ଆଫଗାନିସ୍ତାନ ସଙ୍କଟ: କିଛି ପ୍ରତିଶ୍ରୁତି ଦେବାକୁ ମନାକଲେ ବାଇଡେନ୍‌

ସେନା ପ୍ରତ୍ୟାହାର ପାଇଁ ନାଟୋ ବି ସମର୍ଥନ କରିଥିଲା

ୱାସିଂଟନ : ଆଫଗାନିସ୍ତାନ ସଙ୍କଟ ନେଇ  ଶୁକ୍ରବାର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ପୁଣି ଦେଶବାସୀଙ୍କୁ ଉଦ୍‌ବୋଧନ ଦେଇଛନ୍ତି। ତାଲିବାନର ଆଫ୍‌ଗାନ ଦଖଲରେ ଉପୁଜିଥିବା ଭୟଙ୍କର ସ୍ଥିତି ପାଇଁ ରାଷ୍ଟ୍ରପତି ବାଇଡେନ୍‌ଙ୍କୁ ତୀବ୍ର ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ିଥିବା ବେଳେ ଦେଶବ୍ୟାପୀ ଏହାକୁ ନେଇ ପ୍ରବଳ ଅସନ୍ତୋଷ ଲାଗି ରହିଛି। ଏଭଳି ସ୍ଥିତିରେ ଆଜି ରାତିରେ ବାଇଡେନ୍‌ ତାଙ୍କ ଉଦ୍‌ବୋଧନରେ କହିଛନ୍ତି ଯେ ସପ୍ତାହକ ମଧ୍ୟରେ ୧୮ ହଜାର ଆମେରିକୀୟଙ୍କୁ ସେଠାରୁ ଅଣାଯାଇଛି ଏବଂ ଏହି ପ୍ରକ୍ରିୟା ଜାରି ରହିଛି। ଏବେ ତାଲିବାନ ନିୟନ୍ତ୍ରଣରେ ଥିବା ଆଫଗାନିସ୍ତାନ ବହୁତ ବଡ଼ ସଙ୍କଟକୁ ସାମ୍ନା କରୁଛି ଏବଂ ଏହାର ପରିଣତି ନେଇ କିଛି ପ୍ରତିଶ୍ରୁତି ଦେଇପାରିବି ନାହିଁ ବୋଲି ବାଇଡେନ କହିଛନ୍ତି। କାବୁଲ ବିମାନ ବନ୍ଦର ନିକଟରେ ଆତଙ୍କବାଦୀଙ୍କ ଆଡ଼ୁ ଆକ୍ରମଣ ସମ୍ଭବନା ରହିଛି ଏବଂ ଏ ନେଇ ଆମେରିକା ସେନା ସତର୍କ ନଜର ରଖିଛି।

ଆଫଗାନ ଜେଲ୍‌ରୁ ତାଲିବାନ ମୁକ୍ତ କରିଥିବା ଆତଙ୍କବାଦୀମାନେ ଆକ୍ରମଣ କଲେ ଏହାର କଡ଼ା ଜବାବ ମିଳିବ ବୋଲି ବାଇଡେନ କହିଛନ୍ତି। ଆଫଗାନିସ୍ତାନରେ ଏବେ ୬ ହଜାର ସୈନିକ ଅଛନ୍ତି ଏବଂ ଲୋକଙ୍କୁ ସୁରକ୍ଷିତ ଆଣିବା କାମ ଜାରି ରହିଛି । ଆଫ୍‌ଗାନ ସଙ୍କଟ ନେଇ ଆଗାମୀ ସପ୍ତାହରେ ଜି-୭ ବୈଠକ ଅନୁଷ୍ଠିତ ହେବ ଏବଂ ଏ ବାବଦରେ ବ୍ରିଟେନ୍‌, ଫ୍ରାନ୍ସ ଏବଂ ଜର୍ମାନୀ ସହିତ ଆଲୋଚନା ହୋଇଥିବା ବାଇଡେନ କହିଛନ୍ତି। ଆମେରିକୀୟ ନାଗରିକମାନଙ୍କୁ ବିମାନ ବନ୍ଦର ପହଞ୍ଚିବା ସମୟରେ ତାଲିବାନ ଆଡ଼ୁ କୌଣସି ପ୍ରତିବନ୍ଧକ ସୃଷ୍ଟି କରାଯାଇଥିବା ରିପୋର୍ଟ ମିଳିନାହିଁ ବୋଲି ସେ କହିଛନ୍ତି। ଆଫଗାନ ମହିଳାଙ୍କ ସୁରକ୍ଷା ପାଇଁ ସମସ୍ତେ ପ୍ରାର୍ଥନା କରିବାକୁ ବାଇଡେନ କହିଛନ୍ତି। ଅଗଷ୍ଟ ୩୧ ସୁଦ୍ଧା ସମସ୍ତ ଆମେରିକୀୟଙ୍କୁ ଖାଲି ପ୍ରକ୍ରିୟା ଶେଷ ହେବ ବୋଲି ଆଶ୍ବାସନା ଦେଇ ବାଇଡେନ କହିଛନ୍ତି ଯେ ଆଫଗାନିସ୍ତାନରୁ ସେନା ପ୍ରତ୍ୟାହାର ପାଇଁ ସେ ଯେଉଁ ନିଷ୍ପତ୍ତି ନେଇଥିଲେ ତାହା ସ୍ବାଭାବିକ ଥିଲା ଏବଂ‌ ସେଠାରେ ଆମର କାମ ସଂପୂର୍ଣ୍ଣ ହୋଇସାରିଥିଲା। ଏହି ନିଷ୍ପତ୍ତି ପଛରେ ନାଟୋ ରାଷ୍ଟ୍ରଙ୍କ ସମର୍ଥନ ମଧ୍ୟ ରହିଥିଲା ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର