ଓକିଲଙ୍କ ଆବେଦନ ସୁପ୍ରିମ୍‌କୋର୍ଟରେ ଖାରଜ: ମାଡ୍ରାସ ହାଇକୋର୍ଟର ବିଚାରପତି ଭାବେ ଶପଥ ନେଲେ ଭିକ୍ଟୋରିଆ ଗୌରୀ

ଚେନ୍ନାଇ: ଆଇନଜୀବୀ ଏଲ୍‌ସି ଭିକ୍ଟୋରିଆ ଗୌରୀ ମଙ୍ଗଳବାର ମାଡ୍ରାସ ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି। ସେ ପୂର୍ବରୁ ବିଜେପିର କାର୍ଯ୍ୟକର୍ତ୍ତା ଥିବାରୁ ବିଚାରପତି ହେବାକୁ ଯୋଗ୍ୟ ନୁହନ୍ତି ବୋଲି ଅଭିଯୋଗ କରି ଓକିଲମାନେ ସୁପ୍ରିମ୍‌କୋର୍ଟରେ ଆବେଦନ କରିଥିଲେ। ଆଜି କୋର୍ଟ ସେମାନଙ୍କ ଆବେଦନକୁ ଅଗ୍ରାହ୍ୟ କରିଦେବା ପରେ ପରେ ମାଡ୍ରାସ ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଟି ରାଜା ଗୌରୀ ଓ ଅନ୍ୟ ଚାରିଜଣଙ୍କୁ ଶପଥପାଠ କରାଇଥିଲେ।

ସୁପ୍ରିମ୍‌କୋର୍ଟ ବିଚାରପତି ସଞ୍ଜୀବ ଖାନ୍ନା ଓ ବିଆର୍ ଗୱାଇଙ୍କ ନୂତନ ଖଣ୍ଡପୀଠ ଆଜି ପୂର୍ବାହ୍ଣରେ ଗୌରୀଙ୍କ ପଦୋନ୍ନତି ବିରୋଧରେ ଆଗତ ଆବେଦନର ଜରୁରୀ ଶୁଣାଣି କରିଥିଲେ। ତାଙ୍କର ପୂର୍ବ ରାଜନୈତିକ ପୃଷ୍ଠଭୂମି ଏବଂ ବୟାନକୁ ନେଇ ରଖାଯାଇଥିବା ଯୁକ୍ତିକୁ ଖଣ୍ଡପୀଠ ପ୍ରତ୍ୟାଖ୍ୟାନ କରିଦେଇଥିଲେ। ବିଚାରପତି ଗୱାଇ କହିଥିଲେ, ମୋର ମଧ୍ୟ ରାଜନୈତିକ ପୃଷ୍ଠଭୂମି ରହିଥିଲା ଏବଂ ଏହା କୌଣସି ସମସ୍ୟା ସୃଷ୍ଟି କରିନାହିଁ। ଗୌରୀଙ୍କ ନିଯୁକ୍ତି ସହ ଜଡ଼ିତ ଅନେକ ଘଟଣାକ୍ରମ ନାଟକୀୟଭାବେ ଘଟିଯାଇଛି। କଲେଜିୟମ୍ ହାଇକୋର୍ଟ ବିଚାରପତି ଭାବେ ପଦୋନ୍ନତି ଦେବାକୁ ତାଙ୍କ ନାମ ସୁପାରିସ କରିବା ପରେ ଓକିଲମାନେ ତାଙ୍କ ନିଯୁକ୍ତିକୁ ବିରୋଧ କରି ମାମଲାର ଜରୁରୀ ଶୁଣାଣି ପାଇଁ ସୋମବାର ସୁପ୍ରିମ୍‌କୋର୍ଟରେ ଆବେଦନ କରିଥିଲେ। ସୁପ୍ରିମ୍‌କୋର୍ଟ ଶୁକ୍ରବାର ଏହାର ଶୁଣାଣି କରିବେ ବୋଲି ଦିନଧାର୍ଯ୍ୟ କରିଥିଲେ। ମାତ୍ର ଠିକ୍ ଏହି ସମୟରେ ଖବର ଆସିଗଲା ଯେ କେନ୍ଦ୍ର ସରକାର ଗୌରୀଙ୍କ ନିଯୁକ୍ତି ଲାଗି କଲେଜିୟମ୍‌ର ସୁପାରିସକୁ ଅନୁମୋଦନ କରିଛନ୍ତି। ଏଣୁ ଓକିଲମାନେ ମଙ୍ଗଳବାର ଏହି ଆବେଦନର ଜରୁରୀ ଶୁଣାଣି କରିବା ପାଇଁ ପୁନଶ୍ଚ ଆବେଦନ କରିଥିଲେ ଯାହାକୁ କୋର୍ଟ ଗ୍ରହଣ କରିଥିଲେ। ଆବେଦନରେ ଦର୍ଶାଯାଇଥିଲା ଯେ ଗୌରୀ ହେଉଛନ୍ତି ଶାସକ ଭାରତୀୟ ଜନତା ପାର୍ଟି (ବିଜେପି)ର ଜଣେ ସକ୍ରିୟ କାର୍ଯ୍ୟକର୍ତ୍ତା ଏବଂ ସଂଖ୍ୟାଲଘୁ ମୁସଲମାନ ଓ ଖ୍ରୀଷ୍ଟିଆନଙ୍କ ବିରୋଧରେ ସେ ଘୃଣା-ବ୍ୟଞ୍ଜକ ଭାଷଣ ଦେଇଥାନ୍ତି।

ଏଣେ ମଙ୍ଗଳବାର ପୂର୍ବାହ୍ନ ୧୦ଟା ୩୫ରେ ଗୌରୀ ମାଡ୍ରାସ ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବେ ଶପଥ ନେବେ ବୋଲି ହାଇକୋର୍ଟର ରେଜିଷ୍ଟ୍ରାର ଜେନେରାଲ ସୋମବାର ରାତିରେ ଏକ ସର୍କୁଲାର ଜାରି କରିଦେଲେ। ଏଣେ ସୁପ୍ରିମ୍‌କୋର୍ଟର ଜଷ୍ଟିସ୍ ଖାନ୍ନା ଓ ଜଷ୍ଟିସ୍ ଗୱାଇଙ୍କ ବେଞ୍ଚ ଗୌରୀଙ୍କ ବିରୋଧରେ ଆଗତ ମାମଲାକୁ ଖାରଜ କରି ତାଙ୍କର ବିଚାରପତି ଭାବେ ଶପଥ ନେବାର ସମସ୍ତ ବାଧା ଦୂର କରିଦେଲେ।

ସମ୍ବନ୍ଧିତ ଖବର