ତାଲିବାନ କ୍ଷମତାକୁ ଆସିବା ପରେ ଏବେ ଅନ୍ଧାରରେ ସଂଖ୍ୟାଲଘୁଙ୍କ ଭବିଷ୍ୟତ: ଆଫଗାନିସ୍ତାନର ସାଂସଦ ଅନାରକଲି କୌର

କାବୁଲ: ତାଲିବାନ ଦଖଲ ପରେ ବିଗୁଡ଼ୁଛି ଆଫଗାନିସ୍ତାନର ଅବସ୍ଥା। ବିଭିନ୍ନ ଦେଶ ନିଜ ନିଜ ଦେଶର ଲୋକଙ୍କ ସମତେ ଆଫଗାନବାସୀଙ୍କୁ ସ୍ଥାନାନ୍ତର କରୁଥିବା ବେଳେ ତାଲିବାନ ସରକାର ଗଢ଼ିବାକୁ ଯୋଜନା କରିବା ଆରମ୍ଭ କରିଛି। ଭାରତ ଆଫଗାନିସ୍ତାନର ସାଂସଦ ଅନାରକଲି କୌରଙ୍କ ସମେତ ୨୦ଆଫଗାନିସ୍ତାନ ଶିଖଙ୍କୁ ଉଦ୍ଧାର କରିଛି। ରବିବାର ଦିନ ଭାରତରେ ପହଞ୍ଚିବା ପରେ ଅନାରକଲି ଆଫଗାନିସ୍ତାନର ପରିସ୍ଥିତି ବିଷୟରେ ଜଣାଇ ଭାଙ୍ଗିପଡ଼ିଛନ୍ତିି। ଆଫଗାନିସ୍ତାନର ପରିସ୍ଥିତି କଳ୍ପନା ଯୋଗ୍ୟ ନୁହେଁ, ଆଜିର ତାଲିବାନ ପୂର୍ବ ଅପେକ୍ଷା ଖରାପ ବୋଲି କହିଛନ୍ତି ଅନାରକଲି ।

କାବୁଲ ବିମାନବନ୍ଦରରେ ପରିସ୍ଥିତି ସମ୍ପର୍କରେ ସୂଚନା ଦେଇ ଅନାରକଲି କହିଛନ୍ତି, ” ଆଫଗାନିସ୍ତାନରେ ପରବର୍ତ୍ତୀ ମୁହୂର୍ତ୍ତରେ କ’ଣ ଘଟିବ ତାହା କେହି ଜାଣି ନାହାନ୍ତି। ଗଣମାଧ୍ୟମରେ ଦେଖାଯାଉଥିବା ଘଟଣାଠାରୁ ସେଠାରେ ପରିସ୍ଥିତି ବହୁତ ଭିନ୍ନ। ଲଗାତାର ଗୁଳି ବିନିମୟ ହେଉଛି ଏବଂ ପ୍ରତିଦିନ ୩-୪ରୁ ଅଧିକ ଲୋକ ଏହି ଗୁଳି ବିନିମୟରେ ଜୀବନ ହରାଉଛନ୍ତି। ସମସ୍ତେ ଏବେ ସେହି ଦେଶରୁ କିପରି ରକ୍ଷା ପାଇବେ ସେ ବିଷୟରେ ଚିନ୍ତା କରୁଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆଫଗାନିସ୍ତାନରେ ତାଲିବାନ କ୍ଷମତାକୁ ଆସିବା ପରେ ସଂଖ୍ୟାଲଘୁଙ୍କ ପାଇଁ ବିପଦ ବଢ଼ିଛି। ୨୦ବର୍ଷ ପୂର୍ବେ ତାଲିବାନ ଭାବୁଥିଲା ଯେ ଶିଖ ଏବଂ ହିନ୍ଦୁମାନେ କୌଣସି ଅଧିକାର ପାଇବାକୁ ଯୋଗ୍ୟ ନୁହନ୍ତି କାରଣ ସେମାନେ ମୁସଲମାନ ନୁହଁନ୍ତି। ଯେତେବେଳେ ତାଲିବାନର ମୁଖପାତ୍ର ପ୍ରଥମ ଥର ଗଣମାଧ୍ୟମକୁ ସମ୍ବୋଧିତ କଲେ, ସେତେବେଳେ ସେ ଶିଖ ଏବଂ ହିନ୍ଦୁଙ୍କ ବିଷୟରେ ଉଲ୍ଲେଖ କରିନଥିଲେ। ଭବିଷ୍ୟତରେ ତାଙ୍କର କୌଣସି ଅଧିକାର ରହିବ କି ନାହିଁ ତାହା କହିହେବ ନାହିଁ ବୋଲି ଅନାରକଲି କହିଛନ୍ତି।

ସମ୍ବନ୍ଧିତ ଖବର