୫ ହଜାର ତାଲିବାନ ବନ୍ଦୀଙ୍କୁ ପର୍ଯ୍ୟାୟ କ୍ରମେ ଛାଡ଼ିବାକୁ ଆଫଗାନ ସରକାରଙ୍କ ନିଷ୍ପତ୍ତି

କାବୁଲ : ଆଫଗାନିସ୍ତାନରେ ଶାନ୍ତି ପ୍ରତିଷ୍ଠା ପାଇଁ ତାଲିବାନ ଓ ଆମେରିକା ମଧ୍ୟରେ ହୋଇଥିବା ଶାନ୍ତି ଚୁକ୍ତିକୁ କାର୍ଯ୍ୟକାରୀ କରିବାକୁ ଆଫଗାନିସ୍ତାନ ସରକାର ରାଜି ହୋଇଛନ୍ତି । ଚୁକ୍ତିରେ ଥିବା ବ୍ୟବସ୍ଥା ଅନୁସାରେ ଆଫଗାନିସ୍ତାନ ଜେଲରେ ବନ୍ଦୀ ଥିବା ପ୍ରାୟ ୫ ହଜାର ତାଲିବାନ ଯୋଦ୍ଧାଙ୍କୁ ଛାଡ଼ିବାକୁ ଆଫଗାନିସ୍ତାନ ରାଷ୍ଟ୍ରପତି ଅବଦୁଲ ଗନି ମଂଜୁରୀ ଦେଇଛନ୍ତି । ତେବେ ଗୋଟିଏ ଥରରେ ସମସ୍ତଙ୍କୁ ନ ଛାଡ଼ି ପର୍ଯ୍ୟାୟକ୍ରମେ ଛାଡ଼ିବାକୁ ଆଫଗାନ ସରକାର ନିଷ୍ପତ୍ତି ନେଇଛନ୍ତି ।
କିନ୍ତୁ ଏହି ନିଷ୍ପତ୍ତିକୁ ତାଲିବାନ ବିରୋଧ କରିଛି । ତାଲିବାନର ମୁଖପାତ୍ର ସୁହେଲ ସାହିନ କହିଛନ୍ତି ଯେ ୫ ହଜାର ତାଲିବାନ ବନ୍ଦୀଙ୍କ ବଦଳରେ ତାଲିବାନ ପାଖରେ ବନ୍ଦୀଥିବା ୧ ହଜାର ଆଫଗାନ ସୈନ୍ୟଙ୍କୁ ଛାଡ଼ିବାକୁ ଚୁକ୍ତିରେ ନିଷ୍ପତ୍ତି ହୋଇଥିଲା । କିନ୍ତୁ ଆଫଗାନ ସରକାର ଗୋଟିଏ ଥରରେ ସବୁ ବନ୍ଦୀଙ୍କୁ ନଛାଡ଼ିବା ଚୁକ୍ତିର ବିରୁଦ୍ଧାଚରଣ କରୁଛି । ଏହା ଦ୍ୱାରା ତାଲିବାନ-ଆଫଗାନ ସରକାର କଥାବାର୍ତ୍ତା ସଂକଟରେ ପଡ଼ିଯାଇଛି ବୋଲି ସେ କହିଛନ୍ତି ।
ମାର୍ଚ୍ଚ ୧ ତାରିଖରେ କାତାରର ଦୋହାଠାରେ ସ୍ୱାକ୍ଷରିତ ଏହି ଚୁକ୍ତି ଅନୁସାରେ ଆସନ୍ତା ୧୪ ମାସ ମଧ୍ୟରେ ଆମେରିକା ଆଫଗାନିସ୍ତାନରୁ ନିଜର ସମସ୍ତ ସୈନ୍ୟ ଅପସାରଣ କରିବ । ପ୍ରଥମ ପର୍ଯ୍ୟାୟରେ ଆସନ୍ତା ୧୩୫ ଦିନ (ସାଢେ ୪ ମାସ) ମଧ୍ୟରେ ଆମେରିକା ନିଜର ପ୍ରାୟ ୮୬୦୦ ସୈନ୍ୟଙ୍କୁ ଅପସାରଣ କରିବ । ଏହି ଚୁକ୍ତି ମାଧ୍ୟମରେ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ ଆମେରିକା ସେନା ପକ୍ଷରୁ ବନ୍ଦୀ କରାଯାଇଥିବା ପ୍ରାୟ ୫ ହଜାର ଲୋକଙ୍କୁ ମୁକ୍ତ କରାଯିବ ।

ସମ୍ବନ୍ଧିତ ଖବର