ଅହମଦାବାଦ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦିନ ଅହମଦାବାଦର ସାବରମତୀ ନଦୀ ତଟରେ ଖଦି ଉତ୍ସବରେ ଅଂଶଗ୍ରହଣ କରିଥିଲେ। ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ, ସାଂସଦ ସିଆର୍ ପାଟିଲ, ରାଷ୍ଟ୍ରମନ୍ତ୍ରୀ ହର୍ଷ ସାଙ୍ଗଭି ଏବଂ ଅହମଦାବାଦ ମେୟର ଜଗଦୀଶ ପଞ୍ଚଲ ପ୍ରମୁଖ ଉପସ୍ଥିତ ଥିଲେ।
ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଚରଖା ସହ ତାଙ୍କର ବ୍ୟକ୍ତିଗତ ସମ୍ପର୍କକୁ ମନେ ପକାଇଥିଲେ ଯେତେବେଳେ ତାଙ୍କ ମା’ ଚରଖାରେ କାମ କରୁଥିଲେ। ସେ କହିଛନ୍ତି, ୭୫ ବର୍ଷର ସ୍ୱାଧୀନତା ଅବସରରେ ସାବରମତୀ ତଟରେ ଆଜି ଆଶୀର୍ବାଦପ୍ରାପ୍ତ ହୋଇଛି, ୭୫୦୦ ଭଉଣୀ ଏବଂ ଝିଅ ଏକତ୍ର ଏକ ଚରଖାରେ ସୂତା କାଟି ଇତିହାସ ସୃଷ୍ଟି କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଚରଖାରେ ସୂତା କାଟିବା କୌଣସି ପୂଜାପାଠଠାରୁ କମ୍ ନୁହେଁ।
ପ୍ରଧାନମନ୍ତ୍ରୀ ଆଜି ଉଦ୍ଘାଟନ କରିଥିବା ‘ଅଟଳ ସେତୁ’ର ଜ୍ଞାନକୌଶଳ ଏବଂ ଡିଜାଇନ୍ର ଉତ୍କର୍ଷକୁ ଉଲ୍ଲେଖ କରି କହିଛନ୍ତି ଯେ ଏହି ସେତୁ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି, ଯାହାଙ୍କୁ ଗୁଜରାଟର ଲୋକେ ଖୁବ୍ ଭଲ ପାଉଥିଲେ। ଅଟଳ ସେତୁ କେବଳ ସାବରମତୀ ନଦୀର ଦୁଇଟି କୂଳକୁ ସଂଯୋଗ କରୁନାହିଁ, ବରଂ ଏହା ଡିଜାଇନ୍ ଏବଂ ନବସୃଜନ କ୍ଷେତ୍ରରେ ମଧ୍ୟ ଅଭୂତପୂର୍ବ।
ପ୍ରଧାନମନ୍ତ୍ରୀ କହିଛନ୍ତି, ଖଦିର ଏକ ସୂତା ସ୍ୱାଧୀନତା ଆନ୍ଦୋଳନକୁ ଶକ୍ତି ହୋଇଗଲା, ଏହା ଦାସତ୍ୱର ଶିକୁଳି ଭାଙ୍ଗିଲା। ଖଦିର ସମାନ ସୂତା ଏକ ବିକଶିତ ଭାରତର ପ୍ରତିଶ୍ରୁତି ପୂରଣ କରିବ। ଏହା ଆତ୍ମନିର୍ଭର ଭାରତର ସ୍ୱପ୍ନ ପୂରଣ କରିବା ପାଇଁ ପ୍ରେରଣାର ଉତ୍ସ ହୋଇପାରେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ତାଙ୍କର ପଞ୍ଚ-ପ୍ରଣ (ପାଞ୍ଚଟି ଶପଥ)କୁ ମନେ ପକାଇଲେ ଯାହା ସେ ୧୫ ଅଗଷ୍ଟରେ ଲାଲକିଲ୍ଲାରୁ ଘୋଷଣା କରିଥିଲେ। ସାବରମତୀ କୂଳରେ ଏହି ପବିତ୍ର ସ୍ଥାନରେ ମୁଁ ପଞ୍ଚ-ପ୍ରଣର ପୁନରାବୃତ୍ତି କରିବାକୁ ଚାହୁଛି। ପ୍ରଥମ – ଦେଶ ସାମ୍ନାରେ ମହାନ ଲକ୍ଷ୍ୟ, ଏକ ବିକଶିତ ଭାରତ ଗଠନ। ଦ୍ୱିତୀୟ – ଦାସତ୍ୱ ମାନସିକତାର ସମ୍ପୂର୍ଣ୍ଣ ତ୍ୟାଗ। ତୃତୀୟ – ଆମର ଐତିହ୍ୟ ପାଇଁ ଗର୍ବ କରିବା, ଚତୁର୍ଥ- ଜାତିର ଏକତା ବୃଦ୍ଧି ପାଇଁ ଦୃଢ ପ୍ରୟାସ, ଏବଂ ପଞ୍ଚମ ନାଗରିକ କର୍ତ୍ତବ୍ୟ। ସେ କହିଥିଲେ ଯେ ଆଜିର ଖଦି ଉତ୍ସବ ହେଉଛି ‘ପଞ୍ଚ ପ୍ରଣ’ର ଏକ ସୁନ୍ଦର ପ୍ରତିଫଳନ।
ସ୍ୱାଧୀନତା ପରବର୍ତ୍ତୀ ସମୟରେ ଖଦି ପ୍ରତି ଅବହେଳା ସଂକ୍ରାନ୍ତରେ ପ୍ରଧାନମନ୍ତ୍ରୀ କହିଥିଲେ। ସ୍ୱାଧୀନତା ଆନ୍ଦୋଳନ ସମୟରେ ଗାନ୍ଧିଜୀ ଦେଶର ଆତ୍ମସମ୍ମାନର ପ୍ରତୀକ ଭାବରେ ତିଆରି କରିଥିବା ଖଦି ସ୍ୱାଧୀନତା ପରେ ଏକ ନିମ୍ନ ମାନସିକତାରେ ପରିଣତ ହୋଇଥିଲା। ଏହି କାରଣରୁ ଖଦି ଏବଂ ଖଦି ସହିତ ଜଡିତ ଗ୍ରାମ୍ୟ ଶିଳ୍ପ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା। ବିଶେଷକରି ଗୁଜରାଟ ପାଇଁ ଖଦିର ଏହି ଅବସ୍ଥା ଅତ୍ୟନ୍ତ ଯନ୍ତ୍ରଣାଦାୟକ ଥିଲା। ଗୁଜରାଟ ମାଟିରେ ଖଦିକୁ ପୁନର୍ଜୀବିତ କରିବାର କାର୍ଯ୍ୟ ହୋଇଥିବାରୁ ସେ ଗର୍ବ ଅନୁଭବ କରିଥିଲେ। ପ୍ରଧାନମନ୍ତ୍ରୀ ସରକାରଙ୍କ ପାଇଁ ‘ଖଦି ଫର୍ ଟ୍ରାନ୍ସଫର୍ମେସନ୍’, ‘ଖଦି ଫର୍ ନେସନ’, ‘ଖଦି ଫର୍ ଫ୍ୟାଶନ’ ପ୍ରତିଜ୍ଞା ଉପରେ ଗୁରୁତ୍ୱାରୋପ କରିଥିଲେ। ଖଦିର ପୁନର୍ଜୀବନ ପ୍ରକ୍ରିୟାରେ ମହିଳାଙ୍କ ଅବଦାନକୁ ମଧ୍ୟ ସେ ସ୍ୱୀକାର କରିଥିଲେ। ଭାରତର ଖଦି ଶିଳ୍ପର ବଢୁଥିବା ଶକ୍ତିରେ ମହିଳା ଶକ୍ତି ମଧ୍ୟ ଏକ ପ୍ରମୁଖ ଯୋଗଦାନକାରୀ। ସେ ସୂଚନା ଦେଇଛନ୍ତି ଯେ ଗତ ୮ ବର୍ଷ ମଧ୍ୟରେ ଖଦିର ବିକ୍ରି ଚାରିଗୁଣ ବୃଦ୍ଧି ପାଇଛି ଏବଂ ପ୍ରଥମ ଥର ପାଇଁ ଖଦି ଏବଂ ଗ୍ରାମୋଦ୍ୟୋଗ କାରବାର ଏକ ଲକ୍ଷ କୋଟି ଅତିକ୍ରମ କରିଛି। ଏହି କ୍ଷେତ୍ର ମଧ୍ୟ ୧.୭୫ କୋଟି ନୂତନ ନିଯୁକ୍ତି ସୃଷ୍ଟି କରିଛି। ଏହା ଏକ ସହନଶୀଳ ଓ ପରିବେଶ ଅନୁକୂଳ ପୋଷାକ। ଏହା ମଧ୍ୟ ସ୍ୱାସ୍ଥ୍ୟ ଦୃଷ୍ଟିକୋଣରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେଣୁ ଖଦି ବିଶ୍ୱସ୍ତରରେ ଏକ ବଡ଼ ଭୂମିକା ଗ୍ରହଣ କରିପାରେ।
ଆଗାମୀ ପାର୍ବଣ ଋତୁରେ କେବଳ ଖଦି ଗ୍ରାମ୍ୟ ଶିଳ୍ପରୁ ଉତ୍ପାଦିତ ଦ୍ରବ୍ୟ ଉପହାର ଦେବାକୁ ପ୍ରଧାନମନ୍ତ୍ରୀ ଦେଶର ଲୋକଙ୍କୁ ନିବେଦନ କରିଛନ୍ତି। ଆପଣ ବିଭିନ୍ନ ପ୍ରକାରର କପଡ଼ାରେ ତିଆରି ପୋଷାକ ପାଇପାରିବେ। କିନ୍ତୁ ଯଦି ଆପଣ ଏଥିରେ ଖଦିକୁ ସ୍ଥାନ ଦିଅନ୍ତି, ତେବେ ଭୋକାଲ୍ ଫର ଲୋକାଲ୍ ଅଭିଯାନ ଆଗକୁ ଗତି କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ପ୍ରଧାନମନ୍ତ୍ରୀ ମଧ୍ୟ ଦୂରଦର୍ଶନରେ ‘ସ୍ୱରାଜ’ ସିରିଏଲ ଦେଖିବା ପାଇଁ କହିଥିଲେ। ଏହି ସିରିଏଲରେ ମହାନ ସ୍ୱାଧୀନତା ସଂଗ୍ରାମୀଙ୍କ କାହାଣୀ ଏବଂ ସେମାନଙ୍କର ସଂଗ୍ରାମକୁ ବିସ୍ତୃତ ଭାବରେ ବର୍ଣ୍ଣନା କରାଯାଇଛି। ଆମର ସ୍ୱାଧୀନତା ପାଇଁ ପୂର୍ବପୁରୁଷଙ୍କ ବଳିଦାନ ବିଷୟରେ ବୁଝିବା ଏବଂ ଜାଣିବା ପାଇଁ ପରିବାରଗୁଡିକ ଏହି ସିରିଏଲ ଦେଖିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।