଇଁ ପ୍ରସ୍ତୁତି ଚଳାଇଛି । ଏହାକୁ ଲକ୍ଷ୍ୟ ରଖି ଭାରତୀୟ ବାୟୁସେନା କେତେକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛି ।

ଏ ଅଂଚଳରେ ୬ଟି ଆକାଶ ମିସାଇଲ ସିଷ୍ଟମ ମୃତୟନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ଏହା ସହିତ ଗୋଟିଏ ଲେଖାଏଁ ସ୍କ୍ଵାର୍ଡନ ଆପାଚେ ଓ ଚିନୁକ ହେଲିକାପ୍ଟର ମୃତୟନ ପାଇଁ ଯୋଜନା କରାଯାଉଛି । ଆଗାମୀ ଦିନରେ ରାଫେଲ ବିମାନ ମଧ୍ୟ ମୃତୟନ କରାଯିବ । ଏପରିକି ଋଷିଆଠାରୁ କିଣାଯାଉଥିବା ବିଶ୍ୱ ପ୍ରସିଦ୍ଧ ଏସ-୪୦୦ ମିସାଇଲ ଡିଫେନ୍ସ ସିଷ୍ଟମ ଭାରତ ହାତକୁ ଆସିବା ପରେ ଏ ଅଞ୍ଚଳରେ ମୃତୟନ କରିବାକୁ ଯୋଜନା କରାଯାଉଛି । ଏସ-୪୦୦ ମୃତୟନ ହେଲେ ସମଗ୍ର ତିବ୍ଦତ ଅଂଚଳ ଏହାର ରେଞ୍ଜରେ ଆସିଯିବ ।  ଏପରି ହେଲେ ଚୀନ ଆକ୍ରମଣ କରିବା ପୂର୍ବରୁ ହଜାର ଥର ଚିନ୍ତା କରିବ ।

ସମ୍ବନ୍ଧିତ ଖବର