ଆଫଗାନିସ୍ତାନର ମସଜିଦରେ ବିସ୍ଫୋରଣ, ୧୮ ଜଣଙ୍କର ମୃତ୍ୟୁ

ନୂଆଦିଲ୍ଲୀ: ଆଫଗାନିସ୍ତାନର ନଂଗାରହରରେ ଏକ ମସଜିଦରେ ବୋମା ବିସ୍ଫୋରଣ ଘଟିଛି | ଏହି ବୋମା ବିସ୍ଫୋରଣରେ ୧୮ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୫୦ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି | ବିସ୍ଫୋରଣ ସମୟରେ ମସଜିଦ ନିକଟରେ ବହୁ ସଂଖ୍ୟାରେ ଲୋକ ଉପସ୍ଥିତ ଥିଲେ | ନମାଜ ପଢିବାକୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଆସିଥିବାରୁ କେହି ଏହାକୁ ନଜରରେ ରଖି ବୋମା ବିସ୍ଫୋରଣ କରାଇଥିବାର ସନ୍ଦେହ କରାଯାଉଛି |

ତେବେ ଏହି ବିସ୍ଫୋରଣ ପାଇଁ କୌଣସି ସଂଗଠନ ନିଜକୁ ଦାୟୀ କରିନାହାଁନ୍ତି | ମିଳିଥିବା ସୂଚନା ମୁତାବକ ବିସ୍ଫୋରଣ ପରେ ଲୋକମାନେ ଏଣେତେଣେ ଧାଁ ଦୌଡ କରିଥିଲେ | ଏ ନେଇ ସୂଚନା ମିଳିବା ପରେ ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଂଚି ଆହତମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି |

ତେବେ ବହୁ ସଂଖ୍ୟାରେ ଆହତ ମାନଙ୍କ ସ୍ଥିତି ସଙ୍କଟାପନ୍ନ ଥିବାରୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି କୁହାଯାଉଛି | ଏଠାରେ ସୂଚନା ଥାଉ କି କିଛି ଦିନ ତଳେ ଆଫଗାନିସ୍ତାନ ପୁଲିସ ମୁଖ୍ୟାଳୟ ନିକଟରେ ଏକ ଟ୍ରକରେ ବୋମା ବିସ୍ଫୋରଣ ହୋଇଥିଲା | ଏହି ବିସ୍ଫୋରଣରେ ୨ ଜଣ ପୁଲିସ ଅଧିକାରୀଙ୍କ ମୃତ୍ୟୁ ହୋଇଥିବାବେଳେ ୨୬ ଜଣ ଆହତ ହୋଇଯାଇଥିଲେ |

ସମ୍ବନ୍ଧିତ ଖବର