ସୁଲଭ ଚିକିତ୍ସା ଏକ ମୌଳିକ ଅଧିକାର : ସୁପ୍ରିମକୋର୍ଟ

ନୂଆଦିଲ୍ଳୀ: ସୁଲଭ ଚିକିତ୍ସା ହେଉଛି ଏକ ମୌଳିକ ଅଧିକାର। ସ୍ବାସ୍ଥ୍ୟ ଅଧିକାର ଅଧୀନରେ ସୁଲଭ ଚିକିତ୍ସା ଅନ୍ତର୍ଭୁକ୍ତ। ଲୋକମାନଙ୍କୁ ସୁଲଭ ଚିକିତ୍ସା ଦେବାପାଇଁ ବ୍ୟବସ୍ଥା କରିବା ରାଜ୍ୟମାନଙ୍କର କର୍ତ୍ତବ୍ୟ। ରାଜ୍ୟ ସରକାର ଏବଂ ସ୍ଥାନୀୟ ପ୍ରଶାସନ ସୁଲଭ ଚିକିତ୍ସା ଦିଗରେ ଅଧିକରୁ ଅଧିକ ବ୍ୟବସ୍ଥା କରିବା ଉଚିତ୍‌ ନଚେତ୍‌ ଘ‌ରୋଇ ହସ୍ପିଟାଲ୍‌ ଗୁଡ଼ିକରେ ଚିକିତ୍ସା ଖର୍ଚ୍ଚ ଧାର୍ଯ୍ୟ କରିବା ଉଚିତ୍‌ ବୋଲି ସୁପ୍ରିମକୋର୍ଟ ଆଜି କହିଛନ୍ତି। ମହାମାରୀ ସମୟରେ ସ୍ବାସ୍ଥ୍ୟ ସଂକ୍ରାନ୍ତ ମାମଲାରେ ସୁପ୍ରିମକୋର୍ଟ ଆଜି ନିଜ ଆଡ଼ୁ ଶୁଣାଣି କରିଥିଲେ। ଏହି ସମୟରେ ସୁପ୍ରିମକୋର୍ଟ ଏଭଳି ଗୁରୁତ୍ବପୂର୍ଣ୍ଣ ଟିପ୍ପଣୀ ରଖିଛନ୍ତି। ଜଷ୍ଟିସ୍‌ ଅଶୋକ ଭୂଷଣ, ଆର୍‌ ସୁଭା‌ଷ ରେଡ୍ଡି ଏବଂ ଏମ୍‌ଆର ଶାହଙ୍କ ଖଣ୍ଡପୀଠ ଆଜି ଶୁଣାଣି ସମୟରେ କହିଛନ୍ତି, କରୋନା ଭାଇରସ୍‌କୁ ରୋକିବା ପାଇଁ ଜାରି ହୋଇଥିବା ନିୟମାବଳି ଏବଂ ଏସ୍‌ଓପିର ସଠିକ୍‌ କାର୍ଯ୍ୟକାରୀ ହୋଇନଥିବାରୁ କରୋନା ଦେଶରେ ବନାଗ୍ନି ଭଳି ବ୍ୟାପିଯାଇଛି।

ଏହି ଅପ୍ରତ୍ୟାଶିତ ମହାମାରୀ ଯୋଗୁଁ ବିଶ୍ବରେ ପ୍ରତ୍ୟେକ ଲୋକ ପ୍ରଭାବିତ ହୋଇଛନ୍ତି। ଖଣ୍ଡପୀଠ କହିଛନ୍ତି, କର୍ଫ୍ୟୁ ଏବଂ ଲକ୍‌ଡାଉନ୍‌ ଭଳି ଯେକୌଣସି ନିଷ୍ପତ୍ତି ସଂକ୍ରାନ୍ତରେ ଆଗୁଆ ଘୋଷଣା ହୋଇଥିଲେ ଲୋକମାନେ ପ୍ରସ୍ତୁତ ରହିଥାନ୍ତେ । କୋର୍ଟ କହିଛନ୍ତି ଡାକ୍ତର ଏବଂ ନର୍ସ‌୍‌ଙ୍କ ସମେତ ଦେଶର ଆଗଧାଡ଼ିର ସ୍ବାସ୍ଥ୍ୟକର୍ମୀ ଦୀର୍ଘ ୮ ମାସ ଧରି କାମ କରି ଉଭୟ ଶାରୀରିକ ଏବଂ ମାନସିକ ଭାବେ କ୍ଳାନ୍ତ ହୋଇଯାଇଛନ୍ତି। ସେମାନଙ୍କୁ ବିଶ୍ରାମ ଦେବାପାଇଁ କିଛି କାର୍ଯ୍ୟପନ୍ଥା ଗ୍ରହଣ କରିବାପାଇଁ ସୁପ୍ରିମକୋର୍ଟ କହିଛନ୍ତି। ପ୍ରତ୍ୟେକ ରାଜ୍ୟ ମହାମାରୀ ସମୟରେ ସତର୍କ ରହିବା ଉଚିତ୍‌ ଏବଂ କେନ୍ଦ୍ର ସହ ସମନ୍ବୟ ରକ୍ଷା କରି କାମ କରିବା ଉଚିତ୍‌। ଅନ୍ୟ‌ କୌଣସି କାରଣ ଅପେକ୍ଷା ନାଗରିକଙ୍କ ସ୍ବାସ୍ଥ୍ୟକୁ ଅଧିକ ଗୁରୁତ୍ବ ଦେବାପାଇଁ କୋର୍ଟ କହିଛନ୍ତି। ତେବେ ଦେଶବ୍ୟାପୀ ନିୟମାବଳି ଏବଂ ଏସ୍‌ଓପି କାର୍ଯ୍ୟକାରୀ କରିବା ନେଇ ସୁପ୍ରିମକୋର୍ଟ କେତେକ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର