ନୂଆଦିଲ୍ଳୀ : ପାକିସ୍ତାନରେ ଅବସ୍ଥାପିତ ଆଫଗାନିସ୍ତାନର ରାଷ୍ଟ୍ରଦୂତଙ୍କ ଝିଅଙ୍କୁ ଅପହରଣ ପରେ ନିର୍ଯାତନା ଦିଆଯାଇଛି। ଅପହରଣର ୫ ଘଣ୍ଟାପରେ ଅପହରଣକାରୀମାନେ ଆଫଗାନ୍ ରାଷ୍ଟ୍ରଦୂତଙ୍କ ଝିଅଙ୍କୁ ଛାଡ଼ିଦେଇଛନ୍ତି। ଏହି ସମୟରେ ଅପହରଣକାରୀମାନେ ତାଙ୍କୁ ଗଭୀର ନିର୍ଯାତନା ଦେଇଥିବା ଜଣାପଡ଼ିଛି। ଏଭଳି ଏକ ଘଟଣାରେ ଆଫଗାନିସ୍ତାନ ଗଭୀର ଉଦ୍ବେଗ ପ୍ରକାଶ କରିଛି। ଆଫଗାନ୍ ବିଦେଶ ମନ୍ତ୍ରାଳୟ ପକ୍ଷରୁ ଏନେଇ ଏକ ବିବୃତ୍ତିରେ କୁହାଯାଇିଛି ଯେ ରାଷ୍ଟ୍ରଦୂତ ନଜିବୁଲ୍ଲା ଅଲିଖିଲ୍ଙ୍କ ଝିଅଙ୍କୁ ଅପହରଣ କରାଯାଇଥିଲା ଏବଂ ତାଙ୍କୁ ନିର୍ଯାତନା ଦିଆଯାଇଛି । ଆଫଗାନ ରାଷ୍ଟ୍ରଦୂତଙ୍କ ଝିଅ ଗତକାଲି ଇସଲାମାବାଦ୍ ସ୍ଥିତ ତାଙ୍କ ବାସଭବନକୁ ଫେରୁଥିବା ସମୟରେ କିଛି ଦୁର୍ବୃତ୍ତ ତାଙ୍କୁ ଅପହରଣ କରିନେଇଥିଲେ। ଅପହରଣକାରୀମାନେ ତାଙ୍କୁ ଛାଡ଼ିବା ପୂର୍ବରୁ ଶାରିରୀକ ଓ ମାନସିକ ନିର୍ଯାତନା ଦେଇଥିଲେ।
ନଜିବୁଲ୍ଲାଙ୍କ ଝିଅ ସିଲସିଲା ଅଲିଖିଲ୍ ଏବେ ଏକ ହସ୍ପିଟାଲ୍ରେ ଚିକିତ୍ସାଧୀନ ଅଛନ୍ତି ବୋଲି ଆଫଗାନ୍ ବିଦେଶ ମନ୍ତ୍ରାଳୟ ସ୍ପଷ୍ଟ କରିଛି। ଆଫଗାନିସ୍ତାନ ଏଭଳି କାର୍ଯ୍ୟକୁ କଡ଼ା ନିନ୍ଦା କରିଛି। ଆଫଗାନିସ୍ତାନ ପାକିସ୍ତାନରେ ଏହାର ରାଷ୍ଟ୍ରଦୂତ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କ ସୁରକ୍ଷା ନେଇ ଚିନ୍ତା ପ୍ରକଟ କରିଛି। ଆଫଗାନ୍ ଦୂତାବାସର ସୁରକ୍ଷା ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାପାଇଁ ପାକିସ୍ତାନକୁ ବିଦେଶ ମନ୍ତ୍ରାଳୟ କହିଛି।। ଦୋଷୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ପାକିସ୍ତାନ ତତ୍ପରତା ଦେଖାଉ ବୋଲି ଆଫ୍ଗାନ ପ୍ରବକ୍ତା କହିଛନ୍ତି।