ଭୁଲରେ ବି ପାକିସ୍ତାନ ଯାଇ ପାଠ ପଢ ନାହିଁ: ଭାରତୀୟ ଛାତ୍ରଛାତ୍ରୀଙ୍କୁ ଚେତାବନୀ ଦେଲା ୟୁଜିସି

ନୂଆଦିଲ୍ଲୀ: ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଏବଂ ଏଆଇସିଟିଇ ଶୁକ୍ରବାର ଦିନ ଭାରତୀୟ ଛାତ୍ରଛାତ୍ରୀମାନଙ୍କୁ ପାକିସ୍ତାନକୁ ନେଇ ଏକ ବଡ଼ ଚେତାବନୀ ଦେଇଛି। ୟୁଜିସି ଓ ଏଆଇସିଟିଇ ପକ୍ଷରୁ ମିଳିତ କୁହାଯାଇଛି ଯେ, ଭାରତୀୟ ଛାତ୍ରଛାତ୍ରୀମାନେ ପାକିସ୍ତାନର କୌଣସି କଲେଜ କିମ୍ବା ଶିକ୍ଷାନୁଷ୍ଠାନରେ ଆଡମିଶନ କରନ୍ତୁ ନାହିଁ, ନଚେତ୍ ସେମାନେ ଭାରତରେ ଚାକିରି ସହ ଦେଶରେ ଉଚ୍ଚଶିକ୍ଷା କରିବାକୁ ଯୋଗ୍ୟ ହେବେ ନାହିଁ। ସମସ୍ତ ଭାରତୀୟ ଛାତ୍ରଙ୍କୁ ଉଚ୍ଚଶିକ୍ଷା ପାଇଁ ପାକିସ୍ତାନ ନ ଯିବାକୁ ପରାମର୍ଶ ଦିଆଯାଇଛି | ଯଦି ପାକିସ୍ତାନରେ ହାସଲ କରିଥିବା ଏଭଳି ଶିକ୍ଷାଗତ ଯୋଗ୍ୟତା ଆଧାରରେ ଭାରତରେ କୌଣସି ଚାକିରି ପାଇଁ ଆବେଦନ କରିବେ ବା ଉଚ୍ଚଶିକ୍ଷା କରିବାକୁ ଆବେଦନ କରିବେ ତେବେ ତାଙ୍କୁ ଅନୁମତି ମିଳିବ ନାହିଁ |

ତେବେ ପାକିସ୍ତାନରୁ ଯେଉଁମାନେ ଭାରତ ଆସିଛନ୍ତି ସେମାନଙ୍କୁ ଏହି ନିର୍ଦ୍ଦେଶନାମାରୁ ମୁକ୍ତ କରାଯିବ ବୋଲି ସ୍ପଷ୍ଟ କରାଯାଇଛି | ସେହିଭଳି ଆଡ଼ଭାଇଜାରୀ ଜାରି କରି କୁହାଯାଇଛି ଯେ ଯେଉଁ ପ୍ରବାସୀମାନେ ତଥା ସେମାନଙ୍କ ପିଲାମାନେ ପାକିସ୍ତାନରେ ଉଚ୍ଚଶିକ୍ଷା ଡିଗ୍ରି ହାସଲ କରିଛନ୍ତି ଏବଂ ସେମାନଙ୍କୁ ଭାରତ ସରକାର ନାଗରିକତ୍ୱ ପ୍ରଦାନ କରିଛନ୍ତି, ସେମାନେ ଗୃହ ମନ୍ତ୍ରାଳୟର ସୁରକ୍ଷା ମଞ୍ଜୁରୀ ପାଇବା ପରେ ଭାରତରେ ଚାକିରି ପାଇବାକୁ ଯୋଗ୍ୟ ହେବେ’।

ସୂଚନା ଥାଉ କି କିଛି ଦିନ ତଳେ ଉଭୟ ୟୁଜିସି ଓ ଏଆଇସିଟିଇ ମିଳିତ ଆଡ଼ଭାଇଜାରୀ ଜାରି କରି କହିଥିଲେ ଯେ ଭାରତୀୟ ଛାତ୍ରଛାତ୍ରୀମାନେ ଚୀନର ବିଶ୍ୱବିଦ୍ୟାଳୟମାନଙ୍କରେ ଆଡମିଶନ ନିଅନ୍ତୁ ନାହିଁ | କୋଭିଡ -୧୯ ମହାମାରୀ ପରେ ଚୀନ୍ ସରକାରଙ୍କ ଦ୍ୱାରା ଯାତ୍ରା ପ୍ରତିବନ୍ଧକ ଲାଗୁ ହେବା ପରେ ଏହି ଆଡ଼ଭାଇଜାରୀ ଆସିଥିଲା।

ସମ୍ବନ୍ଧିତ ଖବର