ବିବାଦର ଅବସାନ: ବାଙ୍ଗାଲୋରରେ ହିଁ ହେବ ଏରୋ ଇଣ୍ଡିଆ ଶୋ

ନୂଆଦିଲ୍ଲୀ: ଆସନ୍ତା ବର୍ଷ ଫେବ୍ରୁଆରୀ ମାସ ୨୦ରୁ ୨୪ ତାରିଖ ପର୍ଯ୍ୟନ୍ତ ବାଙ୍ଗାଲୁରୁଠାରେ ହିଁ ଅନ୍ତର୍ଜାତୀୟ ବିମାନ ପ୍ରଦର୍ଶନୀ ଏରୋ ଇଣ୍ଡିଆ ୨୦୧୯ ଅନୁଷ୍ଠିତ ହେବ । ଏ ସଂପର୍କରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି । ଏହି ଘୋଷଣା ସହ ଏରୋ ଇଣ୍ଡିଆକୁ ନେଇ ଦେଖାଯାଇଥିବା ବିବାଦର ଅନ୍ତ ହୋଇଛି । ଗତ ମାସରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏରୋ ଇଣ୍ଡିଆ ଶୋକୁ ଲକ୍ଷ୍ନୌକୁ ସ୍ଥାନାନ୍ତରଣ କରିବାକୁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଅନୁରୋଧ କରିବା ପରେ ଏହି ବିବାଦ ଆରମ୍ଭ ହୋଇଥିଲା । ପ୍ରତିରକ୍ଷା ମନ୍ତ୍ରାଳୟ ମଧ୍ୟ ଏରୋ ଇଣ୍ଡିଆକୁ ରାଜସ୍ଥାନ, ଓଡ଼ିଶା, ଉତ୍ତରପ୍ରଦେଶ, ଗୁଜରାଟ, ତାମିଲନାଡୁ ପରି ରାଜ୍ୟକୁ ଉଠାଇନେବାକୁ ଯୋଜନା କରୁଥିବା ସଂପର୍କରେ ସଂକେତ ଦେଇଥିଲା । ଏହା ପରେ ବିବାଦ ଆହୁରି ବଢିଯାଇଥିଲା । ଏହାକୁ କର୍ଣ୍ଣାଟକର ରାଜନୈତିକ ଦଳମାନେ ବିରୋଧ କଲେ । ଏପରିକି କର୍ଣ୍ଣାଟକର ବିଜେପି ନେତା ୟେଦ୍ୟୁରାପ୍ପା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ଏରୋ ଇଣ୍ଡିଆକୁ ରାଜ୍ୟ ବାହାରକୁ ନ ନେବା ପାଇଁ ଅନୁରୋଧ କରିଥିଲେ ।

ସମ୍ବନ୍ଧିତ ଖବର