ଦିଲ୍ଲୀରେ ଆଡଭୋକେଟ୍‌ ଜେନେରାଲ୍‌ଙ୍କ ସମୀକ୍ଷା ବୈଠକ

ନୂଆଦିଲ୍ଲୀ, : ଦିଲ୍ଲୀର ବିଭିନ୍ନ ନ୍ୟାୟାଳୟ ଓ ଟ୍ରିବ୍ୟୁନାଲ୍‌ମାନଙ୍କରେ ରାଜ୍ୟ ସରକାରଙ୍କ ମାମଲା ପରିଚାଳନା ପାଇଁ ମନୋନୀତ ହୋଇଥିବା ଓକିଲମାନଙ୍କ ସହ ରାଜ୍ୟର ଆଡଭୋକେଟ୍‌ ଜେନେରାଲ ସୂର୍ଯ୍ୟ ପ୍ରସାଦ ମିଶ୍ର ପ୍ରଥମ ଥର ପାଇଁ ସମୀକ୍ଷା ‌ବୈଠକ କରିଛନ୍ତି। ବୈଠକରେ ରାଜ୍ୟର ଆଇନ ସଚିବ ଶଶିକାନ୍ତ ମିଶ୍ର ଓ ଆବାସିକ କମିସନର ସଂଜୀବ କୁମାର ମିଶ୍ର ଉପସ୍ଥିତ ଥିଲେ। ପାଖାପାଖି ୨ ଘଣ୍ଟା ଧରି ଚାଲିଥିବା ସମୀକ୍ଷା ବୈଠକରେ ସୁପ୍ରିମକୋର୍ଟ, ଦିଲ୍ଲୀ ହାଇକୋର୍ଟ, ଜାତୀୟ ଗ୍ରିନ ଟ୍ରିବ୍ୟୁନାଲ୍‌ ସମେତ ଅନ୍ୟସବୁ ଟ୍ରିବ୍ୟୁନାଲ୍‌ଗୁଡ଼ିକରେ ରାଜ୍ୟ ସରକାରଙ୍କ ମାମଲା ପରିଚାଳନା କରୁଥିବା ଓକିଲମାନଙ୍କ ମଧ୍ୟରେ କିଭଳି ଉତ୍ତମ ସମନ୍ବୟ ଓ ସହଯୋଗ ପ୍ରତିଷ୍ଠା କରାଯାଇ ପାରିବ ‌େସନେଇ ଆଲୋଚନା କରାଯାଇଥିଲା। ଓକିଲମାନେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ଅଧିକ‌ାରୀମାନଙ୍କଠାରୁ ଉଚିତ୍‌ ସମୟରେ ମାମଲା ସମ୍ପର୍କିତ ସୂଚନା ପାଇ ପାରିବେ ଏବଂ ବିଭିନ୍ନ ନ୍ୟାୟାଳୟରେ ରଜ୍ୟର ପକ୍ଷକୁ ସଠିକ୍‌ ଭାବେ ଉପସ୍ଥାପନ କରାଯାଇ ପାରିବ ବୋଲି ବୈଠକରେ ଶ୍ରୀ ମିଶ୍ର କହିଥିଲେ। ଦିଲ୍ଲୀର ବିଭିନ୍ନ ନ୍ୟାୟାଳୟ ଓ ଟ୍ରିବ୍ୟୁନାଲ୍‌ମାନଙ୍କରେ ରାଜ୍ୟର ମାମଲା ଗୁଡ଼ିକ ଯେଭଳି ସଠିକ୍‌ ରୂପେ ପରିଚାଳନା ହୋଇପାରିବ ସେନେଇ ଗୁରୁତ୍ବାରୋପ କରିଥିଲେ ଅ‌ାଡଭୋକେଟ୍‌ ଜେନେରାଲ୍‌। ସମୀକ୍ଷା ବୈଠକରେ ୧୫ରୁ ଊର୍ଦ୍ଧ୍ବ ଆଇନଜୀବୀମାନେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର