ନୂଆଦିଲ୍ଲୀ: ଦୁଇଜଣ ପିଲାଙ୍କ ଲାଗି ରୁଷ୍ର କେମେରୋଭୋ ଓବ୍ଲାସ୍ତ ଅନ୍ତର୍ଗତ କୁଜ୍ନେତସ୍କ୍ ପର୍ବତମାଳାର ଗୋଟାଏ ପାହାଡ଼ରେ ‘ଏରୋଫ୍ଲୋଟ୍ ବିମାନ ୫୯୩’ ଧକ୍କା ଖାଇ ଦର୍ଘଟଣାଗ୍ରସ୍ତ ହୋଇଥିବା ତଦନ୍ତ ରିପୋର୍ଟରୁ ଜଣାପଡ଼ିଛି। ୧୯୯୪ ମାର୍ଚ ୨୩ ତାରିଖରେ ଘଟିଥିବା ଏହି ବିମାନ ଦୁର୍ଘଟଣାରେ ୬୩ଜଣ ଯାତ୍ରୀ ଏବଂ ୧୨ଜଣ ବିମାନ କର୍ମଚାରୀଙ୍କ ମୃତ୍ୟୁ ଘଟିଥିଲା।
ସୂଚନାଯୋଗ୍ୟ, ସେ ବିମାନର ଯାତ୍ରୀମାନଙ୍କ ସହ ଥିଲେ ରିଲିଫ୍ ପାଇଲଟ୍ ୟାରୋସ୍ଲାଭ୍ ଭ୍ଲାଦିମିରୋଭିଚ୍ କୁଦ୍ରିନ୍ସ୍କିଙ୍କ ୧୬ ବର୍ଷିୟ ପୁଅ ଏଲ୍ଡାର୍ ଏବଂ ୧୨ ବର୍ଷୀୟ ଝିଅ ୟାନା। ବାପା ପାଇଲଟ୍ ହୋଇଥିବାରୁ ଭାଇଭଉଣୀ ଅନାୟାସରେ ବିମାନର କକ୍ପିଟ୍ ମଧ୍ୟରେ ପ୍ରବେଶ କରିପାରିଥିଲେ।
ବିମାନ ଉଡୁଥିବା ବେଳେ କକ୍ପିଟ୍ରେ ଥିବା ୟାନା ପାଇଲଟ୍ଙ୍କ ବାମପାର୍ଶ୍ବରେ ଥିବା ସାମ୍ନା ସିଟ୍ରେ ବସିଥିଲା। ଅଟୋପାଇଲଟ୍ଙ୍କ ହେଡିଙ୍ଗ୍କୁ ଆଡ୍ଜଷ୍ଟ୍ କରି କୁଦ୍ରିନ୍ସ୍କି ଝିଅ ୟାନାକୁ ବିମାନକୁ କିଭଳି ବୁଲାଯାଏ, ତାହା ଶିଖାଉଥିଲେ। କିନ୍ତୁ, ବାସ୍ତବରେ ଏହି କୌଶଳ ଉପରେ ୟାନାଙ୍କର କୌଣସି ଧାରଣା ଆସି ନ ଥିଲା। ପରେ ପରେ ପାଇଲଟ୍ଙ୍କ ପୁଅ ଏଲଡାର୍ ଆସି ପାଇଲଟ୍ ସିଟ୍ରେ ବସିଥିଲା। ସେ ଅଟୋପାଇଲଟ୍କୁ ପ୍ରାୟ ୩୦ ସେକେଣ୍ଡ୍ ଧରି ବିପରୀତ ଦିଗକୁ ମୋଡ଼ିଥିଲା। କିନ୍ତୁ, ସେ କଣ୍ଟ୍ରୋଲ୍ କଲମ୍ରେ ଯଥେଷ୍ଟ ବଳ ପ୍ରୟୋଗ କରି ଥିଲା।
/sambad/media/post_attachments/wp-content/uploads/2022/02/crash1.jpg)
ଏହା ଫଳରେ ‘କଣ୍ଟ୍ରୋଲ୍ କଲମ୍ ଇମ୍ପୁଟ୍’ ବିମାନର କମ୍ପୁଟର୍କୁ ସକ୍ରିୟ କରିପକାଇଲା। ଏଥିଯୋଗୁଁ, କମ୍ପ୍ୟୁଟର୍ ବିମାନର ଅନ୍ୟାନ୍ୟ ବ୍ୟବସ୍ଥା ଉପରେ ନିୟନ୍ତ୍ରଣ ରକ୍ଷା କରି ଏଲେରନ୍ସ୍କୁ ମାନୁଆଲ୍ କଣ୍ଟ୍ରୋଲ୍ କରିଦେବାରୁ ବିମାନଟି ଡାହାଣ ପଟକୁ ଅଣେଇ ପଡ଼ିଲା। ସ୍କ୍ରିନ୍ରେ ପ୍ରଦର୍ଶୀତ ହେଉଥିବା ବିମାନର ଗତିପଥ ୧୮୦ ଡିଗ୍ରିକୁ ବୁଲିଯିବାରୁ ପାଇଲଟ୍ମାନେ ‘ୱାର୍ଣ୍ଣିଙ୍ଗ୍ ଲାଇଟ୍’କୁ ଦେଖି ନ ପାରି ବିଭ୍ରାନ୍ତ ହୋଇଗଲେ। ପାଇଲଟ୍ମାନେ ଅସୁବିଧା କଥା ଜାଣିବା ବେଳେକୁ ବିମାନର ‘ବ୍ୟାଙ୍କ୍ ଆଙ୍ଗଲ୍’ ପ୍ରାୟ ୯୦ ଡିଗ୍ରି ଯାଏଁ ଢଳିଯାଇଥିଲା।
ଏହାପରେ ବିମାନ ଉପରକୁ ଉଠି ନ ପାରି ଖସିବା ଆରମ୍ଭ କରିଥିଲା। ପାଇଲଟ୍ମାନେ ବିମାନକୁ ନିୟନ୍ତ୍ରଣ କରିବା ପାଇଁ ଉଦ୍ୟମ କରି ସଫଳ ବି ହୋଇଥିଲେ। କିନ୍ତୁ, ସେମାନଙ୍କ ଏହି ଉଦ୍ୟମ ପ୍ରକ୍ରିୟା ମାତ୍ରାଧିକ ହୋଇଯିବାରୁ ବିମାନଟି ଆଉ ଉପରକୁ ଉଠି ନ ପାରି ଚକ୍ରାକାରେ ଘୂରିବାକୁ ଲାଗିଲା। ଏଭଳି ଅବସ୍ଥାରୁ ମଧ୍ୟ ପାଇଲଟ୍ମାନେ ବିମାନଟିକୁ ଉଦ୍ଧାର କରି ସ୍ବାଭାବିକ ଅବସ୍ଥାକୁ ଆଣିବାରେ ସମର୍ଥ ହୋଇଥିଲେ। କିନ୍ତୁ, ସେତେବେଳକୁ ବିମାନଟି ଯଥେଷ୍ଟ ତଳକୁ ଖସି ଆସିଥିଲା। ଅବଳମ୍ବେ ତାହା କୁଜ୍ନେତସ୍କ୍ ପର୍ବତମାଳାର ପାହାଡ଼ରେ ଧକ୍କା ଖାଇଲା ଏବଂ ସେଥିରେ ଥିବା ସମସ୍ତ ଯାତ୍ରୀ ମୃତ୍ୟୁ ବରଣ କଲେ।