କାବୁଲ: ଆଫଗାନିସ୍ତାନର ପୂର୍ବାଞ୍ଚଳରେ କୁନାର ପ୍ରଦେଶରେ ଗତକାଲି ଘଟିଥିବା ଶକ୍ତିଶାଳୀ ଭୂମିକମ୍ପ ଯୋଗୁଁ ମୃତ୍ୟୁସଂଖ୍ୟା ୧୪୦୦ ଅତିକ୍ରମ କରିଛି ବୋଲି ବିଭିନ୍ନ ସହାୟତା ପ୍ରଦାନକାରୀ ସଂସ୍ଥାମାନଙ୍କ ରିପୋର୍ଟରୁ ଜଣାପଡ଼ିଛି। ଏହି ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲ୍ରେ ୬.୦ ରୁ ୬.୩ ମଧ୍ୟରେ ଥିଲା ଏବଂ ଏହା ସ୍ଥାନୀୟ ଅଂଚଳରେ ପ୍ରଳୟଙ୍କରୀ କ୍ଷୟକ୍ଷତି ଘଟାଇଛି। ଗାଁଗୁଡ଼ିକ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଛି ଏବଂ ୩ ହଜାରରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ପ୍ରାୟ ୮୦୦ ଲୋକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।
ପାହାଡ଼ିଆ ଅଞ୍ଚଳରେ ଅବସ୍ଥିତ ଏହି ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଅତ୍ୟନ୍ତ ଜଟିଳ ହୋଇପଡ଼ିଛି। ସୀମିତ ସମ୍ବଳ ଏବଂ ଦୁର୍ଗମ ଅଂଚଳ ଯୋଗୁଁ ଉଦ୍ଧାରକାରୀ ଦଳମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅନେକ ପରିବାର ନିଜର ଘର ଏବଂ ଜୀବିକା ହରାଇ ଖୋଲା ଆକାଶ ତଳେ ରହୁଛନ୍ତି। ସାହାଯ୍ୟ ସଂସ୍ଥାଗୁଡ଼ିକ ତୁରନ୍ତ ଖାଦ୍ୟ, ଔଷଧ ଏବଂ ଅସ୍ଥାୟୀ ଆଶ୍ରୟ ଯୋଗାଇ ଦେବାକୁ ଚେଷ୍ଟା କରୁଥିଲେ ମଧ୍ୟ ଆବଶ୍ୟକତା ତୁଳନାରେ ସମ୍ବଳ ଯଥେଷ୍ଟ କମ୍ ରହିଥିବା ଜଣାପଡ଼ିଛି।
ଆଫଗାନିସ୍ତାନରେ ଏହା ପୂର୍ବରୁ ମଧ୍ୟ ଅନେକ ପ୍ରାକୃତିକ ଦୁର୍ବିପାକ ଘଟିଛି ଏବଂ ପ୍ରକୃତିର ପ୍ରକୋପ ଏହି ଦୁର୍ଦ୍ଦଶାଗ୍ରସ୍ତ ରାଷ୍ଟ୍ରକୁ ଆହୁରି ଦୁର୍ବଳ କରିଛି। ଅନ୍ୟପକ୍ଷରେ ଆଫଗାନିସ୍ତାନରେ ଆଜି ପୁଣିଥରେ ଭୂକମ୍ପ ହୋଇଛି। ପୂର୍ବ ଆଫଗାନିସ୍ତାନରେ ୫.୨ ତୀବ୍ରତାର ଭୂକମ୍ପ ରେକର୍ଡ ହୋଇଥିବା ବେଳେ ତୁହାକୁ ତୁହା କମ୍ପନ ଆତଙ୍କ ସୃଷ୍ଟି କରିଛି। ଆଜିର ଭୂକମ୍ପର କେନ୍ଦ୍ରସ୍ଥଳ ମଧ୍ୟ ସେହି କୁନାର ପାଖାପାଖି ଅଞ୍ଚଳରେ ରହିଛି।