ଆଫ୍‌ଗାନ-ଆମେରିକାର ମିଳିତ ବିମାନ ଆକ୍ରମଣ, ଦିନକରେ ୫୭୨ ତାଲିବାନୀ ନିପାତ

କାବୁଲ: ଆଫଗାନିସ୍ତାନର ଗୁରୁତ୍ବପୂର୍ଣ୍ଣ ସହରଗୁଡ଼ିକୁ ତାଲିବାନ ଆତଙ୍କବାଦୀଙ୍କ କବ୍‌ଜାରୁ ମୁକ୍ତ କରିବା ପାଇଁ ଆଫ୍‌ଗାନ ଏବଂ ଆମେରିକା ସେନା ବଡ଼ ଧରଣର ସାମରିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି। ଆମେରିକାର ଶକ୍ତିଶାଳୀ ବୋମାବର୍ଷୀ ବିମାନଗୁଡ଼ିକୁ ଏହି ଅଭିଯାନରେ ସାମିଲ କରାଯାଇଛି। ବିଗତ ୨୪ ଘଣ୍ଟାରେ ହୋଇଥିବା କାର୍ଯ୍ୟାନୁଷ୍ଠାନରେ ୫୭୨ ତାଲିବାନ ଆତଙ୍କବାଦୀ ନିହତ ହୋଇଛନ୍ତି ଏବଂ ୩୦୦ରୁ ଅଧିକ ଆହତ ହୋଇଛନ୍ତି ବୋଲି ଆଫ୍‌ଗାନ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି। ମିଳିତ ବାହିନୀ ନଙ୍ଗରହାର, ଗଜନି, ପାକ୍‌ଟିକା, କାନ୍ଦାହାର, ହେରାତ, ଫରାହ, ଫରୟାବ, ତକହାର ଆଦି ଅଂଚଳରେ ଥିବା ତାଲିବାନ ଶିବିରଗୁଡ଼ିକୁ ଛାରଖାର କରିଦେଇଛନ୍ତି। ସପ୍ତାହକ ମଧ୍ୟରେ ଅନେକ ଅଂଚଳକୁ ଆଫ୍‌ଗାନ ସେନା ପୁନଃ ଦଖଲ କରିବାରେ ସକ୍ଷମ ହୋଇଛି।

ଅଲ୍‌କାଏଦାର ଧମକପୂର୍ଣ୍ଣ ଇ-ମେଲ୍‌, ଦିଲ୍ଲୀରେ ସୁରକ୍ଷା ବଢ଼ିଲା, ହାଇ ଆଲର୍ଟ ଜାରି

ନୂଆଦିଲ୍ଲୀ: ଦିଲ୍ଲୀର ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ବୋମା ବିସ୍ଫୋରଣରେ ଉଡ଼ାଇ ଦିଆଯିବ ବୋଲି ଆତଙ୍କବାଦୀ ସଂଗଠନ ଅଲ୍‌ କାଏଦାର ଧମକପୂର୍ଣ୍ଣ ଇମେଲ୍‌ ମିଳିବା ପରେ ଦିଲ୍ଲୀରେ ସୁରକ୍ଷା କଡ଼ାକଡ଼ି କରାଯାଇଛି। ବିମାନ ବନ୍ଦର ଅଂଚଳରେ କଡ଼ା ଯାଞ୍ଚ ବ୍ୟବସ୍ଥା କରାଯିବ ସହ ଅନେକ ସ୍ଥାନରେ ତଲାସି ଅଭିଯାନ ଜାରି ରହିଛି। ସ୍ବାଧୀନତା ଦିବସ ପାଇଁ ଅନେକ ନୂଆ ଚେକ୍‌ ପୋଷ୍ଟ୍‌ ସ୍ଥାପନ ହୋଇଛି ଏବଂ ସମସ୍ତ ସୀମାରେ ଯାଞ୍ଚ ପ୍ରକ୍ରିୟା ତ୍ବରାନ୍ବିତ ହୋଇଛି। ଦିଲ୍ଲୀ ପୁଲିସ କମିସନର ରାକେଶ ଅସ୍ଥାନାଙ୍କ ଅଧ୍ୟକ୍ଷତାରେ ସ୍ବାଧୀନତା ଦିବସ ସୁରକ୍ଷା ବ୍ୟବସ୍ଥା ନେଇ ଗତକାଲି ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ସିସିଟିଭି କ୍ୟାମେରା ନେଟ୍‌ୱର୍କକୁ ଏବେ ଅଧିକ ସୁଦୃଢ଼ କରାଯିବା ସହ ସମସ୍ତ ଅଂଚଳରେ ସନ୍ଦିଗ୍ଧ ଲୋକଙ୍କ ଉପରେ ନଜର ରଖାଯାଉଛି ଏବଂ ଭିନ୍ନ ଭିନ୍ନ ଜୋନ୍‌ ପାଇଁ ସ୍ବତନ୍ତ୍ର ତଦାରଖ ଟିମ୍‌ ମୁତୟନ ହୋଇଛନ୍ତି।

 

ସମ୍ବନ୍ଧିତ ଖବର