ରାଜ୍ୟ ସରକାରଙ୍କ ପ୍ୟାନେଲ ଆଇନଜୀବୀମାନଙ୍କ ସହିତ ଆଡଭୋକେଟ୍ ଜେନେରାଲଙ୍କ ବୈଠକ

ନୂଆଦିଲ୍ଲୀ : ସୁପ୍ରିମକୋର୍ଟରେ ରାଜ୍ୟ ସରକାରଙ୍କ ପ୍ୟାନେଲରେ ଥିବା ଆଇନଜୀବୀମାନଙ୍କ ସହିତ ଓଡ଼ିଶାର ଆଡଭୋକେଟ୍ ଜେନେରାଲଙ୍କ ଆଜି ଏକ ବୈଠକ ହୋଇଥିଲା। ଆଜି ସ୍ଥାନୀୟ ଓଡ଼ିଶା ଭବନରେ ଥିବା କନ୍‌ଫରେନ୍ସ ହଲରେ ଆଡଭୋକେଟ୍ ଜେନେରାଲ ଅଶୋକ କୁମାର ପରିଜାଙ୍କ ସମେତ ସ୍ୱତନ୍ତ୍ର ଆବାସିକ କମିସନର ରବିକାନ୍ତ ଓ ରାଜ୍ୟ ସରକାରଙ୍କ ଆଇନ ବିଭାଗ ପ୍ରମୁଖ ସଚିବ ଶଶିକାନ୍ତ ମିଶ୍ର ବୈଠକରେ ଉପସ୍ଥିତ ଥିଲେ। ସୁପ୍ରିମକୋର୍ଟରେ ରାଜ୍ୟ ସରକାରଙ୍କ ପ୍ୟାନେଲରେ ଥିବା ୧୫ ଜଣ ଆଇନଜୀବୀ ବୈଠକରେ ଯୋଗଦେଇଥିଲେ।

ସୁପ୍ରିମକୋର୍ଟ, ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ, ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ, ବଂଶଧାରା ଜଳବିବାଦ ଟ୍ରିବ୍ୟୁନାଲ, କେନ୍ଦ୍ରୀୟ ପ୍ରଶାସନିକ ଟ୍ରିବ୍ୟୁନାଲ ତଥା ଅନ୍ୟାନ୍ୟ ଆୟୋଗ ମାନଙ୍କରେ ଓଡ଼ିଶାର ବିଭିନ୍ନ ମାମଲା କିଭଳି ସୁରୁଖୁରୁରେ ପରିଚାଳନା ହୋଇପାରିବ ଏବଂ ବିଳମ୍ବ ନ ହେବ ସେନେଇ ଆଡ୍‌ଭୋକେଟ୍ ଜେନେରାଲ ବୈଠକରେ ପରାମର୍ଶ ଦେଇଥିବାର ଜଣାପଡ଼ିଛି। ଆଗାମୀ ଦିନରେ କୌଣସି ମାମଲାରେ ଯେଭଳି ବ୍ୟତିକ୍ରମ ସୃଷ୍ଟି ହେବନାହିଁ, ଉଚିତ ସମୟରେ ସତ୍ୟପାଠ ଦାଖଲ ହେବ, ଆଡ୍‌ଭୋକେଟ୍ ଅନ୍-ରେକର୍ଡ କିଭଳି ଭାବେ ମାମଲାର ସମ୍ପୃକ୍ତ ବିଭାଗ ସହିତ ଯୋଗାଯୋଗ ଓ ସମନ୍ୱୟ ପ୍ରତିଷ୍ଠା କରିବେ ସେ ଦିଗରେ ମଧ୍ୟ ବୈଠକରେ ଆଲୋକପାତ କରାଯାଇଥିଲା। ଆଗାମୀ ଦିନରେ କୋଟିଆ, ପୋଲାଭରମ୍ ଭଳି ଗୁରୁତ୍ୱପୂର୍ଣ୍ଣ ମାମଲା ଗୁଡ଼ିକ ସୁପ୍ରିମକୋର୍ଟରେ ଶୁଣାଣି ହେବାର ସମ୍ଭାବନା ଥିବା ଯୋଗୁଁ ପ୍ୟାନେଲ ଅଧିବକ୍ତାମାନଙ୍କୁ ମାମଲାର ପରିଚାଳନା ତଥା ପ୍ରସ୍ତୁତି ସମ୍ପର୍କରେ ବିଶେଷ ଭାବେ ଦୃଷ୍ଟି ଦେବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି। ଉଲ୍ଲେଖଯୋଗ୍ୟ ଯେ ରାଜ୍ୟର ଆଡଭୋକେଟ୍ ଜେନେରାଲଙ୍କ ଦ୍ୱାରା ପ୍ରତ୍ୟେକ ତ୍ରୟୋମାସରେ ସୁପ୍ରିମକୋର୍ଟରେ ରାଜ୍ୟ ସରକାରଙ୍କ ପ୍ୟାନେଲ ଆଇନଜୀବୀ ତଥା ଆଡ୍‌ଭୋକେଟ୍ ଅନ୍ ରେକର୍ଡ (ଏଓଆଲ) ମାନଙ୍କ ସହିତ ବୈଠକ କରି କାର୍ଯ୍ୟ ସମୀକ୍ଷା ସହ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦିଆଯାଇଥାଏ।

ସମ୍ବନ୍ଧିତ ଖବର