ଖସିଲା ଚାର୍ଟର୍ଡ ବିମାନ, ୫ ମୃତ

ମୁମ୍ବାଇ: ମୁମ୍ବାଇର ଜନଗହଳିପୂର୍ଣ୍ଣ ଘାଟକୋପର ଅଂଚଳରେ ଆଜି ଅପରାହ୍ନ ଗୋଟାଏ ବେଳେ ଏକ ଚାର୍ଟର୍ଡ ପ୍ଲେନ୍‌ ଦୁର୍ଘଟଣାଗ୍ରସ୍ତ ହୋଇ ଖସିପଡ଼ିଛି। ଏହି ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ପୁଲିସ ଏବଂ ଅଗ୍ନିଶମ ବିଭାଗ ସୂତ୍ରରୁ ଜଣାପଡ଼ିଛି। ମୃତକଙ୍କ ମଧ୍ୟରେ ଦୁଇ ଜଣ ପାଇଲଟ୍‌, ୨ ଫ୍ଲାଇଟ୍‌ ଇଂଜିନିୟର ଏବଂ ରାସ୍ତାରେ ଯାଉଥିବା ଜଣେ ବ୍ୟକ୍ତି ରହିଛନ୍ତି। ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶକ (ଡିଜିସିଏ) ଏହି ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ ଦେବାପରେ ଆଜି ଅପରାହ୍ନ ୩ଟା ବେଳେ ଘଟଣାସ୍ଥଳରେ ଏକ ସ୍ୱତନ୍ତ୍ର ଟିମ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଘାଟକୋପର ଜାଗୃତି ନଗରରେ ଏକ ନିର୍ମାଣାଧୀନ କୋଠା ଉପରେ ଏହି ବିମାନ ଖସିପଡ଼ିଥିଲା। ରିପୋର୍ଟ ମୁତାବକ ଭିଟି-ୟୁପିଜେଡ୍‌୍‌ ବିମାନ ୨୦୧୪ ପର୍ଯ୍ୟନ୍ତ ଉତ୍ତର ପ୍ରଦେଶ ସରକାରଙ୍କ ପାଖରେ ଥିଲା। ପରବର୍ତ୍ତୀ ସମୟରେ ସରକାର ଏହାକୁ ମୁମ୍ବାଇର ଏକ ଘରୋଇ ସଂସ୍ଥାକୁ ବିକ୍ରି କରିଥିଲେ। ପୁଲିସ ସୂତ୍ରରୁ ଜଣାପଡ଼ିଛି ଯେ ୧୨ଟି ଆସନ ବିଶିଷ୍ଟ ଏହି ବିମାନ ଜୁହୁ ବିମାନ ବନ୍ଦରରରୁ ଉଡ଼ାଣ ଆରମ୍ଭ କରିଥିଲା ଏବଂ ଘାଟକୋପର ଜାଗୃତି ନଗରରେ ଦୁର୍ଘଟଣାର ଶିକାର ହୋଇଥିଲା। ଅଗ୍ନିଶମ ବାହିନୀର ଜଣେ ଅଧିକାରୀ କହିଛନ୍ତି ଯେ ନିୟନ୍ତ୍ରଣ କକ୍ଷକୁ ଅପରାହ୍ନ ୧ଟା ୧୫ ମିନିଟରେ ବିମାନ ଦୁର୍ଘଟଣା ସଂପର୍କରେ ସୂଚନା ମିଳିଥିଲା ଏବଂ ତତ୍‌୍‌କ୍ଷଣାତ ଅପରେସନ ଆରମ୍ଭ ହୋଇଥିଲା। ଦୁର୍ଘଟଣା ପରେ ବିମାନରେ ନିଆଁ ଲାଗିଯାଇଥିଲା। ତେବେ ଦୁର୍ଘଟଣାର କାରଣ ସଂପର୍କରେ କିଛି ସ୍ପଷ୍ଟ ହୋଇନଥିବା ମୁମ୍ବାଇ ପୁଲିସ କହିଛି। ମୁମ୍ବାଇ ବିମାନବନ୍ଦରର ମୁଖ୍ୟ ରନ୍‌େଓ୍ଵଠାରୁ ମାତ୍ର ୩ କିମି ଦୂରରେ ବିମାନଟି ଦୁର୍ଘଟଣାର ଶିକାର ହୋଇଛି। ବିମାନଟି ଅବତରଣ କରିବା ପୂର୍ବରୁ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର