ନୂଆଦିଲ୍ଲୀ: ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଭାରତ ସରକାର ଖାରକିଭରେ ଫସି ରହିଥିବା ଭାରତୀୟମାନଙ୍କ ପାଇଁ ନୂଆ ଗାଇଡଲାଇନ୍ ଜାରି କରିଛନ୍ତି। ସମସ୍ୟାରେ ଫସି ରହିଥିବା ଲୋକମାନେ ନିଜ ସହିତ ଟର୍ଚ୍ଚ, ଅର୍ଥ ଓ ପାଣିର ବ୍ୟବସ୍ଥା କରନ୍ତୁ। ସମସ୍ତ ଲୋକ ନିଜ ହାତରେ ଚବିଶ ଘଣ୍ଟା ଆବଶ୍ୟକୀୟ ବସ୍ତୁର ଏକ ଛୋଟ କିଟ୍ ପ୍ରସ୍ତୁତ କରି ରଖନ୍ତୁ। ଗାଇଡଲାଇନରେ ଚେତାବନୀ ମଧ୍ୟ ଦିଆ ହୋଇଛି।
ଜରୁରିକାଳୀନ କିଟରେ ପାସପୋର୍ଟ୍, ପରିଚୟ ପତ୍ର, ଆବଶ୍ୟକୀୟ ଔଷଧ, ଜୀବନ ରକ୍ଷାକାରୀ ଔଷଧ, ଦିଆସିଲି, ଲାଇଟର୍, ମହମବତୀ, ଅର୍ଥ, ଟର୍ଚ୍ଚ, ପାଓ୍ଵାର ବ୍ୟାଙ୍କ, ପାଣି, ପ୍ରାଥମିକ ଚିକିତ୍ସା କିଟ୍, ମଫଲର, ଜ୍ୟାକେଟ୍, ଜୋତା-ମଜା ରଖିହବାକୁ କୁହାଯାଇଛି।
ସରକାର କହିଛନ୍ତି, ସମସ୍ତ ଭାରତୀୟ ସେଠାରେ ଏକ ହ୍ଵାଟ୍ସଆପ୍ ଗ୍ରୁପ୍ ବନାନ୍ତୁ ଓ ନିଜର ସମସ୍ତ ତଥ୍ୟ ସେଠାରେ ଶେୟାର କରନ୍ତୁ। ଦୂତବାସ କିମ୍ବା ନୂଆଦିଲ୍ଲୀରେ କଣ୍ଟ୍ରୋଲ୍ ରୁମ୍ ସହ ନିଜର ଅବସ୍ଥିତି ବିଷୟରେ ତଥ୍ୟ ଦିଅନ୍ତୁ। ପ୍ରତ୍ୟେକ ୮ ଘଣ୍ଟାରେ ସେଠାକାର ଖବର ଦିଅନ୍ତୁ ଓ ନିଜ ଦେଶର ଲୋକମାନଙ୍କ ଗଣତି କରନ୍ତୁ।
ଏହା ବ୍ୟତୀତ ସରକାର ଚେତାବନୀ ଦେଇଛନ୍ତି, ନିଜର ଆଶ୍ରୟସ୍ଥଳରୁ ସବୁବେଳେ ବାହାରକୁ ବାହାରନ୍ତୁ ନାହିଁ। କୌଣସି ବି ପ୍ରକାର ଆଞ୍ଚଳିକ ବିକ୍ଷୋଭ ପ୍ରଦର୍ଶନରେ ସାମିଲ ହୁଅନ୍ତୁ ନାହିଁ। ସାମାଜିକ ଗଣମାଧ୍ୟମରେ କୌଣସି ପ୍ରକାର କମେଣ୍ଟ କରନ୍ତୁ ନାହିଁ। କୌଣସି ପ୍ରକାର ଅସ୍ତ୍ର ଉଠାନ୍ତୁ ନାହିଁ। କୌଣସି ଫଟୋ ଉତ୍ତୋଳନ କରନ୍ତୁ ନାହିଁ ଓ ସାମାଜିକ ଗଣମାଧ୍ୟମରେ ବି କୌଣସି ଫଟୋ ସେୟାର୍ କରନ୍ତୁ ନାହିଁ। ଯୁଦ୍ଧଭୂମିରୁ ଲାଇଭ୍ ଭିଡିଓ ମଧ୍ୟ କରନ୍ତୁ ନାହିଁ।