ସୁନା ଚୋରାଚାଲାଣ ଅଭିଯୋଗ ଆସିବା ପରେ ଇସ୍ତଫା ଦେଲେ ଆଫଗାନିସ୍ତାନର କୂଟନୀତିଜ୍ଞ

ମୁମ୍ବାଇ: ମୁମ୍ବାଇରେ ଥିବା ଆଫଗାନିସ୍ତାନ କନସୁଲେଟର ଜେନେରାଲ(କୂଟନୀତିଜ୍ଞ) ଜାକିଆ ୱାର୍ଡକ ଇସ୍ତଫା ଦେଇଛନ୍ତି। ବ୍ୟକ୍ତିଗତ ପ୍ରସଙ୍ଗ ଦର୍ଶାଇ ସେ ଇସ୍ତଫା ଦେଇଛନ୍ତି। ବାସ୍ତବରେ ଜେନେରାଲ ଜାକିଆ ୱାର୍ଡକ ଦୁବାଇରୁ ଭାରତକୁ ୨୫ କିଲୋଗ୍ରାମ ସୁନା ଚୋରା ଚାଲାଣ କରିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା । ମୁମ୍ବାଇ ବିମାନବନ୍ଦରରେ ଭାରତୀୟ ରାଜସ୍ୱ ଇଣ୍ଟେଲିଜେନ୍ସ ନିର୍ଦ୍ଦେଶାଳୟ (ଡିଆରଆଇ) ଦ୍ୱାରା ଏହି ସୁନା ଜବତ କରାଯାଇଥିଲା । ଏହାର ମୂଲ୍ୟ ପ୍ରାୟ ୧୮ କୋଟି ଟଙ୍କା ବୋଲି କୁହାଯାଉଛି। ସୁନା ଚୋରା ଚାଲାଣ ମାମଲାରେ ଡିଆରଆଇଙ୍କ ବିବୃତ୍ତି ସତ୍ତ୍ୱେ ଭାରତୀୟ ପୁଲିସ ଜାକିଆକୁ ଗିରଫ କରିପାରିବ ନାହିଁ। ଏହାର କାରଣ ହେଉଛି ଯେ ବିଦେଶୀ କୂଟନୀତିଜ୍ଞ ହୋଇଥିବାରୁ ଜାକିଆ କୂଟନୈତିକ ସୁରକ୍ଷା ପାଇଛନ୍ତି। ସେଥିପାଇଁ ତାଙ୍କୁ ଗିରଫ କରାଯାଇପାରିବ ନାହିଁ। ନିୟମ ଅନୁଯାୟୀ ପୋଲିସ ଅନ୍ୟ ଦେଶର କୂଟନୀତିଜ୍ଞଙ୍କୁ ଗିରଫ କରିବ ନାହିଁ।

ବରଂ ସଂପୃକ୍ତ ଦେଶ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଆଶା କରାଯାଉଛି। ତାଙ୍କ ପଦରୁ ଇସ୍ତଫା ଦେବାର କାରଣ ମଧ୍ୟ ଜାକିଆ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ଯେ ଗତ ବର୍ଷ ଠାରୁ ତାଙ୍କୁ ତଥା ତାଙ୍କ ପରିବାର ତଥା ଘନିଷ୍ଠ ସମ୍ପର୍କୀୟଙ୍କ ଉପରେ ବ୍ୟକ୍ତିଗତ ଆକ୍ରମଣ କରାଯାଉଛି। ଏହି ଅଭିଯୋଗ ପରେ ସେ ନିଜର ଦାୟିତ୍ୱ ପୂରଣ କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଜାକିଆ କହିଛନ୍ତି ଯେ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ତାଙ୍କୁ ଆଶ୍ଚର୍ଯ୍ୟ କରି ନାହିଁ, କାରଣ ସେ ସାଧାରଣ ଜୀବନରେ ଏଭଳି ବ୍ୟକ୍ତିଗତ ଆକ୍ରମଣ ପାଇଁ ପୂର୍ବରୁ ପ୍ରସ୍ତୁତ ଥିଲେ | ଜାକିଆ କହିଛନ୍ତି ଯେ ଏଭଳି ଅଭିଯୋଗ କରି ତାଙ୍କୁ ବଦନାମ କରିବାକୁ ଚେଷ୍ଟା କରାଯାଉଛି। ଜାକିଆ କହିଛନ୍ତି ଯେ ସେ ତାଙ୍କ ଦେଶର ସେବା କରିଛନ୍ତି ଏବଂ ସକରାତ୍ମକ ପରିବର୍ତ୍ତନ ଆଣିବା ପାଇଁ କାର୍ଯ୍ୟ କରିଛନ୍ତି କିନ୍ତୁ ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ସେ ତାଙ୍କ ପଦରୁ ଇସ୍ତଫା ଦେବା ଭଳି କଷ୍ଟକର ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ ସୁଦ୍ଧା ଆଫଗାନିସ୍ତାନ ସରକାର ଏ ସମ୍ପର୍କରେ କୌଣସି ଅଧିକାରିକ ବୟାନ ଦେଇନାହାଁନ୍ତି।

ସମ୍ବନ୍ଧିତ ଖବର