କାବୁଲ: ପଶ୍ଚିମ ଆଫଗାନିସ୍ତାନର ହେରତ ପ୍ରଦେଶରେ ୬.୩ ତୀବ୍ରତାର ଭୂମିକମ୍ପରେ ୨୦୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ ଶହଶହ ଆହତ ହୋଇଛନ୍ତି ବୋଲି ତାଲିବାନ ସରକାର ରବିବାର କହିଛନ୍ତି। ଆଫଗାନିସ୍ତାନରେ ଗତ ଦଶନ୍ଧି ମଧ୍ୟରେ ହୋଇଥିବା ସବୁଠାରୁ ଭୟଙ୍କର ଭୂମିକମ୍ପରେ ଜିନ୍ଦା ଜାନ୍ ଏବଂ ଘୋରିଆନ୍ ଜିଲ୍ଲାର ଅତି କମ୍ରେ ଏକ ଡଜନ ଗାଁ ସମ୍ପୂର୍ଣ୍ଣ ଧ୍ବସ୍ତ ହୋଇଯାଇଛି। ଉକ୍ତ ଭୂମିକମ୍ପ ପରବର୍ତ୍ତୀ କମ୍ପନରେ ୩୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୬୦୦ରୁ ଅଧିକ ଆହତ ହୋଇଛନ୍ତି। ଅଧିକାଂଶ ମୃତ୍ୟୁ ୧୨ଟି ଧ୍ବସ୍ତ ହୋଇଯାଇଥିବା ଗାଁରେ ଘଟିଛି। ବିପର୍ଯ୍ୟୟ ପରିଚାଳନା ମନ୍ତ୍ରଣାଳୟର ମୁଖପାତ୍ର ଜନାନ ଶେକ କହିଛନ୍ତି ଯେ ଫରାହ ଏବଂ ବାଡଗିସ ପ୍ରଦେଶର କିଛି ଘର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଅନେକ ସ୍ଥାନରେ ଉଦ୍ଧାରକାର୍ଯ୍ୟ ଜାରି ରହିଥିବା
ବେଳେ ମୃତକଙ୍କ ସଂଖ୍ୟା ଆହୁରି ବଢିପାରେ ବୋଲି କର୍ତ୍ତୃପକ୍ଷ ଆଶଙ୍କା କରୁଛନ୍ତି। ଆହତଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ମଧ୍ୟ ସଙ୍କଟାପନ୍ନ ରହିଛି। ୟୁଏସ୍ ଜିଓଲୋଜିକାଲ ସର୍ଭେ (ୟୁଏସ୍ଜିଏସ୍) ଅନୁଯାୟୀ ପଶ୍ଚିମ ଆଫଗାନିସ୍ତାନରେ ୬ଟି ଭୂମିକମ୍ପ ଅନୁଭୂତ ହୋଇଥିବା ବେଳେ ସବୁଠାରୁ ବଡ଼ ଭୂକମ୍ପର ତୀବ୍ରତା ୬.୩ ରହିଛି। ହେରତର ଜିନ୍ଦା ଜାନ୍ ଜିଲ୍ଲାରେ ୭.୭ କିଲୋମିଟର ଗଭୀରତାରେ ୫.୯ ତୀବ୍ରତାର ସଦ୍ୟତମ ଭୂମିକମ୍ପ ଅନୁଭୂତ ହୋଇଛି। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ନିକଟବର୍ତ୍ତୀ ପ୍ରଦେଶ ଫରାହ ଏବଂ ବାଦଗିସରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଥିଲା। ବିଶେଷକରି ଆଫଗାନିସ୍ତାନର ହିନ୍ଦୁକୁଶ ପର୍ବତମାଳା ଅଞ୍ଚଳ ଭୂକମ୍ପପ୍ରବଣ, ଯାହା ୟୁରେସିଆନ ଏବଂ ଭାରତୀୟ ଟେକ୍ଟୋନିକ୍ ପ୍ଲେଟ୍ର ମିଶ୍ରଣ ନିକଟରେ ଅବସ୍ଥିତ।